ଇଣ୍ଟରନେଟରେ ଭିଡିଓ କିମ୍ବା ଫଟୋ ଯ଼ଦି ଭାଇରାଲ ହେଉଛି ଏବଂ ଏହାକୁ ନେଇ ନ୍ୟୁଜ ଓ ବିଶ୍ଳେଷଣ କରାଯାଉଛି , ତେବେ ଇଣ୍ଟରନେଟରେ ଭାଇରାଲ ହେଉଥିବା ଲେଖାକୁ ମଧ୍ୟ ଆପଣଙ୍କ ସାମ୍ନାକୁ ଆଣିବାକୁ ଚାହିଁଥିଲୁ l ହ୍ବାଟସ ଆପ ଗ୍ରୁପରେ ଏହି ଛୋଟ ଗପଟି ଭାଇରାଲ ହେଉଛି l ଗପଟିର ଲେଖା କାହାର ଜାଣିନାହୁଁ ତେବେ ସେହି ଅଜଣା ଲେଖକଙ୍କୁ କ୍ରେଡିଟ ଦେଉଛୁ l ଏଥିସହିତ ଏହି ଗଳ୍ପର ସତ୍ୟାସତ୍ୟ ବିଷୟରେ ମଧ୍ୟ ଆମେ ତର୍ଜମା କରିବା ଅପେକ୍ଷା ଏଥିରେ ଥିବା ସାରତତ୍ତ୍ବରୁ ଗୁରୁତ୍ବ ଦେଇ ଏଠାରେ ପ୍ରକାଶ କରୁଛୁ l
ଏହା ବହୁତ ବର୍ଷ ତଳର କଥା l ଶ୍ରୀମନ୍ଦିର ର ଦକ୍ଷିଣ ଦ୍ୱାର ଦେଇ ପଶ୍ଚିମ ଆଡକୁ ଲୋକନାଥ ଙ୍କ ମନ୍ଦିର ଯିବା ବାଟରେ ଏକ ପଂଜାବୀ ମଠ ପଡେ ll ବହୁତ ବର୍ଷ ପୂର୍ବରୁ ଜଣେ ପଂଜାବୀ ସାଧୁ ଆସି ସେଇ ମଠ ଟି କରିଥିଲେ l ସେ ମଠର ମହନ୍ତ ବୃଦ୍ଧ ହୋଇ ଯିବାରୁ ତାଙ୍କ ପରେ କିଏ ସେ ମଠର ମହନ୍ତ ହେବ ଭାବି ବହୁତ ଚିନ୍ତା ରେ ଥିଲେ l ସବୁଦିନେ ମହାପ୍ରଭୁ ଙ୍କୁ ଆକୁଳ ମିନତୀ କରନ୍ତି l ଦିନେ ରାତିରେ ପ୍ରଭୁ ନିଜେ ଆସି ସ୍ବପ୍ନ ରେ କହିଲେ, ଦେଖ କାଲି ସକାଳୁ ଉଠି ପ୍ରଥମେ ଯାହାକୁ ଦେଖିବୁ ସେ ହିଁ ତୋର ଉତ୍ତରାଧିକାରୀ ହେବ l
ବାବାଙ୍କ ନିଦ ହଠାତ ଭାଙ୍ଗିଗଲା l ପ୍ରଭୁ ନିଜେ ଆସି ମୋତେ ସ୍ବପ୍ନ ରେ ଦେଖାଦେଲେ l ଭାବି ଭାବି ସେ ଆଉ ଶୋଇ ପାରିଲେନି l ସକାଳ ହେଲାରୁ ଉଠି ଶୌଚ ହେବା ପାଇଁ ବାହାରକୁ ଗଲାବେଳେ ଦେଖିଲେ ଦଶ ବାର ବର୍ଷର ପିଲାଟିଏ ଗେଟ ବାହାରେ ଥିବା ମଣ୍ଡପ ଉପରେ ବସିଛି, ଦେହରେ ତାର ଗାମୁଛା ଟିଏ ଘୋଡେଇ ହୋଇଛି l ତାକୁ ଦେଖି ବାବାଙ୍କର ପ୍ରଭୁ ଙ୍କ ଆଦେଶ ମନେ ପଡିଗଲା , ଇଏ କଣ ସେହି ପିଲା କାଲି ରାତିରେ ଯାହା ପ୍ରଭୁ କହିଥିଲେ ?? ତାପାଖକୁ ଗଲା