ପୁରୁଣା ଦିନର କଥା । ସେତେବେଳର ଏକ ନଗରୀର ଶେଷ ମୁଣ୍ଡରେ ଥିଲା ଏକ ପ୍ରସିଦ୍ଧ ବେଶ୍ୟା ଗଳି। ସେହିବାଟ ଦେଇ ଜଣେ ସନ୍ୟାସୀ ଯାଉଥିଲେ। କାନ୍ଧରେ ତାଙ୍କର ପଡ଼ିଥିଲା ଏକ ଥଳୀ। ଯୋଗୀଙ୍କୁ ଦେଖି ଏକ ଘରୁ ବାହାରକୁ ଆସିଲେ ଜଣେ ସୁନ୍ଦରୀ ତରୁଣୀ। ସେହି ମହିଳା ଯୋଗୀଙ୍କୁ ଦେଖି ଆକର୍ଷିତ ହୋଇଥିଲେ। ମହିଳା ତାଙ୍କୁ ନିବେଦନ କରି କହିଲେ- ଟିକେ ମୋ ଘର ଭିତରକୁ ଆସନ୍ତୁ। ତାଙ୍କର ଆମନ୍ତ୍ରଣରେ ବାସନାର ସ୍ଵର ଥିଲା। ଯୋଗୀ ଉତ୍ତର ଦେଲେ –ମୋ ଥଳିରେ ଔଷଧର ପୁଡ଼ିଆ ଅଛି, ମୁଁ ଏବେ ସହର ସେପଟ ଗାଁକୁ ଯାଉଛି। ସେଠାରେ ଅସୁସ୍ଥ ଥିବା କିଛି ଗରିବଙ୍କୁ ଚିକିତ୍ସା କରିବେ। ସେମାନଙ୍କୁ ମୋତେ ଔଷଧ ବାଣ୍ଟିବାକୁ ହେବ ଓ ସେମାନଙ୍କୁ ରୋଗରୁ ମୁକ୍ତ କରିବାକୁ ହେବ। ଆମର ଆଉ ତୁମର କାର୍ଯ୍ୟରେ ଅନ୍ତର ଅଛି। ତୁମେ ରୋଗ ବଢ଼ାଉଛ, ଆମେ ନିରାକରଣରେ ଲାଗିଛୁ। ତୁମେ ଶରୀର କାମନାର ଭାଷା କହୁଛି, କିନ୍ତୁ ମୁଁ ସେ ଶରୀର ପାଖକୁ ଯାଉଛି ଯେଉଁଠି ସଂସାର ସତ୍ୟ ବିରାଜମାନ କରିଛି। ଯୋଗୀଙ୍କର କଥା ଶୁଣି ବେଶ୍ୟା କ୍ରୋଧିତ ହୋଇ କହିଲେ- ହେ ଯୋଗୀ, ତୁମକୁ ଜଣା ଅଛି ! ମୋର ରଙ୍ଗ, ରୂପରେ ସାରା ସହର ପାଗଳ । ମୋତେ ପାଇବା ପାଇଁ ସେମାନେ ନିଜର ଧନ, ସମ୍ପଦ ସବୁ ଦେବାପାଇଁ ତତ୍ପର ରହିଥାନ୍ତି। ମୁଁ ସ୍ବୟଂକୁ ତୁମ ଆଗରେ ସମର୍ପିତ କରୁଛି, ଅଥଚ ତୁମେ ମନା କରୁଛ। ଯୋଗୀ କହିଲେ- ତୁମର ନିମନ୍ତ୍ରଣକୁ ସ୍ଵୀକାର କରୁଛି, କିନ୍ତୁ ଏବେ ନୁହେଁ । ମୁଁ ଅବଶ୍ୟ ଦିନେ ଆସିବି। ଏମିତି କହି ସେହି ସନ୍ୟାସୀ ଚାଲିଗଲେ।
ସମୟ ଗଡ଼ିଚାଲିଲା ଆଉ ସେହି ମହିଳା ବୃଦ୍ଧା ହୋଇଗଲେ। ଏବେ ତାଙ୍କୁ ପାଇବା ପାଇଁ ତାଙ୍କ ପାଖକୁ କେହି ଆସୁନଥିଲେ। ନା ତାଙ୍କ ପାଖରେ ଥିଲା ଅର୍ଥ ନା ଥିଲା ଯୌବନ। ଅତୀତକୁ ଭାବି ସେ ପୀଡ଼ା ପାଉଥିଲ। ଦିନେ ସେହି ଯୋଗୀ ସେବାଟ ଦେଇ ଯାଉଥିଲେ। ପୀଡ଼ାର ଶବ୍ଦ ଶୁଣି ସେ ଅଟକି ଗଲେ। ଭିତରକୁ ପ୍ରବେଶ କରି ଦେଖିଲେ ସେହି ବୃଦ୍ଧା, ଯିଏ ଦିନେ ଯୁବାବସ୍ଥାରେ ତାଙ୍କୁ ଘରକୁ ନିମନ୍ତ୍ରମ କରିଥିଲେ। ଏବେ ସେ କୁଷ୍ଠରୋଗରେ ପୀଡ଼ିତା। କଷ୍ଟରେ ଛଟପଟ ହେଉଥିଲେ। ଯେଗୀ କହିଲେ- ମୁଁ ଆସିଗଲି। ମୁଁ କହିଥିଲି ନା ମୁଁ ଅବଶ୍ୟ ଆସିବି। ଯୋଗୀ ନିଜର ଥଳି ଖୋଲିକରି ତାଙ୍କ ଘାଆରେ ଗୋଟିଏ ଔଷଧ ଲଗେଇ ଦେଇ କହିଲେ- ଚିନ୍ତା କରନି ତୁମ ଘାଆ ଶୀଘ୍ର ଭଲ ହେଇଯିବ। ସନ୍ନ୍ୟାସୀ ଜଣକ ଦୀର୍ଘବର୍ଷର ଔଷଧ ସାଧନାରେ ସଫଳତା ପାଇଥିଲେ। ଲୋକଙ୍କ ସେବାରେ ସେ ନିଜକୁ ନିୟୋଜିତ କରିଥିଲେ। ଯୋଗୀ ନିୟମିତ ସେ ମହିଳାଙ୍କର ସେବା କରିବାକୁ ଲାଗିଲେ। କିଛିଦିନ ପରେ ମହିଳା ଠିକ୍ ହୋଇଗଲେ। ଆଉ ସେହି ମହିଳା କହିଲେ ଏହି ଶରୀର ଆପଣଙ୍କ ସ୍ପର୍ଶ ପାଇ ପବିତ୍ର ହୋଇଗଲା ଆଉ ମୋର ପାପ ବିମୋଚନ ହେଲା। … ଯୋଗୀ ଚାଲିଯାଉଥିଲେ ଦୂରକୁ …