ଶୁଭେନ୍ଦ୍ର କୁମାର ସାମଲଙ୍କ ଗଳ୍ପ ‘ସେ ଯୁଗର ହ୍ୱାଟ୍ସଆପ୍’

ଶୁଭନ୍ଦ୍ର କୁମାର ସାମଲ, ଓଡ଼ିଶା ପ୍ରାଶାସନିକ ସେବାର ଅଧିକାରୀ। ଯାଜପୁର ଜିଲ୍ଲା କୁନ୍ଦଳରେ ତାଙ୍କ ଜନ୍ମ। କେନ୍ଦ୍ରାପଡ଼ା କଲେଜ ଏବଂ ରେଭେନ୍ସା ବିଶ୍ବବିଦ୍ୟାଳୟରେ ପାଠପଢିବା ସମୟରୁ ତାଙ୍କର ସାହିତ୍ୟପ୍ରତି ରହିଥିଲା ଅହେତୁକ ରୁଚି। ତାଙ୍କ ଜୀବନର ଅନୁଭୂତିକୁ ନେଇ ସେ ତାଙ୍କର ଲେଖନୀ ଚାଳନା କରି ଆସୁଛନ୍ତି 90 ମସିହାର ଗ୍ରାମାଞ୍ଚଳର ଚିତ୍ର ତାଙ୍କର ଏହି ଗଳ୍ପରୁ ପରିସ୍ଫୁଟିତ ହୁଏ। ଆଧୁନିକ ଯୁଗର ହ୍ବାଟସ୍ ଆପ ଆଉ ସେ ଯୁଗର ଜୀବନ ଶୈଳୀକୁ ସେ ଏହି ଗଳ୍ପ ମାଧ୍ୟମରେ ବର୍ଣ୍ଣନା କରିଛନ୍ତି। 

                                                           ବେଳେବେଳେ ଖରାଦିନେ ଗାଁ ଦାଣ୍ତ ଅଳସ ଭାଙ୍ଗେ । ଖରାଦିନେ, ବଡ ଖରାରେ ଗାଁର ରାସ୍ତା ଶୁନଶାନ । ଦୁଇପାଖରେ ଧାଡି ଘର। କିଛି ଲୋକ ଘର ବାରଣ୍ଡାରେ ବସି ବିଞ୍ଚଣାରେ ବିଞ୍ଚି ହେଉଥାଆନ୍ତି । ଖରାଦିନେ ଗାଁରେ ବିଜୁଳି କଟିବା ନୁହେଁ ରହିବାଟା ହିଁ ସେତେବେଳେ ଅସାଧାରଣ କଥା ।  ଗାଁ ଦାଣ୍ତ ଯିଏକି ସବୁବେଳେ କିଛିନା କିଛି କାର୍ଯ୍ୟକ୍ରମରେ ବ୍ୟସ୍ତ ରହିଥାଏ, ଖରାବେଳେ କିନ୍ତୁ ଶୋଇପଡିବା ଭଳି ଲାଗେ । ଏତିକିବେଳେ ନିହାତି କିଛି କାର୍ଯ୍ୟକ୍ରମ ଏବଂ କ୍ୟାରେକ୍ଟର  ଦରକାର ପଡ଼ନ୍ତି । ସେମାନଙ୍କ ପାଇଁ ଗାଁ ଦାଣ୍ଡଟା ପୁଣି ଚଳଚଞ୍ଚଳ ହୋଇଉଠେ।  ଯେମିତିକି ବଡ କାଳିଆ  ଷଣ୍ତଟେ ଗାଁ ଦାଣ୍ତକୁ ପଶିଆସିବା ….ଘର ବାରଣ୍ଡାରେ ବସିଥିବା କିଛି ଅଳସୁଆ ଲୋକ ଏବଂ ସ୍କୁଲ ଛୁଟିରେ ପୂରା ବାଳୁଙ୍ଗା ହୋଇ ପଡିଥିବା ପିଲାଙ୍କ ପାଇଁ ଏହା ଖୁବ ମନୋରଞ୍ଜନର ଖୋରାକ ଯୋଗାଇଥାଏ। ଯଦି ବାଉଁଶରାଣୀ ଖେଳ ଆସିଯାଏ, ତାହେଲେ ତ ଆହୁରି ବଢିଆ । ବେଳେବେଳେ ମୁଣ୍ଡ ପୋତା କେଳା ତାର ଶଙ୍କରପାଟିଆ ଘୋଡ଼ାକୁ ଧରି ଆସିଯ଼ାଏ ଓ ଏ ଶୂନ୍ୟସ୍ଥାନ ମଧ୍ୟ ପୂରଣ କରେ । ହେଲେ ଏସବୁଠୁ ଉର୍ଦ୍ଧ୍ବରେ ଆଉ ଏକ କ୍ୟାରେକ୍ଟର – କମଳି । ସିଏ ଆସିଲେ ପୂରାଗାଁ ଚଳଚଞ୍ଚଳ ହୋଇଯାଏ ।

