ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଚୟନ ହୋଇଥିବା ସୁଶୀଳା କାର୍କିଙ୍କର ଭାରତ ସହିତ ରହିଛି ପୁରୁଣା ସଂପର୍କ । ସେ ଭାରତରେ ପାଠ ପଢ଼ିଥିଲେ, ଭାରତରେ ତାଙ୍କ ସ୍ବାମୀଙ୍କ ସହିତ ପ୍ରଥମ ଦେଖା ହୋଇଥିଲା। ଏହିଠାରେ ପ୍ରେମ ହୋଇଥିଲା। ତାଙ୍କ ସ୍ବାମୀ ମଧ୍ୟ ଭାରତରେ ଗିରଫ ହୋଇଥିଲେ। ସୁଶୀଳା କିର୍କିଙ୍କର ଏମିତି ଅନେକ ଅଭୁଲା ସ୍ମୃତି ଭାରତରେ ରହିଛି। ନେପାଳର ସେ ଅନ୍ତରୀଣ ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କୁ ମହମ୍ମଦ ୟୁନୁସଙ୍କ ସହିତ ତୁଳନା କରାଯାଉଛି । ଗତ ବର୍ଷ ଛାତ୍ର-ନେତୃତ୍ୱାଧୀନ ବିପ୍ଳବ ପରେ ବାଂଲାଦେଶର ଅନ୍ତରୀଣ ସରକାରର ନେତୃତ୍ୱ ନେଇଥିଲେ ମହମ୍ମଦ ୟୁନୁସ। ଶେଖ ହାସିନାଙ୍କ ସରକାରର ପତନ ପରେ ମହମ୍ମଦ ୟୁନୁସ ବାଂଲାଦେଶକୁ ସମ୍ଭାଳିଥିଲେ ଏବେ ସେମିତି ନେପାଳକୁ ସମ୍ଭାଳିବାକୁ ଯାଉଛନ୍ତି ସୁଶୀଳା କାର୍କି। ପଦରୁ ହଟାଇ ଦେଇଥିଲା। ଏହି ସମୟରେ ଭାରତ ସହିତ ତାଙ୍କର ସଂପର୍କ ଆହୁରି ମଜଭୁତ ହେବ ବୋଲି ଆଶା କରାଯାଇପାରେ । ଆସନ୍ତୁ ଜାଣିବା ଭାରତର କେଉଁଠି ରହିଛି କାର୍କିଙ୍କ ଅଜଣା କାହାଣୀ।
1952 ମସିହାରେ ଏକ ଚାଷୀ ପରିବାରରେ ସୁଶୀଳା କାର୍କିଙ୍କ ଜନ୍ମ। ସାତ ସନ୍ତାନଙ୍କ ମଧ୍ୟରେ ସେ ହେଉଛନ୍ତି ବଡ଼ । 1959 ମସିହାରେ ନେପାଳର ପ୍ରଥମ ଗଣତାନ୍ତ୍ରିକ ଭାବରେ ନିର୍ବାଚିତ ପ୍ରଧାନମନ୍ତ୍ରୀ ବିଶ୍ୱେଶ୍ୱର ପ୍ରସାଦ କୋଇରାଲାଙ୍କ ସହିତ ତାଙ୍କ ପରିବାରର ଘନିଷ୍ଠ ସମ୍ପର୍କ ଥିଲା।ଶ୍ରୀମତୀ କାର୍କି 1972 ମସିହାରେ ମହେନ୍ଦ୍ର ମୋରାଙ୍ଗ କ୍ୟାମ୍ପସରେ କଳାରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ, ତା’ପରେ 1975 ମସିହାରେ ଭାରତର ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (BHU) ରେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ତିନି ବର୍ଷ ପରେ, 1978 ମସିହାରେ, ସେ କାଠମାଣ୍ଡୁର ତ୍ରିଭୁବନ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ସେ ୧୯୮୫ ମସିହାରେ ଧରନର ମହେନ୍ଦ୍ର ମଲ୍ଟିପୁଲ୍ କ୍ୟାମ୍ପସରେ ଜଣେ ସହକାରୀ ଶିକ୍ଷୟିତ୍ରୀ ଭାବରେ କାର୍ଯ୍ୟ କରିଥିଲେ, ଏବଂ ୧୯୭୯ ମସିହାରୁ ବିରାଟନଗରରେ ଆଇନ ଅଭ୍ୟାସରେ ନିଜକୁ ପ୍ରତିଷ୍ଠିତ କରିଥିଲେ।
