ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟାରିଫ ପେ ଟାରିଫ- ଟାରିଫ୍ ପେ ଟାରିଫ ଲଗାଇ ଭାରତକୁ ନାକ ରଗଡ଼ାଇବାକୁ ବାଧ୍ୟ କରିଦେବେ ବୋଲି ଭାବିନେଇଥିଲେ , ହେଲେ ସେମିତି କିଛି ହେଲାନି, ବରଂ ରୁଷ ଠାରୁ ତେଲ କିଣିବା ବନ୍ଦ କରିବା ବଦଳରେ ବଢ଼ାଇଛି ଭାରତ । ପୂର୍ବରୁ ଏମିତି କେବେ ହୋଇନଥିଲା। ବିଶ୍ବ ଦରବାରରେ ଆମେରିକାର ବଡ଼ ଭାଇ ପଣିଆ ଏପରିକି ଆମେରିକାର ଦାଦାଗିରି ଏଭଳି ସଙ୍କଟକୁ ଆସିନଥିଲା। ଯାହା ବାଇଡେନ ଏବଂ ଟ୍ରମ୍ପ ମିଳିତ ଭାବେ କରିଦେଇଛନ୍ତି ଶହେ ବର୍ଷ ଭିତରେ ଆମେରିକାର ସ୍ବାଭିମାନ ଏଭଳି କେବେ ଦଳି ମକଚି ଯାଇନଥିଲା। ଟାରିଫ ଲଦି ଭାରତକୁ ଜବତ କରିବାକୁ ଚାହିଁଥିବା ଡୋନାଲଡ ଟ୍ରମ୍ପ ଏବେ ମତ ଦେଉଛନ୍ତି ବୋଧେ ଭାରତ ଏବଂ ରୁଷକୁ ଆମେ ଚୀନ ପାଖରେ ହରାଇଦେଲୁ। ଖାଲି ସେତିକି ନୁହେଁ ମୋଦିଙ୍କ ସହିତ ତାଙ୍କର ବନ୍ଧୁତା ପ୍ରଭାବିତ ହେବ ନାହିଁ ବୋଲି ମଧ୍ୟ କହି ପୁଣି ବନ୍ଧୁତାର ହାତବଢ଼ାଇଛନ୍ତି ଟ୍ରମ୍ପ। ଏଥିରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସକାରାତ୍ମକ ଉତ୍ତର ଦେଇଛନ୍ତି ଏବଂ ବନ୍ଧୁତା ଜାରି ରହିବ ବୋଲି କହିଛନ୍ତି । ତେଣୁ ଏଥିରୁ ଅନୁମାନ କରାଯାଇପାରେ ଯେ ପୁଣି ମୋଦି-ଟ୍ରମ୍ପ ବନ୍ଧୁତା ଦେଖାଯାଇପାରେ। ହେଲେ ଏହା ଏତେ ସହଜ ବି ମନେ ହେଉନାହିଁ। କାରଣ ଜାତିସଂଘ ସାଧାରଣ ପରିଷଦ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଯିବାର ଥିଲା , ହେଲେ ଯାହା ସୂଚନା ମିଳୁଛି ପ୍ରଧାନମନ୍ତ୍ରୀ ଆମେରିକା ଯିବେ ନାହିଁ ବରଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଯିବେ ଏବଂ ସେ ଜାତିସଂଘକୁ ସମ୍ବୋଧନ କରିବେ ।
ବିଗତ ଦିନରେ ମୋଦି ଟ୍ରମ୍ପଙ୍କ ଫୋନ ନ ଉଠାଇବା, ଟ୍ରମ୍ପଙ୍କ ଟାରିଫକୁ ଚ୍ୟାଲେଞ୍ଜ କରିବା ଏବଂ ଚୀନରେ ରୁଷ-ଚୀନ ରାଷ୍ଟ୍ରମୁଖ୍ୟଙ୍କ ସହିତ ଏକାଠି ହେବା ସିଧାସଳଖ ସୂଚନା ଦେଉଛି ଯେ ଟ୍ରମ୍ପଙ୍କ 50% ଧମକକୁ ଭାରତ ଆଡ଼ ଆଖିରେ ଚାହିଁନି। ଏମିତି ପୂର୍ବରୁ କେବେ ହୋଇନଥିଲା। କାରଣ ଆମେରିକାର ସିଧା ସଳଖ ଧମକକୁ କୌଣସି ଦେଶ ଚ୍ୟାଲେଞ୍ଜ କରିନଥିଲେ, କିନ୍ତୁ ଭାରତ ଖାଲି ଚ୍ୟାଲେଞ୍ଜ କରିନି, ସ୍ଥିତି ଏମିତି ହୋଇଛି ଟ୍ରମ୍ପଙ୍କୁ ନରମ ହେବାକୁ ମଧ୍ୟ ପଡ଼ିଛି। 