ବାହୁଡ଼ା ବେଳକୁ ଓଡ଼ିଆ ସିନେ ଦର୍ଶକଙ୍କ ପାଇଁ 2 ସିନେମାରେ ରହିଛନ୍ତି ଜଗନ୍ନାଥ
ବହୁ ବର୍ଷ ପରେ ଓଡ଼ିଆ ସିନେମା ବଜାର ରଜକୁ ମନଭରି ଉପଭୋଗ କରିଛି । ସିନେ ପ୍ରେମୀ 2ଟି ଓଡ଼ିଆ ଫିଲ୍ମକୁ ପସନ୍ଦ କରିବା ସହିତ ଏହାର ବିଜନେସରେରେ କିଛି କିଛି ନିଜର ଯୋଗଦାନ କରିଛନ୍ତି । ସବ୍ୟସାଚୀ ମହାପାତ୍ରଙ୍କ ଅନନ୍ତା ଏବଂ ବାବୁ ଶାନ ମହାନ୍ତିଙ୍କ ବୋଉ ବୁଟୁ ଭୂତ ଦର୍ଶକଙ୍କୁ ଗଭୀର ଭାବେ ପ୍ରଭାବିତ କରିଥିବା ବେଳେ ଏହି ଦୁଇ ଫିଲ୍ମ ନିଜର ବିଜୟ ଯାତ୍ରା ଜାରି ରଖିଛନ୍ତି । ରଥଯାତ୍ରା ବେଳକୁ ଆସୁଛି ଦୁଇଟି ଓଡ଼ିଆ ଫିଲ୍ମ ଯେଉଁଥିରେ ରହିଛି ମୌଳିକ କାହାଣୀ ଏବଂ ଓଡ଼ିଶାର ସଂସ୍କୃତି ଓ ପରମ୍ପରା । ବଡ କଥା ହେଉଛି ଉଭୟ ଫିଲ୍ମରେ ରହିଛି ଜଗନ୍ନାଥଙ୍କ କଥା । ଅବଶ୍ୟ ଉଭୟ ଫିଲ୍ମ ରଥଯାତ୍ରା ନୁହେଁ ବାହୁଡ଼ା ସମୟରେ ରିଲିଜ ହେବାକୁ ଯାଉଛି ।
ବାହୁଡ଼ା ଯାତ୍ରା ଅବସରରେ ରିଲିଜ ହୋବାକୁ ଯାଉଛି ଦୁଇଟି ଓଡ଼ିଆ ଫିଲ୍ମ, ଯାହା ଓଡ଼ିଶାର ଆରଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉପରେ ଆଧାରିତ । ଓଡ଼ିଆ ଫିଲ୍ମ ‘ନବକଳେବର’ ଓ ‘ଆଇ ଆମ୍ କାଳିଆ’ ଏହି ଦୁଇଟି ଫିଲ୍ମ ପରଦାକୁ ଆସିବାକୁ ଯାଉଛି । ପ୍ରଥମେ ନଜର ପକାଇବା ଓଡ଼ିଆ ଫିଲ୍ମ ‘ଆଇ ଆମ୍ କାଳିଆ’ ଉପରେ । ଲୀ ବ୍ଲିଶ ଏଣ୍ଟରଟେନମେଣ୍ଟ ବ୍ୟାନରରେ ପ୍ରସ୍ତୁତ ହୋଇଛି ‘ଆଇ ଆମ୍ କାଳିଆ’। ଜୀବନ ଯୌବନ ଓ କାଳିଆର ସମ୍ପର୍କକୁ ନେଇ ଏହି ସିନେମା ପ୍ରସ୍ତୁତ ହୋଇଥିବା ବେଳେ କାଳିଆକୁ ହୃଦୟରୁ ଭଲ ପାଉଥିବା ଏକ ଭକ୍ତର କାହାଣୀ ଏଥିରେ ଚିତ୍ରିତ ହୋଇଛି । ଫିଲ୍ମର ଟ୍ରେଲର ଦେଖିଲେ ଲାଗୁଛି ଏଥିରେ ପୁରୀର କିଛି କଳା ସଂସ୍କୃତିକୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ସହିତ ଯୋଡ଼ିବାକୁ ଚେଷ୍ଟା କରାଯାଇଛି । ଏଥିରେ ପୁରୀର ସ୍ୟାଣ୍ଡ ଆର୍ଟ ଥିବା ବେଳେ ଜଣେ ବିଦେଶୀଙ୍କ ପ୍ରେମରେ କେମିତି ପଡ଼ିଛି ଏହି ସ୍ୟାଣ୍ଡ ଆର୍ଟିଷ୍ଟ ଏମିତି କିଛି ଦେଖିବାକୁ ମିଳିଛି । ତେବେ ଟ୍ରେଲରରୁ ମଧ୍ୟ ଏ ଆଭାସ ମିଳୁଛି ଯେ ଏକ ସାଧାରଣ ପ୍ରେମ କାହାଣୀଠାରୁ ଏହା ଆଉ କିଛି ଉର୍ଦ୍ଧରେ ରହିଛି ଦର୍ଶକଙ୍କୁ ଛୁଇଁବାକୁ ଚେଷ୍ଟା କରୁଛି ।