ନ୍ୟାୟପାଳିକାରେ ତାଙ୍କର ଉତ୍ଥାନ ୨୦୦୯ ମସିହାରେ ଆରମ୍ଭ ହୋଇଥିଲା ଯେତେବେଳେ ତାଙ୍କୁ ନେପାଳର ସୁପ୍ରିମକୋର୍ଟରେ ଅସ୍ଥାୟୀ ବିଚାରପତି ଭାବରେ ନିଯୁକ୍ତ କରାଯାଇଥିଲା। ଗୋଟିଏ ବର୍ଷ ପରେ, ତାଙ୍କୁ ସ୍ଥାୟୀ ବିଚାରପତି ଭାବରେ ନିଶ୍ଚିତ କରାଯାଇଥିଲା ଏବଂ ଜୁଲାଇ ୨୦୧୬ ସୁଦ୍ଧା ସେ ମୁଖ୍ୟ ବିଚାରପତିର ଶୀର୍ଷ ପଦବୀରେ ପହଞ୍ଚିଥିଲେ।ଏପ୍ରିଲ ୨୦୧୭ରେ, ତତ୍କାଳୀନ ଶାସକ ନେପାଳୀ କଂଗ୍ରେସ ଏବଂ ସିପିଏନର ସାଂସଦମାନେ ତାଙ୍କ ବିରୁଦ୍ଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରିଥିଲେ। ଦୁର୍ନୀତି ବିରୋଧୀ ସଂସ୍ଥାର ପ୍ରଭାବଶାଳୀ ମୁଖ୍ୟଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ କାର୍କି। ଏଥିପାଇଁ ତାଙ୍କ ବିରୋଧରେ ପକ୍ଷପାତିତା ଅଭିଯୋଗ ଅଣାଯାଇଥିଲା । ଏହି ପ୍ରସ୍ତାବ ଜରିଆରେ ତାଙ୍କୁ ତୁରନ୍ତ ନିଲମ୍ବନ କରାଯାଇଥିଲା। ହେଲେ ସେତେବେଳେ ହିଁ ତାଙ୍କ ସମର୍ଥନରେ ବାହାରିଥିଲେ ନେପାଳର ଜନତା। ନ୍ୟାୟପାଳିକା ସ୍ୱାଧୀନତା ରକ୍ଷା ପାଇଁ ଜନସାଧାରଣଙ୍କ ବିରୋଧ ତୀବ୍ର ହୋଇଥିଲା । ମାମଲାରେ ନେପାଳର ସୁପ୍ରିମକୋର୍ଟ ହସ୍ତକ୍ଷେପ କରିଥିଲେ। ମହାଭିଯୋଗ ପ୍ରସ୍ତାବ ପ୍ରତ୍ୟାହାର କରାଗଲା ଏବଂ ଶ୍ରୀମତୀ କାର୍କିଙ୍କୁ ପୁନଃ ଅବସ୍ଥାପିତ କରାଗଲା ଏବଂ ଜୁନ୍ ୨୦୧୭ରେ ସେ ଅବସର ଗ୍ରହଣ କରିଥିଲେ । ମୁଖ୍ୟ ବିଚାରପତି ଥିବା ସମୟରେ, ସେ ଅନେକ ଐତିହାସିକ ମାମଲାର ଅଧ୍ୟକ୍ଷତା କରିଥିଲେ, ଯେଉଁଥିରେ ସୂଚନା ଏବଂ ଯୋଗାଯୋଗ ମନ୍ତ୍ରୀ ଜୟ ପ୍ରକାଶ ପ୍ରସାଦ ଗୁପ୍ତାଙ୍କୁ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା।
ବାରାଣସୀର ବିଏଚୟୁରେ ଛାତ୍ର ଥିବା ସମୟରେ, ସେ ଦୁର୍ଗା ପ୍ରସାଦ ସୁବେଦୀଙ୍କୁ ଭେଟିଥିଲେ। ଦୁର୍ଗା ପ୍ରସାଦ ତାଙ୍କର ଗାଇଡ ଥିଲେ । ଆଉ ଉଭୟଙ୍କ ମଧ୍ୟରେ ସଂପର୍କ ବଢ଼ିଥିଲା। ପରେ ଉଭୟ ନେପାଳ ଫେରି ବିବାହ କରିଥିଲେ । ଶ୍ରୀଯୁକ୍ତ ସୁବେଦୀ ନେପାଳୀ କଂଗ୍ରେସର ଯୁବ ନେତା ଥିଲେ ଏବଂ ଏକ ନାଟକୀୟ ଘଟଣାରେ ତାଙ୍କୁ ଭାରତରେ ଗିରଫ ହେବାକୁ ପଡ଼ିଥିଲା। ଜୁନ୍ ୧୦, ୧୯୭୩ର ଘଟଣା। ଏକ ଘରୋଇ ନେପାଳ ଏୟାରଲାଇନ୍ସ ବିମାନକୁ ଅପହରଣ କରାଯାଇଥିଲା। ଏହି ଅପହରଣରେ ସଂପୃକ୍ତ ଥିଲେ ସୁବେଦୀ। ଏହି ବିମାନରେ ବିପୁଳ ନେପାଳୀ ଟଙ୍କା ଥିବା ବାକ୍ସ ପରିବହନ କରାଯାଉଥିଲା। ସଂଯୋଗ ବଶତଃ ମାଲା ସିହ୍ନା ଏଥିରେ ମଧ୍ୟ ଯାତ୍ରା କରୁଥିଲେ। ନେପାଳର ଷ୍ଟେଟ୍ ବ୍ୟାଙ୍କର ପ୍ରାୟ ୪ ନିୟୁତ ନେପାଳୀ ଟଙ୍କା, ସେତେବେଳେ 4 ଲକ୍ଷ ଡଲାର ହେବ, ଏଥିରେ ଥିଲା। ବିମାନଟିକୁ ବିହାରର ପୂର୍ଣ୍ଣିଆ ଜିଲ୍ଲାର ଫୋର୍ବସଗଞ୍ଜରେ ଅବତରଣ କରିବାକୁ ବାଧ୍ୟ କରାଯାଇଥିଲା। ଦି ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଅପହରଣକାରୀମାନେ ପାଇଲଟଙ୍କୁ ଏକ ପିସ୍ତଲ ଦେଖାଇ ଭାରତକୁ ସ୍ଥାନାନ୍ତର କରିବାକୁ ଦାବି କରିଥିଲେ। କୌଣସି ଯାତ୍ରୀଙ୍କୁ କ୍ଷତି ପହଞ୍ଚାଇ ନଥିଲେ, ଏବଂ ତିନି ବାକ୍ସ ଟଙ୍କା ବାହାର କରାଯିବା ପରେ, ବିମାନକୁ ଯାତ୍ରା ଜାରି ରଖିବାକୁ ଅନୁମତି ଦିଆଯାଇଥିଲା।
ଭାରତରେ ଅପେକ୍ଷା କରି ରହିଥିଲେ ଗିରିଜା ପ୍ରସାଦ କୋଇରାଲା। ଏହି ଟଙ୍କା ତାଙ୍କୁ ହସ୍ତାନ୍ତର କରାଯାଇଥିଲା। ରାଜତନ୍ତ୍ର ବିରୁଦ୍ଧରେ ନେପାଳୀ କଂଗ୍ରେସର ସଶସ୍ତ୍ର ସଂଗ୍ରାମ ପାଇଁ ଏହି ଟଙ୍କା ଅଣାଯାଇଥିଲା। ଯାହାକୁ ଅସ୍ତ୍ରଶସ୍ତ୍ର କିଣିବା ପାଇଁ ବ୍ୟବହୃତ ହୋଇଥିଲା। ଅପହରଣରେ ସମ୍ପୃକ୍ତ ଶ୍ରୀ ସୁବେଦୀ ଏବଂ ଅନ୍ୟମାନଙ୍କୁ ଭାରତରେ ଗିରଫ କରାଯାଇଥିଲା । ଦୁଇ ବର୍ଷ ପର୍ଯ୍ୟନ୍ତ ଏମାନେ ଭାରତ ଜେଲ ରହିଥିଲେ। ପରବର୍ତ୍ତୀ ନିର୍ବାଚନରେ ଗିରିଜା ପ୍ରସାଦ କୋୟାରାଲା ନେପାଳର ପ୍ରଧାନମନ୍ତ୍ରୀ ହୋଇଥିଲେ। ତେଣୁ ସୁଶୀଳା ଏବଂ ସୁବେଦୀଙ୍କ ସହିତ ଗିରିଜା ପ୍ରସାଦଙ୍କ ପରିବାରର ଉତ୍ତମ ସଂପର୍କ ରହିଥିଲା।
2017ରେ ବିଚାରପତି ଭାବେ ଅବସର ନେବା ପରେ ସୁଶୀଳା କାର୍କି ଦୁଇଟି ବହି ମଧ୍ୟ ଲେଖିଛନ୍ତି । ନ୍ୟାୟ ଥିଲା ତାଙ୍କର ଆତ୍ମଜୀବନୀ। ଦ୍ବିତୀୟ ପୁସ୍ତକଟି ଥିଲା କାରା। ତାଙ୍କ ଜେଲ ସମୟର ଅନୁଭୂତିକୁ ନେଇ ସେ ଏହି ପୁସ୍ତକ ରଚନା କରିଥିଲେ । ଏବେ ସମୟ ଚକ୍ରରେ ପୁଣି ନେପାଳ ଜଣେ ସଚ୍ଚୋଟ ମହିଳାଙ୍କୁ ମନେ ପକାଇଛି। ତାଙ୍କୁ ପ୍ରଧାନମନ୍ତ୍ରୀ ପଦରେ ଅଧିଷ୍ଠିତ କରିଛି।