ବିମାନ ହାଇଜାକ କଥା ପୂର୍ବରୁ ଶୁଣିଥିବେ। କିନ୍ତୁ ସାଇବର ଚୋର ଏମିତି ମାତିଛନ୍ତି ଯେ ବିମାନ ଚଲାଚଳ ସର୍ଭରକୁ ହ୍ୟାକ କରିନେଇଛନ୍ତି। ଏୟାର ଇଣ୍ଡିଆ ସହିତ ବିଶ୍ବର ଆଉ କିଛି ଏୟାରଲାଇନ୍ସ ଉପରେ ବଡ ଧରଣର ସାଇବର ଆଟାକ୍ ହୋଇଛି। ୪୫ ଲକ୍ଷ ୟୁଜର୍ସଙ୍କ ଡାଟା ଲିକ୍ ହୋଇଥିବା ଅନୁମାନ କରାଯ଼ାଉଛି। ପାସପୋର୍ଟ, କ୍ରେଡିଟ୍ କାର୍ଡ ସହିତ ଅନେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଚୋରି ହୋଇଛି। ଯେଉଁ ଏୟାରଲାଇନ୍ସ କମ୍ପାନୀ ଉପରେ ସାଇବର ଆଟାକ ହୋଇଛି ସେଥିରେ ଏୟାର ଇଣ୍ଡିଆ ସମେତ ମାଲେସିଆ ଏୟାରଲାଇନ୍ସ, ଫିନଏୟାର, ସିଙ୍ଗାପୁର ଏୟାରଲାଇନ୍ସ, ଲୁଫଥାନ୍ସା ଓ ପ୍ୟାସିଫିକ୍ ମଧ୍ୟ ସାମିଲ।
ଏୟାର ଇଣ୍ଡିଆ ନିଜର ପ୍ରଭାବିତ ଗ୍ରାହକଙ୍କୁ ପଠାଇଥିବା ସନ୍ଦେଶରେ କହିଛି ଯେ, କମ୍ପାନୀର SITA Pss ସର୍ଭର ଉପରେ ସାଇବର ହମଲା ହୋଇଛି। ଏଥିରେ ଗ୍ରାହକଙ୍କ ବ୍ୟକ୍ତିଗତ ସୂଚନାକୁ ମହଜୁଦ କରି ରଖିବା ସହ ସଞ୍ଚାଳନ କରାଯାଏ। ୨୦୧୧ ଅଗଷ୍ଟରୁ ୨୦୨୧ ଫେବୃଆରୀ ପର୍ଯ୍ୟନ୍ତ ଏହି ତଥ୍ୟ ଚୋରି ହୋଇଛି।
ସାଇବର ହମଲାରେ ଗ୍ରାହକଙ୍କ ନାମ, ଜନ୍ମ ତାରିଖ, ଫୋନ ନମ୍ବର, ପାସପୋର୍ଟ ତଥ୍ୟ, ଟିକେଟ୍ର ସୂଚନା, ନିୟମିତ ଯାତ୍ରୀ ଓ କ୍ରେଡିଟ୍ କାର୍ଡ ଆଦିର ତଥ୍ୟ ଲିକ୍ ହୋଇଛି। ଏୟାର ଇଣ୍ଡିଆ କହିଛି, କ୍ରେଡିଟ୍ କାର୍ଡର ସିଭିଭି ଓ ସିଭିସି ନମ୍ବର ଏହି ସର୍ଭରରେ ଷ୍ଟୋର କରାଯାଇନଥିଲା।