‘ଆଇ ଏମ୍ କାଳିଆ’ର ମୁଖ୍ୟ ଚରିତ୍ରରେ ହରିହର ମହାପାତ୍ର ରହିଥିବା ବେଳେ ତାଙ୍କୁ ଏଥିରେ ଭିନ୍ନ ଭିନ ଚରିତ୍ରରେ ଦେଖିବାକୁ ମିଳିବ । ହରିଙ୍କର ମୁଣ୍ଡନ ଓ ସନ୍ଥ ବେଶ ହିଁ କାହାଣୀରେ ଟ୍ଵିଷ୍ଟ ଆଣିଥିବା ବେଳେ କାଳିଆ ପ୍ରତି ଥିବା ପ୍ରତିଟି ଭକ୍ତର ଭାବକୁ ଦର୍ଶାଇଛି । ସୁବାସ ସାହୁ ପ୍ରଯୋଜିତ “ଆଇ ଏମ୍ କାଳିଆ” ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ରରେ ହରିହର ମହାପାତ୍ର, ରୁଷିଆର ଜଣେ ପ୍ରଖ୍ୟାତ ଥିଏଟର ଅଭିନେତ୍ରୀ ଅନିୟା, ବରିଷ୍ଠ ଅଭିନେତା କୁନା ତ୍ରିପାଠୀ, ଅଭିନେତ୍ରୀ ପୁଷ୍ପା ପଣ୍ଡା, ସାତ୍ତ୍ୱିକ ମିଶ୍ର ଏବଂ ଅନ୍ୟମାନେ ଅଭିନୟ କରିଛନ୍ତି ।
କାହାଣୀ ଡଃ ମୋନାଲିସା ମହାପାତ୍ର ରଚନା କରିଛନ୍ତି । ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ହରିହର ମହାପାତ୍ର ଦେଇଥିବା ବେଳେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାଶ । ସହ-ନିର୍ଦ୍ଦେଶକ ଆଶିଷ ବେହେରା, ଚିତ୍ରଉତ୍ତୋଳନ କରିଛନ୍ତି କାହ୍ନୁ ନନ୍ଦ ଶୁଭମ । ପ୍ରଡ଼କସନ ଡିଜାଇନ ସାରଦା ନାୟକ କରିଥିବା ବେଳେ ଉପଦେଷ୍ଟା ଅଛନ୍ତି ଅମୀୟ ମହାରଣା । ଶ୍ରୀକ୍ଷେତ୍ର ପୁରୀରେ ସିନେମାଟି ସମ୍ପୂର୍ଣ୍ଣ ସୁଟିଂ ହୋଇଛି।ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ଜଣେ ବିଦେଶିନୀ ଅଭିନେତ୍ରୀଙ୍କୁ ନେଇ ଏହା ଦ୍ବିତୀୟ ଓଡ଼ିଆ ସିନେମା ।