ବେଳକୁ ସେପିଲା ଉଠି ଯିବାକୁ ଲାଗିଲା l ବାବା ତାକୁ ଡାକିଲେ, ଏ ବାବା ! ଶୁଣ ତୋ ଘର କେଉଁଠିରେ? ତୋ ବାପା ମାଆ କିଏରେ ? ସେ ପିଲା ଠିଆ ହୋଇଗଲା l କହିଲା ତମର କଣ ଦରକାର ?? ମୁଁ ଜାଣି ନାହିଁ ମୋ ବାପ ମା କିଏ, ମୋ ଘର କେଉଁଠି l ବାବା ତାକୁ ଶାନ୍ତ ସ୍ୱର ରେ କହିଲେ ତୁ ଆମ ମଠ ରେ ରହିବୁ? ସେପିଲା କହିଲା ମୋତେ ଖାଇବାକୁ ଦେବ? ଜଣେ ଲୋକ ଘରେ ଥିଲି, ଠିକରେ ଖାଇବାକୁ ଦେଲାନାହିଁ l କହିଲା ତୁ ବହୁତ ଖାଉଛୁ , ମୁଁ ଦେଇ ପାରିବି ନାହିଁ l ମୁଁ ଅଧ କିଲେ ଚାଉଳ ର ଭାତ ଖାଇଦିଏ, ବାବା କହିଲେ ଯେତେ ଖାଇବୁ ମୁଁ ଦେବି, ଚାଲ ମଠରେ ରହିବୁ l ସକାଳୁ ଠାକୁର ପୂଜା ପାଇଁ ଫୁଲ ତୋଳିଦେବୁ, ଗାଈ ଅଛନ୍ତି ତାଙ୍କୁ ଖାଇବାକୁ ଦେବୁ l ସେପିଲା ଖୁସି ହୋଇ ମଠ ରେ ରହିଲା
ଦିନେ ବାବାଙ୍କୁ ଆସି ପଚାରିଲା, ବାବା! ଆଜି କଣ ରୋଷେଇ ହେଉନାହିଁ ମୁଁ କଣ ଖାଇବି ?? ବାବା କହିଲେ ଆଜି ରୋଷେଇ ବନ୍ଧ, ଆଜି ଏକାଦଶୀ ରେ ଅନ୍ନ ଖାଆନ୍ତି ନାହିଁ l ସେ ପିଲା କହିଲା ତାହେଲେ ମୁଁ ରହିବି ନାହିଁ ଚାଲିଲି l ବାବା କହିଲେ ରହ ତୋତେ ରୋଷେଇ କରି ଆସେ, ଆସିଲେ କଣହେବ ? ସେ ପିଲା କହିଲା l ତୁ ଡାଲି ଚାଉଳ ଓ ପରିବା ନେଇ ଏ ମଠ ବାହାରେ ଇଟା ପଥର ଥୋଇ କାଠ ନେଇ ସବୁ ମିଶେଇ ଖିଚୁଡ଼ି ରାନ୍ଧି ଖାଇଦେ l ଏଥର ବୁଲା ଖୁସି ହୋଇଗଲା l
ସବୁ ଜିନିଷ ନେଇ ରାନ୍ଧିଲା l ଖିଚୁଡ଼ି ର ବାସ୍ନାରେ ବୁଲା ର ଭୋକ ଅଧିକା ବଢିଗଲା l ସେ ବାବା ଙ୍କ ଠାରୁ ଯେମିତି ଶିଖିଥିଲା, ସେମିତି ଗୋଟିଏ ସ୍ଥାନ ପରିଷ୍କାର କରି ପାଣି ଛିଂଚିଲା , ପତ୍ରଟିଏ ପକାଇ ସବୁ ଖିଚୁଡ଼ି ସେଥିରେ ବାଢି ନେଲା l ବାବା ଖାଇବା ପୂର୍ବରୁ ପାଣି ବୁଲାନ୍ତି, ଦିନେ ବୁଲା ପଚାରି ଥିଲା, ଏମିତି ପାଣି କାହିଁକି ବୁଲାଉଛନ୍ତି l ବାବା କହିଥିଲେ ମୋ ଗୁରୁ ଙ୍କୁ ଖାଇବା ପାଇଁ ଡାକୁଛି l ବୁଲା ସେ କଥା ମନେ ପକାଇ ପାଣି ବୁଲାଇ ଡାକିଲା — ମୋ ଗୁରୁଙ୍କ ଗୁରୁ ଆସ ଖାଇବ କହି ତଳେ ମୁଣ୍ଡ ନୁଆଇଁ ଜୁହାର ହୋଇଉଠିଲା ବେଳକୁ ଦେଖିଲା ଜଣେ କାଳିଆ