98ରେ ଭାରତ ଆଣବିକ ପରୀକ୍ଷା କରିବା ପରେ ଆମେରିକା ସିଧାସଳଖ କଟକଣା ଲଗାଇଥିଲା ଆଉ ସେତେବେଳେ ଭାରତକୁ ଅନେକ ବାର ଚେଷ୍ଟା କରି ଆମେରିକାକୁ ମନେଇବାକୁ ପଡ଼ିଥିଲା। ରୁଷ ଠାରୁ ଦୂରେଇ ଭାରତ ଆମେରିକା ଆଡକୁ ଢଳିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସେତେବେଳର ମନମୋହନ ସରକାର ସମୟରେ ଭାରତ0ଆମେରିକାର ସଂପର୍କରେ ନୂଆ ଅଧ୍ୟାୟ ଯୋଡ଼ି ହୋଇଥିଲା।ଦୁଇ ଦେଶ ମଧ୍ୟରେ ନ୍ୟୁକ୍ଲିୟାର ଡିଲ୍ ସେତେବେଳେ ସ୍ବାକ୍ଷରିତ ହୋଇଥିଲା। ତେବେ ମୋଦି କ୍ଷମତାକୁ ଆସିବା ସହିତ ଏହି ସଂପର୍କର ଧାରା ଆହୁରି ଆଗକୁ ଯାଇଥିଲା ଏବଂ ଟ୍ରମ୍ପଙ୍କ ସହିତ ମୋଦିଙ୍କର ବ୍ୟକ୍ତିଗତ ସଂପର୍କ ଗଢି ଉଠିଥିଲା। ଏଭଳି ସମୟରେ ହଠାତ ସଂପର୍କ ତିକ୍ତ ହୋଇନି, ପରସ୍ପରକୁ ଚ୍ୟାଲେଞ୍ଜ ମଧ୍ୟ ଦେଇଛନ୍ତି । ଏହା କେମିତି ସମ୍ଭବପର ହେଲା,ଯେ ମୋଦି ଟ୍ରମ୍ପଙ୍କୁ ଦୁଇ ଶିଙ୍ଗରେ ଧରିଲେ। ବେଶ କିଛି ଦିନ ଧରି ଅଡିକି ମଧ୍ୟ ରହିପାରିଛନ୍ତି ।
ଏହା ଦିନାଦିନ ହୋଇନାହିଁ । ଏହା ପଛରେ ଭାରତର ସୁଚିନ୍ତିତ ରଣନୀତି ଥିଲା। ଭାରତ ବର୍ଷ ବର୍ଷ ଧରି ଏଥିପାଇଁ ପ୍ରସ୍ତୁତ ହୋଇ ଆସିଥିଲା । ଏମିତି ଏକ ଦିନ ଆସିବ ଯେତେବେଳେ ଆମେରିକା ଅସ୍ବାଭାବିକ ଆଚରଣ କରିପାରେ ତାହା ଅନୁମାନ କରି ରଖିଥିଲା ଭାରତ, ସେହି ଅନୁସାରେ ଆଗୁଆ ପ୍ରସ୍ତୁତ ହୋଇଥିଲା । ଆସନ୍ତୁ ନଜର ପକାଇବା ଭାରତ କି କି ପଦକ୍ଷେପ ନେଇଥିଲା।
- ମୋଦି ପ୍ରଥମଥର କ୍ଷମତାକୁ ଆସିବା ପରେ କିଛି ନିର୍ଦ୍ଦିଷ୍ଟ ଟାସ୍କ ନେଇଥିଲେ, ସେଥିରେ ପ୍ରାଥମିକତା ଥିଲା ବିଦେଶୀ ଶକ୍ତି ଉପରୁ ନିର୍ଭର ଶୀଳତା ହ୍ରାସ କରିବା । ସେହି ଅନୁସାରେ ରଣନୀତି ପ୍ରସ୍ତୁତ କରାଯାଇଥିଲା। ମେକ୍ ଇନ ଇଣ୍ଡିଆ କାର୍ଯ୍ୟକ୍ରମକୁ ଜୋର ଦିଆଯାଇଥିଲା।
- ଭାରତର ବିଶାଳ ଜନ ସମୁଦାୟ, ଭାରତର ଯୁବପୀଢ଼ି ବିଦେଶ ଯାଉଥିବା ନାଗରିକଙ୍କୁ ନେଇ ଏକ ପ୍ଲାନ ପ୍ରସ୍ତୁତ କରାଯାଇଥିଲା। ଭାରତର ବିଶାଳ ମାର୍କେଟକୁ କେହି ବାହାରୁ ଆସି ନିୟନ୍ତ୍ରଣ କରିପାରିବନି, ସେମିତି କିଛି ରଣନୀତି ପ୍ରସ୍ତୁତ ହୋଇଥିଲା।
