‘ଶଲା ବୁଢ଼ା’ ଚାଲିଗଲେ କିନ୍ତୁ ଛାଡ଼ିଗଲେ ଅଧୁରା ସ୍ବପ୍ନ

 

ତାଙ୍କୁ ଥରେ ଯିଏ ଦେଖିଥିବ ସେ ଏକ ଅଜବ ସମ୍ମୋହନରେ ପଡ଼ିଯିବ ।  ତାଙ୍କ ସହିତ କଥା ହେଲେ ତାଙ୍କ ନିଶ୍ଚୟ ତାଙ୍କର ଫ୍ୟାନ ହୋଇଯିବ।  ନିଜର ପରିଣତ ବୟସରେ ବି ସେ ସୃଷ୍ଟି କରିପାରିଥିଲେ ଅଭିନୟର ଏକ ନୂଆ ଧାରା ।  ସେହି ଧାରାରେ ସେ ଓଡ଼ିଆ ସିନେମାକୁ ପହଞ୍ଚାଇପାରିଥିଲେ ସାତ ଦରିଆପାରି ।   ପଶ୍ଚିମ ଓଡ଼ିଶାର ପ୍ରତିଷ୍ଠିତ ଅଭିନେତା ଲେଖକ , ଯାହାଙ୍କୁ ଶରଧାରେ ଲୋକେ ଡାକନ୍ତି ଶଲା ବୁଢ଼ା ସେହି ଲୋକ ପ୍ରିୟ ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କର ପରଲୋକ ହୋଇଯାଇଛି। ଗତ କିଛି ଦିନ ଧରି ସେ ଅସୁସ୍ଥ ଥିଲେ। ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ଡାକ୍ତରଙ୍କ ଶତ ଚେଷ୍ଟା ଓ ତାଙ୍କର ପ୍ରଶଂସକମାନଙ୍କର ଅଗଣିତ ପ୍ରାର୍ଥନା ସତ୍ତ୍ବେ ତାଙ୍କର ଅଭିନୟକୁ ଶେଷ କରି ସେ ଆରପାରିକୁ ଚାଲିଯାଇଛନ୍ତି । ତାଙ୍କୁ 92 ବର୍ଷ ହୋଇଥିଲା ।

82 ବର୍ଷ ବୟସରେ ସେ ସବ୍ୟଶାଚୀ ମହାପାତ୍ରଙ୍କ ଶଲାବୁଢ଼ାରେ ଟାଇଟେଲ ରୋଲରେ ଆସିଥିଲେ । ଫିଲ୍ମଟି ସଫଲତା ପାଇବା ସହିତ ପରେ ପରେ ସେ ଶଲାବୁଢ଼ା ସିରିଜର ତିନିଟି ଫିଲ୍ମ ଆଦିମ ବିଚାର, ଶଲାବୁଢ଼ାର ବଦଲା ଫିଲ୍ମରେ ମଧ୍ୟ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲା । ଏଥିପାଇଁ ସେ ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ଉଚ୍ଚ ପ୍ରଶଂସିତ ହେବା ସହିତ ରାଜ୍ୟ ସରକାରଙ୍କ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ଅଭିନେତା ଭାବେ ବିବେଚିତ ହୋଇଥିଲେ ।  ଅଟଳ ବିହାରୀ ପଣ୍ଡାଙ୍କ ଦେହାନ୍ତରେ ନିର୍ଦ୍ଦେଶକ ସବ୍ୟଶାଚୀ ମହାପାତ୍ର କହିଛନ୍ତି ସେ ତାଙ୍କର ସ୍ବପ୍ନ ହରେଇ ଦେଇଥିଲେ । ସଲାବୁଢ଼ା ସିରିଜରେ ସେ ଆହୁରି ଫିଲ୍ମ ତିଆରି କରିବା ଲାଗି ଇଚ୍ଛା ରଖିଥିଲେ ଯେଉଁଥିରେ ଅଟଳ ବିହାରୀ ପଣ୍ଡା ହିଁ ଅଭିନୟ କରିଥାନ୍ତେ। ତାଙ୍କୁ ସାରା ଓଡ଼ିଶା ମନେ ରଖିବ।

ମଞ୍ଚ ଦୁନିଆରେ ନିଜର ଅଭିନୟ ଜୀବନ ଆରମ୍ଭ କରିଥିବା ଅଟଳ ବିହାରୀ ପଣ୍ଡା ପଶ୍ଚିମ ଓଡ଼ିଶାର ନାଟ୍ୟଜଗତର ଜଣେ ପରିଚିତ ନାଁ ଥିଲେ । ସେ ଅନେକ ଗୁଡିଏ ନାଟକ ମଧ୍ୟ ରଚନା କରିଛନ୍ତି। ତେବେ ଚଳଚ୍ଚିତ୍ର ହିଁ ତାଙ୍କୁ ଦେଶ ବିଦେଶରେ ପରିଚିତ କରାଇଥିଲା । ତାଙ୍କ ପାଖରେ ଅଭିନୟର ଏକ ଝୁଙ୍କ ଥିଲା ଏବଂ ସୁଟିଂ ସେଟରେ ତାଙ୍କୁ ଦେଖିଲେ ଲାଗୁ ହିଁ ନଥିଲା ସେ 80 ବର୍ଷରୁ ଉର୍ଦ୍ଧ୍ବ ବୟସ୍କ । ବଡ଼କଥା ହେଲା ଏତେ ବୟସ୍କ ଅଭିନେତା ହେଲେ ବି କ୍ୟମେରାମ୍ୟାନ ଓ ନିର୍ଦ୍ଦେଶକଙ୍କ ପାଖରେ ବିଲକୁଲ ଛୋଟ ପିଲା ହୋଇଯାଇଥାନ୍ତି ବୋଲି ଚଳଚ୍ଚିତ୍ର ନିର୍ଦ୍ଦେଶକ ମିହିର ରଞ୍ଜନ ଆଚାର୍ଯ୍ୟ କୁହନ୍ତି । ଆଦିମ ବିଚାର ସୁଟିଂ ସମୟରେ ତାଙ୍କୁ ଭେଟିଥିଲେ ଏବଂ ସେ ତାଙ୍କର ବ୍ୟକ୍ତିତ୍ବରେ ଖୁବ ପ୍ରଭାବିତ ହୋଇଥିଲେ ବୋଲି ସେ କୁହନ୍ତି । ତାଙ୍କର ବିୟୋଗ ଚଳଚ୍ଚିତ୍ର ଜଗତ ପାଇଁ ଅପୂରଣୀୟ କ୍ଷତି।

ସେପ୍ଟିସେମିଆରେ ପୀଡ଼ିତ ହୋଇ ଅଟଳ ବିହାରୀ ପଣ୍ଡା ଭିମସାରରେ ଚିକିତ୍ସାଧୀନ ଥିଲେ। ତେବେ ଶନିବାର (5 ଜୁନ) ଭୋରରୁ ତାଙ୍କର ପରଲୋକ ହୋଇଯାଇଛି ।  ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଅଟଳ ବିହାରୀ ପଣ୍ଡାଙ୍କ ପରଲୋକରେ ଟ୍ବିଟ କରି ଦୁଃଖ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *