୩ ବର୍ଷ ଧରି ହୋଇଥିଲେ ଘରୋଇ ହିଂସାର ଶିକାର, ଛାଡ଼ପତ୍ର ଦେଇ କଲେ ନୂଆ ଆରମ୍ଭ, ଆଜି ପୋଲିସ ଅଫିସର…

ନୂଆଦିଲ୍ଲୀ, ୨୦/୦୨ : ଦିନେ ସ୍ଵାମୀ ଠାରୁ ହେଉଥିଲେ ଅତ୍ୟାଚାରିତ, ଅପମାନିତ। ବିବାହିତ ଜୀବନ ପ୍ରତି ଆସିଯାଇଥିଲା ବିତୃଷ୍ଣା ଭାବ। ଆତ୍ମହତ୍ୟା କରିବାକୁ ମଧ୍ୟ କରିଥିଲେ ଉଦ୍ୟମ। ହେଲେ ବିଚାର ବଦଳାଇଦେଲା ଦୃଢ ମନୋବଳ। ଏ ହେଉଛି କେରଳର କୋଝିକୋଡରେ ରହୁଥିବା ନୌଜିଶାଙ୍କ କାହାଣୀ। ଆଜି ନିଜ ଗୋଡ଼ରେ ଠିଆ ହେବ ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ୩୨ ବର୍ଷୀୟା ନୌଜିଶା।

କମ୍ପ୍ୟୁଟର ଆପ୍ଲିକେସନରେ ଏମ.ଏ କରିଥିବା ନୌଜିଶା ଜଣେ ଗେଷ୍ଟ ଲେକଚରର ଭାବେ ଚାକିରୀ କରୁଥିଲେ। ୨୦୧୩ରେ ତାଙ୍କର ବିବାହ ହୋଇଥିଲା। ଏହାପରେ ତାଙ୍କ ଜୀବନରେ ଦୁଃଖର କଳା ବାଦଲ ମାଡ଼ି ବସିଥିଲା। ବିବାହ ପୂର୍ବରୁ ଚାକିରୀ କରିବା ପାଇଁ ସ୍ଵାମୀ ରାଜିଥିଲେ। ହେଲେ ବିବାହ ପରେ ନୌଜିଶାଙ୍କୁ ଘରେ ରହିବାକୁ କହିଥିଲେ। ନୌଜିଶା ସ୍ଵାମୀଙ୍କ କଥା ମାନି ଘରେ ରହୁଥିଲେ। ହେଲେ ସ୍ଵାମୀଙ୍କର ଅତ୍ୟାଚାର ଆରମ୍ଭ ହୋଇଗଲା। ଟିକେ ଟିକେ କଥାରେ ନୌଜିଶାଙ୍କ ସ୍ଵାମୀ ତାଙ୍କୁ ମାଡ଼ ମାରୁଥିଲେ। ଏଥିପାଇଁ ସେ କୂଅକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ହେଲେ କୂଅ ନିକଟକୁ ଯାଇ ତାଙ୍କ ପାଦ ପଛକୁ ଫେରି ଆସିଥିଲା।

୩ ବର୍ଷ ଧରି ଅତ୍ୟାଚାରିତ ହେବା ପରେ ନୌଜିଶା ନିଜ ଗୋଡ଼ରେ ନିଜେ ଠିଆ ହେବା ପାଇଁ ଚେଷ୍ଟା କରିଥିଲେ। ୧ ବର୍ଷର ପୁଅକୁ ସାଙ୍ଗରେ ଧରି ସେ ସ୍ଵାମୀଙ୍କ ଘର ଛାଡ଼ିଥିଲେ। ଏହି ନିଷ୍ପତ୍ତିରେ ତାଙ୍କ ବାପା-ମାଆ ସାଥ ଦେଇଥିଲେ। ଛାଡପତ୍ର ପରେ ନୌଜିଶା ତାଙ୍କ ଜୀବନରେ ଆଗକୁ ବଢିବାକୁ ନିଷ୍ପତ୍ତି ନେଇଥିଲେ। ଏହା ସହ ସେ ପ୍ରତିଯୋଗୀତାମୂଳକ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କଲେ।

ନୌଜିଶା କେରଳ ପୁଲିସ ପାଇଁ ଆବେଦନ କରି ପରୀକ୍ଷା ଦେଇଥିଲେ। ଏଥିରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏବେ ସେ ସିଭିଲ ପୋଲିସ ଫୋର୍ସରେ ସାମିଲ ଅଛନ୍ତି। ଲୋକଙ୍କ ସୁରକ୍ଷା ଦାୟିତ୍ଵ ନିଜ କାନ୍ଧକୁ ନେଇଛନ୍ତି। ଆଜି ଅନ୍ୟ ମହିଳାମାନଙ୍କ ପାଇଁ ସେ ଉଦାହରଣ ପାଲଟିଛନ୍ତି।

Leave a Reply

Your email address will not be published. Required fields are marked *