ଲକଡାଉନରେ ମଣିଷକୁ କେତେକଣ କଷ୍ଟ ସହିବାକୁ ପଡୁଛି ଏବେ ଗୋଟିଏ ପରେ ଗୋଟିଏ ଉଦାହରଣ ସାମ୍ନାକୁ ଆସୁଛି । ସ୍ଥିତି ଏମିତି ହୋଇଛି ଯେ ଦୁଇ ଓଳି ଖାଇବା ପାଇଁ ଘରେ ଆଉ ଦି ଅଣା ନାହିଁ ବାଧ୍ୟ ହୋଇ ବିଷ୍ଣୁପ୍ରିୟା ଭଳି ଜଣେ ମେଧାବୀ ଛାତ୍ରୀ ଜମାଟୋରେ ଫୁଡ ଡେଲିଭରି କରୁଛନ୍ତି। ଉପରେ ଦେଖୁଥିବା ଫଟୋ କଟକର ଶୈଳବାଳା ମହିଳା ମହାବିଦ୍ୟାଳୟର ଛାତ୍ରୀ ବିଷ୍ଣୁପ୍ରିୟାଙ୍କର । ବିଷ୍ଣୁପ୍ରିୟା ଯୁକ୍ତ ଦୁଇରେ ପଢ଼ନ୍ତି। ଇଚ୍ଛା ଡାକ୍ତର ହେବା ପାଇଁ କିନ୍ତୁ ଲକଡାଉନର କଷ୍ଟ ତାଙ୍କୁ ପାଠକୁ ପଛ କରି ନିଜ ପିଠିରେ ଜମାଟୋ ବ୍ୟାଗ ପକାଇବାକୁ ବାଧ୍ୟ କରିଛି।
ବିଷ୍ଣୁପ୍ରିୟାଙ୍କ ବାପା ଜଣେ ଡ୍ରାଇଭର। ଲକଡାଉନ ଯୋଗୁଁ କାମଧନ୍ଦା ସବୁକିଛି ବନ୍ଦ। ବାପାମା ଓ ତିନି ଭଉଣୀ ମଧ୍ୟରେ ବିଷ୍ଣୁପ୍ରିୟା ସବୁଠାରୁ ବଡ଼। ତେବେ ଘରର ଏଭଳି ଅବସ୍ଥା ଦେଖି ସେ ବାପାଙ୍କ ମଟର ସାଇକେଲ ଧରି ବାହାରିଲେ ଏବଂ ଜମାଟୋରେ ଇଣ୍ଟରଭ୍ୟୁ ଦେଇ ଏବେ ଫୁଡ ଡେଲିଭରି କରୁଛନ୍ତି। ବାପା ନିଜ ସାଧ୍ୟମତେ କାର୍ଯ୍ୟ କରୁଥିବା ବେଳେ ଝିଅ ମଧ୍ୟ ପରିବାରର ଖର୍ଚ୍ଚ ଉଠାଇବାରେ ନିଜ କାନ୍ଧ ଲଗାଇ ଦେଇଛି ।
ଝିଅଟି ଯେତେବେଳେ ଜମାଟୋ ବ୍ୟାଗ ପକାଇ ସହରର ଏ ଗଳିରୁ ସେ ଗଳି ବୁଲୁଥାଏ ଘଡ଼ିଏ ସମସ୍ତେ ଚାହାନ୍ତି କିନ୍ତୁ ରାତିରେ ପର୍ଯ୍ୟନ୍ତ କାମ କଲେ ମଧ୍ୟ କେବେବି ଅସୁବିଧା ଭୋଗିନାହାନ୍ତି ବୋଲି କୁହନ୍ତି ବିଷ୍ଣୁପ୍ରିୟା। ଏପରିକି ତାଙ୍କ କାମ ସରିଗଲେ ସଂଧ୍ୟାରେ ପିଲାମାନଙ୍କୁ ଟ୍ୟୁସନ କରନ୍ତି। ଏହାଦ୍ବାରା ତାଙ୍କର ପାଠ ପଢ଼ିବା ପାଇଁ କିଛି ଟଙ୍କା ସଞ୍ଚୟ ହୋଇଯିବ ବୋଲି ସେ ଭାବନ୍ତି। ଯେହେତୁ ମୁଁ ବଡ଼ ତେଣୁ ମୋ ବାପାଙ୍କୁ ଖୁସି ରଖିବା ପାଇଁ ମୁଁ କାମ କରିବାରେ କିଛି ଅସୁବିଧା ନାହିଁ ବୋଲି ଖୋଲା ହୃଦୟରେ ବିଷ୍ଣୁପ୍ରିୟା କୁହନ୍ତି।