ମାନ ପରୀକ୍ଷାରେ ବିଫଳ ହେଲା ବିସଲେରି; ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ FSSAIର ମଞ୍ଜୁରୀ

ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ବିସଲେରି ଇଣ୍ଟରନ୍ୟାସନାଲ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ (ପ୍ରସିକ୍ୟୁସନ୍) ଗ୍ରହଣ କରିବାକୁ ମଞ୍ଜୁରୀ ଦେଇଛି । ପଶ୍ଚିମବଙ୍ଗର ଏକ ପ୍ଲାଣ୍ଟରୁ ସଂଗୃହୀତ ପ୍ୟାକେଜଡ୍ ପାନୀୟ ଜଳ ନମୁନା ଲାବୋରେଟୋରୀ ପରୀକ୍ଷାରେ ବିଫଳ ହେବା ପରେ ବିସଲେରୀ ବିରୋଧରେ ଏହି ଆକ୍ସନ ନିଆୟାଇଛି । ଏହା ପୂର୍ବରୁ ଗୋଆ ସ୍ଥିତ ବିସଲେରିର ଅନ୍ୟ ଏକ ପ୍ଲାଣ୍ଟରୁ ସଂଗୃହୀତ ନମୁନା ବିଫଳ ହୋଇଥିଲା।

କ’ଣ ରହିଛି ମାମଲା?

ପଶ୍ଚିମବଙ୍ଗ ମାମଲା: ପଶ୍ଚିମବଙ୍ଗ ଜଲପାଇଗୁଡ଼ି ଜିଲ୍ଲାର ତେଲିପାରା ଗ୍ରାମରେ ଥିବା ବିସଲେରି ପ୍ଲାଣ୍ଟରୁ ପାନୀୟ ଜଳର ସାମ୍ପଲ ସଂଗ୍ରହ କରାଯାଇଥିଲା। ନିଆଯାଇଥିବା ପାନୀୟ ଜଳ ନମୁନାରେ କ୍ଷତିକାରକ ‘କଲିଫର୍ମ ବ୍ୟାକ୍ଟେରିଆ’ (Coliform bacteria) ଥିବା ପ୍ରାଥମିକ ଏବଂ ରେଫରାଲ୍ ଲାବୋରେଟୋରୀ ପରୀକ୍ଷାରୁ ସ୍ପଷ୍ଟ ହୋଇଛି। ଏହାକୁ ‘ଅସୁରକ୍ଷିତ’ ଘୋଷଣା କରାଯିବା ସହ ଅଗଷ୍ଟ ୧୨, ୨୦୨୬ରେ ସମ୍ପୃକ୍ତ ବ୍ୟାଚ୍‌ର ବିକ୍ରି ଉପରେ FSSAI ରୋକ୍ ଲଗାଇଛି।
ଗୋଆ ମାମଲା: ସେହିପରି ଗୋଆ ପ୍ଲାଣ୍ଟରୁ ସଂଗୃହୀତ ନମୁନାରେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ବ୍ରୋମେଟ୍ (Bromate) ଥିବା ଜଣାପଡ଼ିଥିଲା। କମ୍ପାନୀର ଅପିଲ୍ ପରେ ରେଫରାଲ୍ ଲାବୋରେଟୋରୀରେ ଏହାର ପୁନଃ ପରୀକ୍ଷା କରାଯାଇଥିଲା, ଯେଉଁଥିରେ ପଲିନ୍ୟୁକ୍ଲିୟର ଆରୋମାଟିକ୍ ହାଇଡ୍ରୋକାର୍ବନ୍ (PAHs) ଥିବା ପ୍ରମାଣିତ ହେବାରୁ ଏହାକୁ ଅସୁରକ୍ଷିତ ଘୋଷଣା କରାଯାଇଛି।

ବିସଲେରିର ସ୍ପଷ୍ଟୀକରଣ:
ଏହି ଘଟଣାକୁ ନେଇ ବିସଲେରି ପକ୍ଷରୁ କୁହାଯାଇଛି ଯେ FSSAIର ନିର୍ଦ୍ଦେଶକ୍ରମେ କମ୍ପାନୀ ପୂର୍ବରୁ ହିଁ ସମ୍ପୃକ୍ତ ବ୍ୟାଚ୍‌କୁ ବଜାରରୁ ପ୍ରତ୍ୟାହାର କରିନେଇଛି। ତେବେ କମ୍ପାନୀ ଦାବି କରିଛି ଯେ ଉକ୍ତ ବ୍ୟାଚ୍‌ର ନମୁନାକୁ ଅନ୍ୟ ଦୁଇଟି FSSAI-ସ୍ୱୀକୃତିପ୍ରାପ୍ତ ସ୍ୱତନ୍ତ୍ର ଲାବୋରେଟୋରୀରେ ପରୀକ୍ଷା କରାଯାଇଥିଲା, ଯେଉଁଥିରେ କୌଣସି କଲିଫର୍ମ ବ୍ୟାକ୍ଟେରିଆ ନଥିବା ଏବଂ ଏହା ସମସ୍ତ ସୁରକ୍ଷା ମାନଦଣ୍ଡ ପୂରଣ କରୁଥିବା ରିପୋର୍ଟ ଆସିଛି।

ସରକାରୀ ଏବଂ ସ୍ୱତନ୍ତ୍ର ଲାବୋରେଟୋରୀ ରିପୋର୍ଟରେ ଥିବା ଏହି ପାର୍ଥକ୍ୟର ସଠିକ୍ ସମୀକ୍ଷା କରିବାକୁ କମ୍ପାନୀ FSSAIକୁ ଅନୁରୋଧ କରିଛି। ୧୦ଟି ପର୍ଯ୍ୟାୟ ବିଶିଷ୍ଟ ଉତ୍ପାଦନ ପ୍ରକ୍ରିୟାରେ ୯୦ରୁ ଅଧିକ ଗୁଣବତ୍ତା ପରୀକ୍ଷା କରାଯାଉଥିବାରୁ ବିସଲେରି ପାଣି ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି କମ୍ପାନୀ ଦୃଢ଼ୋକ୍ତି ପ୍ରକାଶ କରିବା ସହ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବ ବୋଲି କହିଛି।

ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଖାଦ୍ୟ ସୁରକ୍ଷା ନିୟମ ଉଲ୍ଲଙ୍ଘନକାରୀ ଖାଦ୍ୟ ବ୍ୟବସାୟୀ, ଇ-କମର୍ସ କମ୍ପାନୀ ଏବଂ ପାନୀୟ ନିର୍ମାତାଙ୍କ ବିରୋଧରେ FSSAI ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏହି କ୍ରମରେ ଏବେ ପାନୀୟ ଜଳ ନିର୍ମାତା ବିସଲେରୀକୁ ଲାଗିଛି ଛାଟ।

Leave a Reply

Your email address will not be published. Required fields are marked *