ନୂଆଦିଲ୍ଲୀ, ୨୩/୧୨ : ଗାଁର ରୂପରେଖ ବଦଳାଇଦେଲେ ମହିଳା ସରପଞ୍ଚ। ପ୍ଲାଷ୍ଟିକ ମୁକ୍ତ ହେଲା ଗାଁ। ଏବେ ସବୁଠି ପରିଷ୍କାର ପରିଚ୍ଛନ୍ନତା। କଚରା ଉଠାଇବା ପାଇଁ ଗାଁରେ ତିଆରି ହୋଇଛି ପ୍ଲାଷ୍ଟିକ ବ୍ୟାଙ୍କ। ଉତ୍ତର ପ୍ରଦେଶର ରାଜପୁରରେ ଦେଖିବାକୁ ମିଳିଛି ଏଭଳି ଚିତ୍ର।
ରାଜସ୍ଥାନର ଜନ୍ମିତ ପ୍ରିୟଙ୍କା ତିୱାରୀଙ୍କ ବିବାହ ୨୦୧୯ରେ ହୋଇଥିଲା। ବିବାହ ପରେ ସେ ଉତ୍ତର ପ୍ରଦେଶର ଏକ ଗ୍ରାମ ରାଜପୁରରେ ରହୁଥିଲେ। ଏହି ସମୟରେ ସେ ଗାଁରେ ଥିବା ବିଭିନ୍ନ ସମସ୍ୟାକୁ ନେଇ ଅବଗତ ହୋଇଥିଲେ ଏବଂ ଗାଁର ରୂପରେଖ ବଦଳାଇବା ପାଇଁ ମନସ୍ଥ କରିଥିଲେ। ଏଥିପାଇଁ ପ୍ରିୟଙ୍କା ୨୦୨୧ରେ ପଞ୍ଚାୟତ ନିର୍ବାଚନ ଲଢିଥିଲେ। ନିର୍ବାଚନରେ ବିଜୟୀ ହେବା ପରେ ଶପଥ ଗ୍ରହଣ ଦିନ ପ୍ରିୟଙ୍କା ଗାଁରେ ପ୍ଲାଷ୍ଟିକ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏହା ଏକ ଲମ୍ଵା ପ୍ରକ୍ରିୟା ହୋଇଥିଲେ ମଧ୍ୟ ପ୍ରିୟଙ୍କାଙ୍କ ବିଶ୍ଵାସ ଥିଲା ଯେ ଦିନେ ନା ଦିନେ ଏହାକୁ ମୂଳପୋଛ କରାଯାଇ ପାରିବ।
ଏଥିପାଇଁ ପ୍ରିୟଙ୍କା ବହୁ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଥିଲେ। ସର୍ବ ପ୍ରଥମେ ଲୋକମାନଙ୍କୁ ସଚେତନ କରିବା ପାଇଁ ଦୋକାନୀ ଏବଂ ଘରେ ଘରେ କପଡ଼ା ବ୍ୟାଗ ବଣ୍ଟାଯାଇଥିଲା। ପ୍ଲାଷ୍ଟିକ ବ୍ୟବହାର କଲେ ଜରିମାନା ଆଦାୟ କରାଯିବ ବୋଲି ନିୟମ ଲାଗୁ କରାଯାଇଥିଲା। ଏହା ସହ ପ୍ଲାଷ୍ଟିକ ଦ୍ଵାରା ହେଉଥିବା ପ୍ରଦୂଷଣ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯାଇଥିଲା। ଏହି କାରଣରୁ ରାଜପୁରରେ ୩୦ ରୁ ୩୫ ପ୍ରତିଶତ ପ୍ଲାଷ୍ଟିକ ବ୍ୟବହାର ହ୍ରାସ ପାଇଥିଲା।
ଏହାପରେ ଗାଁକୁ ପରିଷ୍କାର ରଖିବା ପାଇଁ ୨ କିଲୋ ପ୍ଲାଷ୍ଟିକକୁ ୨ ଟଙ୍କାରେ କିଣିବା ପାଇଁ ପ୍ରୋତ୍ସାହିତ କରିଥିଲେ। ଏହାପରେ ଧୀରେଧୀରେ ଗାଁରେ ୭୦ ରୁ ୭୫ ପ୍ରତିଶତ ପ୍ଲାଷ୍ଟିକ ବ୍ୟବହାର କମିଥିଲା। ତେବେ ଆସନ୍ତା ୨ ବର୍ଷ ମଧ୍ୟରେ ଗାଁରୁ ୯୫ ପ୍ରତିଶତ ପ୍ଲାଷ୍ଟିକ ମୁକ୍ତ କରିବାକୁ ପ୍ରିୟଙ୍କା ସ୍ଵପ୍ନ ଦେଖିଛନ୍ତି। କଚରା ଉଠାଇବା ପାଇଁ ଗାଁରେ ପ୍ଲାଷ୍ଟିକ ବ୍ୟାଙ୍କ ଲଗାଯାଇଛି। ପ୍ରିୟଙ୍କାଙ୍କ ଠାରୁ ଉତ୍ସାହିତ ହୋଇ ଉତ୍ତର ପ୍ରଦେଶ ସରକାର ଏକ ପ୍ଲାଷ୍ଟିକ ସଂଗ୍ରହ କେନ୍ଦ୍ର ଖୋଲିଛନ୍ତି।