- ପ୍ରତିରକ୍ଷା ଦୃଷ୍ଟି କୋଣରୁ ଭାରତ ନିଜର ସାମର୍ଥ୍ୟ ବଢ଼ାଇଥିଲା। ଏଥିସହିତ ଆମେରିକା ଅପେକ୍ଷା ଫ୍ରାନ୍ସ, ରୁଷ, ଇସ୍ରାଏଲ ଭଳି ଦେଶ ସହିତ ସମାନ୍ତରଳ ସାମରିକ ସଂପର୍କ ବଢ଼ାଇଥିଲା ଭାରତ।
- ବାଣିଜ୍ୟ କାରବାର ବୃଦ୍ଧି କରିବା ପାଇଁ ଭାରତ ଏକାଧିକ ଦେଶ ସହିତ ଟ୍ରେଡ ଡିଲ୍ କରିଛି, ଜାପାନ, ଅଷ୍ଟ୍ରେଲିଆ, ଆରବ ଦେଶ ସମୁହ, ବ୍ରିଟେନ ଓ ୟୁରୋପୀୟ ଦେଶଗୁଡ଼ିକ, ଏପରିକି ଆଫ୍ରିକୀୟ ଦେଶଗୁଡ଼ିକୁ ନିଜର ମାର୍କେଟ ଭାବେ ପ୍ରସ୍ତୁତ କରିଥିଲା ଭାରତ । ତେଣୁ ଟ୍ରମ୍ପ କଟକଣା ଲଗାଇବା ବେଳକୁ ଭାରତ ବିକଳ୍ପ ବଜାର ପ୍ରସ୍ତୁତ କରି ରଖିଥିଲା। ଏପରିକି ଆମେରିକାର ଭାରତ ଉପରେ ଅଧିକ ନିର୍ଭରଶୀଳତା ବଢ଼ିଯାଇଛି। ଯେଉଁଥିପାଇଁ ଟ୍ରମ୍ପ ନିଜ ଦେଶରୁ ଅଧିକ ସମାଲୋଚନାର ଶିକାର ହୋଇଛନ୍ତି।
- ଡଲାରକୁ ଜବାବ ଦେବାପାଇଁ ଡିଜିଟାଲ ଇଣ୍ଡିଆ ବଡ଼ ସହଯୋଗ କରିଛି । ଆନ୍ତର୍ଜାତିକ ବଜାରରେ ସବୁ କିଛି କାରବାର ଡଲାରରେ କରାଯିବାକୁ ବହୁ ଦେଶ ବିରୋଧ କରିବା ଆରମ୍ଭ କରିଥିଲେ। ଏପରିକି ବ୍ରିକସ ଦେଶଗୁଡ଼ିତ ଏନେଇ ସୁଚିନ୍ତିତ ପ୍ଲାନ ମଧ୍ୟ କରିଥିଲେ। ତେଣୁ ଡଲାରର ମୂଲ୍ୟବୃଦ୍ଧି ଘଟିଥିଲେ ମଧ୍ୟ ଭାରତ ଡଲାରରେ କାରବାର କରିବାକୁ ବାଧ୍ୟ ହୋଇନଥିଲା।
- ୟୁପିଆଇ ଟ୍ରାନଜାକ୍ସନ ଯୋଗୁଁ ମଧ୍ୟ ଏକ ବିଶାଳ ଡିଜିଟାଲ ମନି ମାର୍କେଟ ଗତିଶୀଳ ହେଲା ଏଥିରେ ମଧ୍ୟ ଡଲାର ଉପରେ ନିର୍ଭରଶୀଳତା କମିଥିଲା।
ଏମିତି ଆହୁରି ଅନେକ କାରଣ ରହିଛି ଯାହା ଉଲ୍ଲେଖ କରାଯାଇପାରିବ। ଯଦି ଆପଣ କିଛି ଜାଣିଛନ୍ତି କମେଣ୍ଟ ବକ୍ସରେ ଲେଖିପାରିବେ। ତେବେ ଗୋଟିଏ କଥା ହେଉଛି ଭାରତ ଆର୍ଥିକ ସୁପରପାୱାର ହେବା ସହିତ ଜିଓ ପଲିଟିକାଲ ଦୃଶ୍ୟପଟ୍ଟରେ ନିଜର ସ୍ଥିତି ମଜଭୁତ କରିବାରେ ଲାଗିଛି। ଏଭଳି ସମୟରେ ବାଟ ଓଗାଳିବାକୁ ତ ଅନେକ ଆସିବେ ସେଥିପାଇଁ ଭାରତ ପ୍ରସ୍ତୁତ ହୋଇ ରହିଥିଲା।
ଓଡ଼ିଆ ଫିଲ୍ମ ଲାଫିଙ୍ଗ ବୁଦ୍ଧ ଏହିଠାରେ ଦେଖନ୍ତୁ, ପସନ୍ଦ ଆସିଲେ ସବସ୍କ୍ରାଇବ କରିବାକୁ ଅନୁରୋଧ