+2 ପରୀକ୍ଷା ମୂଲ୍ୟାୟନ ପାଇଁ କମିଟି ଗଢ଼ିଲେ ରାଜ୍ୟ ସରକାର

ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ୍‌ ହେବା ପରେ କେମିତି ହେବ ମୂଲ୍ୟାୟନ ଏବେ ସବୁ ଛାତ୍ରଛାତ୍ରୀ ଏବଂ ଅଭିଭାବକ ଚିନ୍ତିତ । କାରଣ ଏହା ଉପରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନିର୍ଭର କରୁଛି। କରୋନା ସଂକ୍ରମଣ ବୃଦ୍ଧି ସମୟରେ ସିବିଏସଇ ଢାଞ୍ଚାରେ  ଓଡ଼ିଶାରେ ମଧ୍ୟ +2 ପରୀକ୍ଷା ବାତିଲ କରାଯାଇଛି । ତେବେ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମଧ୍ୟରେ ରହିଥିବା ଦ୍ୱନ୍ଦ୍ଵ ଦୂର କରିବାକୁ ରାଜ୍ୟସରକାର ପଦକ୍ଷେପ ନେଇଛନ୍ତି। ଛାତ୍ର-ଛାତ୍ରୀଙ୍କ ମୂଲ୍ୟାୟନ କେମିତି ହେବ ଏବଂ କେଉଁ ଆଧାରରେ ମାର୍କ ଦିଆଯିବ ସେ ନେଇ ରାଜ୍ୟ ସରକାର  ବିଶେଷଜ୍ଞ କମିଟି ଗଠନ କରିଛନ୍ତି।

ଯୁକ୍ତ ୨ ମୂଲ୍ୟାୟନ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବିଶେଷଜ୍ଞ କମିଟି ଗଠନ କରିଛି। ଉଭୟ ରେଗୁରାଲ ଓ ଏକ୍ସରେଗୁରାଲ ପରୀକ୍ଷାର୍ଥୀଙ୍କ ପାଇଁ ୧୪ ଜଣିଆ କମିଟି ଗଠନ କରାଯାଇଛି।  ଏହି କମିଟିରେ ବରିଷ୍ଠ ଶିକ୍ଷାବିତ୍‌ମାନଙ୍କୁ ସାମିଲ କରାଯାଇଛି। କମିଟି ୧୦ ଦିନ ଭିତରେ ମୂଲ୍ୟାୟନ ଖସଡା ପ୍ରସ୍ତୁତ କରିବ ଏବଂ ରିପୋର୍ଟ ପ୍ରଦାନ କରିବ। ରିପୋର୍ଟ ଆଧାରରେ ରାଜ୍ୟରେ ଯୁକ୍ତ ୨ ଦ୍ଵାଦଶ ଛାତ୍ର-ଛାତ୍ରୀଙ୍କ ପରୀକ୍ଷା ମୂଲ୍ୟାୟନ ହେବ। ଏହାକୁ ଆଧାର କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। ଏହି କମିଟିରେ ପୂର୍ବତନ ବୋର୍ଡ ସଭାପତି ଡ. ସୁଶାନ୍ତ କୁମାର ଦାଶ, ରମାଦେବୀ ମହିଳା ହାଇୟର ସେକେଣ୍ଡାରୀ ସ୍କୁଲର ପ୍ରିନସିପାଲ ଡକ୍ଚର ମମତା ପତ୍ରୀ, ସିଏଚଏସଇ ଉପାଧ୍ୟକ୍ଷ  ତୁଷାରକାନ୍ତି ତ୍ରିପାଠୀ ପ୍ରମୁଖ ସଦସ୍ୟ ଭାବେ ରହିଛନ୍ତି। ଉଚିତ୍ ସମୟରେ ଫଳାଫଳ ପ୍ରକାଶ ନେଇ ଉଦ୍ୟମ କରାଯିବ ଏବଂ ଏ ସଂପର୍କରେ ସମସ୍ତ ସୂଚନା ଛାତ୍ରଛାତ୍ରୀଙ୍କୁ ଜଣାଇ ଦିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ଯୁକ୍ତ ଦୁଇ ପରୀକ୍ଷା ଫଳ ନେଇ ଶନିବାର ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଥିଲେ ଯେ ୧୫ ଦିନ ଭିତରେ କମିଟି ଗଠନ ହେବ । ଶିକ୍ଷାବିତ୍ ମାନେ ମଧ୍ୟ କମିଟିରେ ରହିବେ । ସିବିଏସଇ ଓ ଆଇସିଏସଇର ମୂଲ୍ୟାୟନ ପଦ୍ଧତିକୁ ମଧ୍ୟ ଅନୁଧ୍ୟାନ କରିବ ଏହି ବିଶେଷଜ୍ଞ କମିଟି । ସେମାନେ କିଭଳି ପରୀକ୍ଷା ଫଳ ବାହାର କରୁଛନ୍ତି ତାହାର ନୀତି ନିୟମକୁ ମଧ୍ୟ ତର୍ଜମା କରାଯିବ । ତର୍ଜମା ପରେ ନିଷ୍ପତ୍ତି ନିଆଯିବ । ସିବିଏସଇ ଓ ଆଇସିଏସଇ ପରୀକ୍ଷାଫଳ ସମୟରେ ଓଡ଼ିଶାରେ ମଧ୍ୟ +୨ ଫଳ ପ୍ରକାଶ ପାଇବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଥିଲେ ।

Leave a Reply

Your email address will not be published. Required fields are marked *