ଜୁଲାଇ ୪ ତାରିଖରେ ମୁକ୍ତିଲାଭ କରିବ ଓଡ଼ିଆ ଫିଲ୍ମ ‘ନବକଳେବର’ । ପ୍ରତି ଓଡ଼ିଆଙ୍କ ପ୍ରାଣର ଠାକୁର ଜଗନ୍ନାଥଙ୍କର ନବକଳେବର କାହିଁକି ହୋଇଥିଲା କେମିତି କରାଯାଇଥିଲା ତାର ଇତିହାସକୁ ନେଇ ଚଳଚିତ୍ର ପ୍ରସ୍ତୁତ ହୋଇଛି । ଯାହାର ନିର୍ଦ୍ଦେଶନା ଦେଇଛନ୍ତି ବିନି ସାମଲ । ବିନି ସାମଲ ପ୍ରାୟ ୩ବର୍ଷ ଧରି ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ ନିର୍ମାଣରେ ମନୋନିବେଶ କରିଥିଲେ । ଜଗନ୍ନାଥଙ୍କ ମହିମା ଆଧାରିତ ଏହି ବହୁତାରକା ସିନେମା ଜରିଆରେ ନିର୍ଦ୍ଦେଶନା କ୍ୟାରିୟର ଆରମ୍ଭ କରିଛନ୍ତି ବିନି ।
ସାଇ ଶ୍ରଦ୍ଧା ପ୍ରଡକ୍ସନ ବ୍ୟାନରରେ ଏହି ଫିଲ୍ମ ପ୍ରସ୍ତୁତ ହୋଇଥିବା ବେଳେ ଏହାର ପୋଷ୍ଟ ପ୍ରଡକ୍ସନ କାର୍ଯ୍ୟ ଶେଷ ହୋଇଛି । ବଡ ବ୍ୟାନରରେ ଜଗନ୍ନାଥ ସଂସ୍କୃତି ଓ ଇତିହାସର ଅନେକ ଅକୁହା କଥାକୁ ନେଇ ସିନେମାଟି ବାହୁଡ଼ାରେ ପରଦାକୁ ଆସୁଥିବା ବେଳେ ପ୍ରତି ଓଡ଼ିଆଙ୍କ ମନକୁ ଏହା ଛୁଇଁବ ବୋଲି କହିଛନ୍ତି ବିନି ସାମଲ । ଭକ୍ତି ରସ ଭରା ଏହି ଫିଲ୍ମକୁ ପୂର୍ବରୁ ଦର୍ଶକ ନାଟକ ମାଧ୍ୟମରେ ଭଲ ପାଇବା ଦେଇଥିବା ବେଳେ ବଡ କାନଭାସର ପ୍ରସ୍ତୁତ ହୋଇଥିବା ସିନେମା ବି ଭଲ ଲାଗିବ ବୋଲି କହିଛନ୍ତି ।
‘ନବକଳେବର’ ଫିଲ୍ମରେ ସିଦ୍ଧାନ୍ତ ମହାପାତ୍ର ଥିବା ବେଳେ , ଶ୍ରୀତମ ଦାସ, ପିଙ୍କି ପ୍ରଧାନ, ଅଶ୍ରୁମୋଚନ, ସୂର୍ଯ୍ୟମୟୀ, ଜ୍ୟୋତି, ଶିବାନୀ, ଅଂଶୁମାନ, ଦେବୁ ପଟ୍ଟନାୟକ, କେଦାର ମିଶ୍ର ମଧ୍ୟ ଏଥିରେ ଅଭିନୟ କରିଛନ୍ତି । ପ୍ରିୟଙ୍କା ସାହୁ ଓ କୁନା ତ୍ରିପାଠୀ ପ୍ରମୁଖ ଭୂମିକାରେ ଅଛନ୍ତି । ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାରପ୍ରାପ୍ତ ସାହିତ୍ୟିକ ଶଙ୍କର ତ୍ରିପାଠୀଙ୍କ ଏକ ଚର୍ଚ୍ଚିତ ନାଟକ ଆଧାରରେ ନିର୍ମିତ ହୋଇଥିବା ଏହି ସିନେମାରେ ମଳୟ ମିଶ୍ର ସଂଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ବବି ଇସ୍ଲାମ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି।
ତେବେ ଆଗାମୀ ରବିବାର ଆପଣ କେଉଁ ଓଡ଼ିଆ ଫିଲ୍ମ ଦେଖିବାକୁ ପସନ୍ଦ କରିବେ ନିଶ୍ଚୟ କମେଣ୍ଟ କରି ଜଣାନ୍ତୁ