ଲୋକ ସେ ଖିଚୁଡ଼ି ତକ ଖାଇବାରେ ଲାଗିଛନ୍ତି l ବୁଲା ଭୋକ ବିକଳରେ ଡାକ ପକେଇଲା ହେ ହେ ତୁମେ କିଏ ମୋ ଖାଇବା ଖାଇ ଦେଉଛ ?? ସେ ଲୋକ କହିଲେ ମୁଁ ତୋ ଗୁରୁଙ୍କ ଗୁରୁ ତୁ ପରା ଏବେ ମୋତେ ଡାକିଲୁ ଖାଇବା ପାଇଁ l ଦେଖୁ ଦେଖୁ ସବୁ ଖିଚୁଡ଼ି ଖାଇ ଦେଇ ସେ ଲୋକ କୁଆଡେ ପଳେଇଲେ ବୁଲା କାନ୍ଦି କି ଭୋକରେ ଆସି ବାବାଙ୍କୁ କହିଲା ଏମିତି ଗୁରୁ ତୁମର ସବୁ ଖିଚୁଡ଼ି ଖାଇଦେଲା, ମୋ ପାଇଁ କିଛି ରଖିଲା ନାହିଁ l ବାବା ଭାବିଲେ ଇଏସେତକ ଖାଇ ଆହୁରି ଖାଇବାକୁ ମାଗୁଛି, ବାବା କହିଲେ ଆଜି ତ ରୋଷେଇ ନାହିଁ ଚୁଡା ଖାଇକି ରହ l
ପନ୍ଦର ଦିନ ପରେ ବୁଲା ଆସି ପଚାରିଲା ବାବା ଆଜି କାହିଁକି ରୋଷଇ ହେଉନାହିଁ ?? ବାବା କହିଲେ ଆଜି ଏକାଦଶୀ l ବୁଲା ଚିଡିଯାଇ କହିଲା ତମର ମାସରେ କେତେଥର ଏକାଦଶୀ ହେଉଛିକି?? ବାବା ଶାନ୍ତ ଗଳାରେ କହିଲେ ମାସରେ ଦୁଇ ଥର ଏକାଦଶୀ ପଡେ , ତୁ ଏଥର ଡବଲ ଡାଲି ଚାଉଳ ଆଉ ପନିପରିବା ନେଇକି ଯା l
ବୁଲା ରୋଷେଇ ସାରି ଏଥର ଦୁଇଟା ପତ୍ର ପକାଇ ପାଣି ବୁଲାଇଲା, ମୁଣ୍ଡିଆ ମାରି ଉଠିଲା ବେଳକୁ ଦେଖିଲା ଗୋଟିଏ ପତ୍ରରେ ତାଗୁରୁଙ୍କ ଗୁରୁ ଅନ୍ୟ ପତ୍ରରେ ଜଣେ ସୁନ୍ଦରୀ ସ୍ତ୍ରୀ ଲୋକ ଟିଏ ଖାଇ ଚାଲିଛନ୍ତି l ସେ ପଚାରିଲା ହୋ ତୁମେ ପୁଣି କିଏ?? ଗୁରୁଙ୍କ ଗୁରୁ କହିଲେ ସିଏ ମୋ ସ୍ତ୍ରୀ ଲକ୍ଷ୍ମୀ l ମୁଁ ସେଦିନ ଖାଇକି ଯାଇ ଭଲ ହୋଇଥିଲା ଖିଚୁଡ଼ି କହିବାରୁ ଆଜି ଲକ୍ଷ୍ମୀ ପରା ଚାଖିବାକୁ ମୋ ସହିତ ଜିଦ କରି ଆସିଛନ୍ତି l ବୁଲା କାନ୍ଦ କାନ୍ଦ ହୋଇ ମଠ କୁ ଗଲା l ବାବା ପଚାରିଲେ କିରେ ଆଜି କଣ ହେଲା ? ତୁମ ଗୁରୁ ଆଉ ତାଙ୍କ ସ୍ତ୍ରୀ ସବୁ ଖାଇଦେଲେ ମୁଁ ଭୋକରେ ଆସିଲି, କଣ ଅଛି ଖାଇବାକୁ ଦିଅ l
