ଶିଶୁଙ୍କ ସୁରକ୍ଷା ପାଇଁ କମିଟି ଗଠନ

କରୋନା ଭାଇରସ୍‌ର ଦ୍ଵିତୀୟ ଲହରରେ ସ୍ଥିତି ସଙ୍ଗୀନ। କୋଭିଡ୍-୧୯ର ଏହି ନୂତନ ଷ୍ଟ୍ରେନ କମ ବୟସର ଲୋକଙ୍କୁ ସଂକ୍ରମଣ କରିବା ସହ ଶିଶୁମାନଙ୍କୁ ମଧ୍ୟ ଛାଡୁନି। କଅଁଳା ଶିଶୁ ମଧ୍ୟ ଏହି ମାରାତ୍ମକ ମହାମାରୀରୁ ବାଦ୍ ପଡୁନାହାନ୍ତି। ଏହାକୁ ଦୃଷ୍ଟିରେ ରଖି  କରୋନା ସଂକ୍ରମଣରୁ ଶିଶୁଙ୍କୁ ରକ୍ଷା ପାଇଁ ରାଜ୍ୟ ସରକାର କମିଟି ଗଠନ କରିଛନ୍ତି।  ଏଥିସହ ୧୮ ରୁ ୪୪ ବର୍ଷ ବୟସ ବର୍ଗଙ୍କୁ କୋଭିଡ୍ ସୁରକ୍ଷା ଲାଗି କମିଟି ଗଠନ କରାଯାଇଛି। ଏହାବାଦ୍ ରାଜ୍ୟର ସବୁ କୋଭିଡ୍ ହସ୍ପିଟାଲ୍‌ରେ ହେଲ୍ପ ଡେସ୍କ ବାଧ୍ୟତାମୂଳକ।

ରାଜ୍ୟ ସ୍ଵାସ୍ଥ୍ୟ ଓ  ପରିବାର କଲ୍ୟାଣ ବିଭାଗ ଦ୍ଵାରା ଡିଏମଇଟିଙ୍କ ଅଧ୍ୟକ୍ଷତାରେ ୮ ଜଣିଆ କମିଟି ଗଠନ ହୋଇଛି। ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ କମିଟିର ସଦସ୍ୟ ଆବାହକ ଅଛନ୍ତି। ଶିଶୁଙ୍କ କ୍ଷେତ୍ରରେ କରୋନା ସଂକ୍ରମଣ ବଢୁଥିବାରୁ କମିଟି ତର୍ଜମା କରିବ। ଡିଏଚଏସ ଓଡିଶାରୁ ଦୁଇ ଜଣ ସଦସ୍ୟ ରହିବେ। ଶିଶୁଙ୍କଠାରେ କରୋନାର କାରଣ ଓ ନିରାକରଣ ବୁଝିବ ଏହି କମିଟି। ଏ ନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ରବିବାର ନିର୍ଦ୍ଦେଶାନାମା ଜାରି ହୋଇଛି।

ଏଥିସହ ୧୮ ରୁ ୪୪ ବର୍ଷ ବୟସ ବର୍ଗଙ୍କୁ କୋଭିଡ୍ ସୁରକ୍ଷା ଲାଗି ରାଜ୍ୟ ସରକାର ଗୁରୁତ୍ଵାରୋପ କରିଛନ୍ତି।  ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ଵାରା ୧୨ ଜଣିଆ କମିଟି ଗଠନ ହୋଇଛି। ଏହି ବର୍ଗ  ବ୍ୟକ୍ତିଙ୍କ ଟିକାକରଣ ତଦାରଖ କରିବ ଏହି କମିଟି। ସ୍ଵାସ୍ଥ୍ୟ ବିଭାଗ ପରାମର୍ଶଦାତା ଶ୍ରୀନାଥ ରେଡ୍ଡୀ କମିଟିର ଅଧ୍ୟକ୍ଷ ଅଛନ୍ତି। ବର୍ତ୍ତମାନ ରାଜ୍ୟ ସହ ଦେଶରେ ୧୮ ରୁ ୪୪ ବର୍ଷ ବର୍ଗ ଲୋକଙ୍କ ଟିକାକରଣ ଜାରି ରହିଛି।

ରାଜ୍ୟର ସବୁ କୋଭିଡ୍ ହସ୍ପିଟାଲ୍‌ରେ ହେଲ୍ପ ଡେସ୍କ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର। ସମସ୍ତ ଘରୋଇ ଓ ସରକାରୀ ଚିକିତ୍ସା କେନ୍ଦ୍ରରେ ସବୁ  ହେଲ୍‌ପ ଡେସ୍କରେ ଟୋଲ ଫ୍ରି ନମ୍ବର ରହିବ। ହେଲ୍‌ପ ଡେସ୍କ ଗୁଡିକ ସପ୍ତାହ ସାରା ୨୪ ଘଣ୍ଟା କାର୍ଯ୍ୟ କରିବ। ହେଲ୍ପ ଡେସ୍କର ସୁପରିଚାଳନା ପାଇଁ ସ୍ଵେଚ୍ଛାସେବୀଙ୍କ ସହାୟତା ନିଆଯିବ। ଏ ନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶାନାମା ଜାରି ହୋଇଛି।

Child Covid Test

Leave a Reply

Your email address will not be published. Required fields are marked *