ଭୁବନେଶ୍ଵର, ୦୮/୦୮ : ସ୍କୁଲ ଯାଉଛନ୍ତି ୧୧୦ ବର୍ଷୀୟା ଛାତ୍ରୀ। ସେ ହେଉଛନ୍ତି ସାଉଦି ଆରବର ନୱଦା ଅଲ-କତାନି । ସାଉଦି ସରକାରଙ୍କ ସ୍ପେଶାଲ ଏଜୁକେସନ୍ ପ୍ରୋଗ୍ରାମ୍ ଅନ୍ତର୍ଗତ ସେ ପୁଣି ଥରେ ଅଧ୍ୟୟନ ଆରମ୍ଭ କରିଛନ୍ତି । ଏହି ପ୍ରୋଗ୍ରାମ୍ ଅନ୍ତର୍ଗତ ଯେକୌଣସି ବୟସର ଲୋକେ ସରକାରୀ ସ୍କୁଲରେ ମୌଳିକ ଶିକ୍ଷା ହାସଲ କରିପାରିବେ । ଅଧ୍ୟୟନ ତାଙ୍କ ଜୀବନରେ ପରିବର୍ତ୍ତନ ଆଣିଛି ବୋଲି ନୱଦା କହିଛନ୍ତି । ୪ ସନ୍ତାନର ମା’ ନୱଦାଙ୍କର ସବୁଠୁ ବଡ଼ ପୁଅଙ୍କ ବୟସ ୮୦ ବର୍ଷ । ସବୁଠୁ ସାନ ପୁଅର ବୟସ ୫୦ ବର୍ଷ । ୩ୟ ସନ୍ତାନ ତାଙ୍କୁ ପ୍ରତିଦିନ ସ୍କୁଲରେ ଛାଡୁଛନ୍ତି ଏବଂ ଛୁଟି ହେବା ପର୍ଯ୍ୟନ୍ତ ବାହାରେ ଅପେକ୍ଷା କରୁଛନ୍ତି ।
କିଛି ସପ୍ତାହ ତଳେ ନିରକ୍ଷରତା ମୂଳୋତ୍ପାଟନ କାର୍ଯ୍ୟକ୍ରମରେ ଯୋଗ ଦେବା ପରଠୁ ନୱଦା ପ୍ରତିଦିନ ସ୍କୁଲ ଯାଉଛନ୍ତି । ଏଠାରେ ସବୁ ବୟସର ବିଦ୍ୟାର୍ଥୀଙ୍କୁ ବର୍ଣ୍ଣମାଳାର ମୌଳିକ ଜ୍ଞାନ ଓ କୁରାନ ଶିକ୍ଷା ଦିଆଯାଉଛି । ନିରକ୍ଷରତା ମୂଳୋତ୍ପାଟନ ଲାଗି ସରକାରଙ୍କ ପ୍ରୟାସକୁ ପ୍ରଶଂସା କରି ସେ କୃତଜ୍ଞତା ଜଣାଇଛନ୍ତି । ଉମ୍ୱାହ ବସିନ୍ଦା ନୱଦା ଗଣମାଧ୍ୟମକୁ କହିଛନ୍ତି, ଶିଖିବାର କୌଣସି ବୟସ ନାହିଁ । ସେ ଅତ୍ୟନ୍ତ ଧୈର୍ଯ୍ୟ ଓ ଧ୍ୟାନର ସହ ପଢୁଛନ୍ତି । ସ୍କୁଲରେ ଘରକୁ ପାଠ ଦିଆଯାଉଛି, ଯାହାକୁ ଶେଷ କରି ପରଦିନ ସେ ସ୍କୁଲ ଯାଉଛନ୍ତି । ଶିକ୍ଷକ ଖାତା ମଧ୍ୟ ଯାଞ୍ଚ୍ କରୁଛନ୍ତି । ସାଉଦି ଆରବର କ୍ରାଉନ୍ ପ୍ରିନ୍ସ ଓ ପ୍ରଧାନମନ୍ତ୍ରୀ ମହମ୍ମଦ ବିନ ସଲମାନ ୨୦୩୦ ପର୍ଯ୍ୟନ୍ତ ବିକଶିତ ଦେଶ ନିର୍ମାଣ ଲକ୍ଷ୍ୟ ନେଇ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟକ୍ରମ ଚଳାଇଛନ୍ତି । ତନ୍ମଧ୍ୟରେ ଶିକ୍ଷା ସାମିଲ । ୧୦୦ ବର୍ଷ ପରେ ସ୍କୁଲ ଫେରିଥିବା ନୱଦା କହିଛନ୍ତି, ଏ ବୟସରେ ସ୍କୁଲ ଫେରିବା ବହୁତ ମୁସ୍କିଲ କାମ । ପ୍ରଥମ ଥର ଏହି ଶିକ୍ଷା କାର୍ଯ୍ୟକ୍ରମ ବିଷୟରେ ଶୁଣି ସେ ଖୁବ୍ ଖୁସି ହୋଇଥିଲେ । ବହୁ ପୂର୍ବରୁ ଅଧ୍ୟୟନ ଆରମ୍ଭ କରିବା ଉଚିତ୍ ଥିଲା ବୋଲି ତାଙ୍କର ହୃଦୟଙ୍ଗମ ହେଲା । ଶିକ୍ଷା ବିନା ଅନେକ ବର୍ଷ ବିତିଗଲା ବୋଲି ସେ ଏବେ ଅବସୋସ ବ୍ୟକ୍ତ କରୁଛନ୍ତି । ଶିକ୍ଷା ଗ୍ରହଣ କରି ନିଜ ଜୀବନ ସହିତ ଅନ୍ୟମାନଙ୍କ ଜୀବନ ବି ସୁଧାରି ପାରିବେ ବୋଲି ଆଶା କରୁଛନ୍ତି । ସେ ସ୍କୁଲ ଯାଉଥିବାରୁ ତାଙ୍କ ପିଲାମାନେ ଖୁବ୍ ଖୁସି ଅଛନ୍ତି ।