ପୁଣି ତାପର ଏକାଦଶୀ ଦିନ ବାବା ମନ ଭିତରେ ବିରକ୍ତ ଥିଲେବି ବାହାରେ ପ୍ରକାଶ ନ କରି ତାକୁ ସବୁ ଜିନିଷ ଚାରି ଗୁଣା କରିଦେଲେ l ବୁଲା ଆଜି ବହୁତ ଖୁସି ହୋଇ ରୋଷେଇରେ ଲାଗିଗଲା, ତଳ ସଫା କରି ପାଣି ଛିଂଚିଲା ବେଳକୁ ଦେଖିଲା ବହୁତ ଲୋକ ପତ୍ର ପକାଇ ବସି ପଡିଲେ l ବୁଲା ତାଗୁରୁଙ୍କ ଗୁରୁ ଙ୍କୁ ଗାଳି ଦେଇ କହିଲା ତୁମେ ଜମାରୁ ଭଲ ଲୋକ ନୁହଁ, ତୁମ ଗାଁ ସାରା ଲୋକଙ୍କୁ ଆଜି ଡାକି ଆଣିଛ ?? ସେ କହିଲେ ଗାଁ ଲୋକଙ୍କୁ କେତେବେଳେ ଡାକିଲି ଇଏ ମୋ ବଡ ଭାଇ ବଳିଆ ନନା ଆଉ ଇଏ ମୋ ଗେଲ୍ଲୀ ଭଉଣୀ ଟା, ମୋ ସ୍ତ୍ରୀ ଙ୍କୁ ଦେଖିଥିଲୁ l ଆଉ ସେ ଚଢେଇ ଟା ?? ଆରେ ସିଏ ପରା ଆମ ଡ୍ରାଇଭର, ଆମକୁ ନବା ଆଣିବା କରେ, ତୁ ବ୍ୟସ୍ତ ହନା ତୁ ବି ଆମ ସହିତ ପତ୍ର ପକେଇ ବସିଯା, ଲକ୍ଷ୍ମୀ ସବୁ କରିଦେବ l ସମସ୍ତେ ଏକା ସହିତ ଖାଇ ବସିଲେ l ବାବା ସବୁ ଲୁଚି ଲୁଚି ଦେଖୁଥିଲେ ସେ ଆସି ସମସ୍ତ ଙ୍କ ପାଦ ତଳେ ମୁର୍ଚ୍ଛା ହୋଇ ପଡିଗଲେ l
କଣ ହେଲା ବାବା ?? ପାଣିଛାଟି ବୁଲା ବାବାଙ୍କୁ ଉଠାଇଲା l ବାବା ବୁଲାକୁ କୁଣ୍ଢେଇ ପକେଇଲେ l ବର୍ଷ ବର୍ଷ ଧରି ଏତେ ତପସ୍ୟା କରି ମୁଁ ଯାହାଙ୍କୁ ଦେଖି ପରି ନଥିଲି, ତୁ ତାଙ୍କୁ ନିଜ ହାତରେ ରୋଷେଇ କରିଖାଇବାକୁ ଦେଲୁ ll ତୁ ଆଜିଠାରୁ ମୋ ଗୁରୁ ସେହି ଦିନରୁ ବୁଲା ହୋଇ ଗଲା ମଠର ମହନ୍ତl
ଆଶା କରୁଛୁ ଆପଣଙ୍କୁ ବି ଗପଟି ଭଲ ଲାଗିଥିବ ହ୍ବାଟସ୍ ଆପରେ ଏହାକୁ ଛାଡ଼ିଥିବା ଲେଖକ ଏହାକୁ ସମସ୍ତଙ୍କ ଜାଣିବା ଉଦ୍ଦେଶ୍ୟରେ ଛାଡ଼ିଛନ୍ତି l ତେଣୁ ଆପଣ ଏହାକୁ ଅନ୍ୟଙ୍କୁ ସେୟାର କରିପାରିବେl