ଦିନେ ଭାରତରେ ଶାଗୁଣା ସର୍ବବ୍ୟାପୀ ଥିଲେ । ପଶୁଙ୍କ ଶବ ଅନ୍ଵେଷଣରେ ଏମାନେ ଖୋଲା ପଡ଼ିଆ ଉପରେ ଆକାଶରେ ଘୂରି ବୁଲୁଥିଲେ। କିନ୍ତୁ ଦୁଇ ଦଶନ୍ଧିରୁ ଅଧିକ ସମୟ ହେଲାଣି ଭାରତର ଶାଗୁଣା ବଂଶ ଲୋପ ପାଇବାକୁ ବସିଲେଣି । ଏହାର କାରଣ ଅସୁସ୍ଥ ଗାଈଗୋରୁଙ୍କ ଚିକିତ୍ସା ଲାଗି ବ୍ୟବହୃତ ହେଉଥିବା ଔଷଧ । ୯୦ ଦଶକ ମଧ୍ୟଭାଗରୁ ଶାଗୁଣା ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଏହା ଏବେ ଶୂନ ହେବାକୁ ବସିଲାଣି। ଏହାର କାରଣ ଗାଈଗୋରୁଙ୍କୁ ଦିଆଯାଉଥିବା ଶସ୍ତା ଅଣ-ଷ୍ଟେରଏଡ୍ ପେନ୍ କିଲର ଡାଇକ୍ଲୋଫେନାକ ସୋଡିଅମ। ତାହା ଶାଗୁଣାଙ୍କ ପାଇଁ ପ୍ରାଣଘାତକ ସାଜିଛି। ଏହି ଔଷଧ ଦିଆଯାଇଥିବା ଗୋରୁଙ୍କ ଶବକୁ ଖାଇବା ପରେ ଶାଗୁଣାଙ୍କ କିଡ୍ନୀ ଅଚଳ ହେବାରୁ ସେମାନଙ୍କ ମୃତ୍ୟୁ ହୋଇଛି। ଦଳ ଦଳ ଶାଗୁଣା ଏମିତି ଲୋପ ପାଇଯାଇଛନ୍ତି।
ଏହି ଔଷଧ ବ୍ୟବହାର ଉପରେ କଟକଣା ଲାଗୁ ହେବା ପରେ ଦେଶର କିଛି ଅଞ୍ଚଳରେ ଶାଗୁଣା ମୃତ୍ୟୁ ହାର ହ୍ରାସ ପାଇଛି କିନ୍ତୁ ସଦ୍ୟତମ ଷ୍ଟେଟ୍ ଅଫ୍ ଇଣ୍ଡିଆଜ୍ ବାର୍ଡ ରିପୋର୍ଟ ଅନୁସାରେ, ଶାଗୁଣାଙ୍କର ବିନାଶ ମାନବ ସମାଜ ପାଇଁ ଘାତକ ପ୍ରମାଣିତ ହୋଇଛି। ଘାତକ ବ୍ୟାକ୍ଟେରିଆ ଓ ସଂକ୍ରମଣ ଯୋଗୁ ଗତ ୫ ବର୍ଷରେ ପ୍ରାୟ ୫ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି । ଏହି ଅଧ୍ୟୟନ ଆମେରିକାନ୍ ଇକୋନୋମିକ୍ ଆସୋସିଏସନ୍ ପତ୍ରିକାରେ ପ୍ରକାଶ ପାଇଛି।
ୟୁନିଭର୍ସିଟି ଅଫ୍ ଚିକାଗୋର ହାରିସ୍ ସ୍କୁଲ ଅଫ୍ ପବ୍ଲିକ୍ ପଲିସିର ଆସିଷ୍ଟାଣ୍ଟ୍ ପ୍ରଫେସର ଇୟାଳ ଫାଙ୍କ୍ କହିଛନ୍ତି, ଶାଗୁଣାଙ୍କୁ ପ୍ରକୃତିର ପରିମଳ ସେବକ ରୂପେ ବିବେଚନା କରାଯାଏ । କାରଣ ଏମାନେ ମୃତ ଜନ୍ତୁଙ୍କୁ ଖାଇବା ସହିତ ସେମାନଙ୍କ ଶରୀରରେ ଥିବା ବ୍ୟାକ୍ଟେରିଆ ଓ ରୋଗ ବାହକଗୁଡ଼ିକୁ ପରିବେଶରୁ ସଫା କରିଦିଅନ୍ତି। ତେଣୁ ଶାଗୁଣାଙ୍କ ବିନା ରୋଗ ବ୍ୟାପିଥାଏ। ମାନବ ସ୍ୱାସ୍ଥ୍ୟରେ ଶାଗୁଣାଙ୍କ ଭୂମିକାକୁ ବୁଝିବା କୁ ପଡ଼ିବ। ବନ୍ୟଜୀବ ସୁରକ୍ଷାରେ ଶାଗୁଣାଙ୍କ ଉପସ୍ଥିତି ଅନେକ ଗୁରୁତ୍ଵକୁ ବହନ କରେ । ତେବେ ଏମାନଙ୍କ ଗୁରୁତ୍ବ ଅନୁଭବ କରିବା ବେଳକୁ ଶାଗୁଣା ଲୋପ ପାଇଗଲେଣି।