 କମଳି କ୍ୟାରେକ୍ଟରକୁ ବିଶ୍ଲେଷଣ କରିବା ବହୁତ କଷ୍ଟ । କମଳିର ବୟସ କହିବା ବି କେହି ସଠିକ ଆନ୍ଦାଜ ଲଗେଇ ପାରନ୍ତି ନାହିଁ । ଖାଦ୍ୟାଭାବ ଯୋଗୁ କେବଳ ଦେହ ଉପରେ ଚମଡ଼ା ପରସ୍ତ, ଗୋଟେ ବହୁତ ପୁରୁଣା ଶାଢୀ ଦେହରେ ବେପରୁଆ ଭାବରେ ଗୁଡା ହୋଇଥାଏ । ବାପମା କିଏ କେହି ଜାଣନ୍ତିନି, କିମ୍ୱା ଜାଣିବାର ଚେଷ୍ଟା ବି କରିନାହାନ୍ତି । ପାଖ ଗାଁର କୁମ୍ଭାର ସାହିରେ ରହେ । ତେଣୁ କମଳିର ଦେହସାରା କଳାଦାଗ ଲାଗିଥାଏ । କମଳି ନୁହେଁ କେହି କେହି ପାଗଳି ବୋଲି ବି କହନ୍ତି ସିନା କିନ୍ତୁ ପାଗଳାମିର କୌଣସି ଲକ୍ଷଣ ତାର ନାହିଁ ଏକଥା ବି କୁହନ୍ତି । ବୋଧେ ଋଷିମୁନିଙ୍କ ଭଳି ସଂସାର ତ୍ୟାଗର ଭାବ ଓ ସେ ସଂପର୍କିତ ତାର କଥାବାର୍ତ୍ତା ଯୋଗୁଁ କେହି କେହି ତାକୁ ପାଗଳି ଆଖ୍ୟା ଦେଇଥାଇପାରନ୍ତି। ହାତରେ ଗୋଟେ ବାଡ଼ି, ଅନ୍ୟହାତରେ ଭିକମାରିବାକୁ ଗୋଟେ ମାଟି ହାଣ୍ଡି, ବହୁତ ସମୟରେ ଭଙ୍ଗା, ଏମିତିକି ହାତରେ କେବଳ ଗୋଟେ ବଡ଼ ଖପରା ଖଣ୍ଡେ ଧରି କମଳି ଉଭା ହୁଏ, ଠିକ ଏମିତି ଖରାବେଳେ । ଆଉ କମଳି ଆସିଗଲେ ଖରାବେଳର ଶୁନଶାନ ପରିବେଶରେ ଯ଼େମିତି ବିଜୁଳି ଚାଲିଯାଏ।  କମଳିକୁ କିଛି ବଗୁଲିଆ ପିଲା ଏବଂ ଅଳସୁଆ ବୁଦ୍ଧିମାନ ଯୁବକ ଯେମିତି ଅପେକ୍ଷା କରି ବସିଥାଆନ୍ତି ।

 

ଏମିତି ଦିନେ ଖରାବେଳେ ଗାଁ ଦାଣ୍ତ ଅଳସ ଭାଙ୍ଗୁଥିବା ବେଳେ କମଳି  ଗାଁ ଦାଣ୍ଡରେ ପ୍ରବେଶ କରେ । ସେମିତି ହାତରେ ବାଡ଼ି ଅନ୍ୟହାତରେ ଭଙ୍ଗା ହାଣ୍ତି । ସ୍ୱଳ୍ପ ଶାଢୀ ଗୁଡ଼ା ହୋଇଥାଏ ଅଣ୍ଟାରେ, ଅନ୍ୟଭାଗ ବେପାରୁଆ ଭାବେ କାନ୍ଧରୁ ପଛକୁ ପଡ଼ିଥାଏ । ଗାଁ ପୋଖରୀରେ ଗାଧୋଇବା ପରେ ବାଳରୁ ଏବଂ ଦେହରୁ ପାଣି ନିଗିଡ଼ି ଆସୁଥାଏ । ମୁହଁର ଚମଡା ଟିକେ ଟିକେ ଝୁଲି ରହିଥାଏ ଏବଂ ଅନ୍ୟ ମାଂସପେଶୀ ଗୁଡିକ ମଧ୍ୟ ସେହିଭଳି । ଗାଧୋଇଲା ପରେ ବି ଦେହ ଓ ମୁହଁରୁ କୁମ୍ଭାର ଶାଳର କଳା ଛିଟା ଛାଡିନଥାଏ । ଗାଁ ରାସ୍ତାରେ ପ୍ରବେଶ କଳାପରେ ଚିରାଚରିତ ଢଙ୍ଗରେ ସେ ନିଜ ପ୍ରବେଶର ଇନଫରମେସନ୍ ଚିଲେଇକି ଦେଇଦିଏ । “କୁଆଡ଼େ ଗଲଲୋ, ଯୋଗଣୀଖାଇ,ଡାକୁଣୀ ଖାଇମାନେ” । କମଳିର ଡାକ କାନରେ ପଡ଼ିଲେ ଘରର କବାଟ ଗୋଟିଏ ପରେ ଗୋଟିଏ ଖୋଲେ । 

ସେଦିନ କମଳି ଡାକିଲା, ପ୍ରଥମ ଘର ଆଗରେ । ଘରଭିତରୁ ସନିଆ ବୋହୂ ଆସି ଦୁଆରବନ୍ଧରୁ କହିଲା “ଟିକେ ଅପେକ୍ଷାକର, ରୋଷଇ ସରିନି । “ରୋଷେଇ ସରିନି ? ଚୁଲି ରେ ଜାଳ ଟିକେ ଦଉନୁ “ କମଳି କହିଲା । କମଳିର ଏମିତି ରୋକଠୋକ କଥା ଶୁଣି ସନିଆ ବୋହୂ କିଛି ନକହି ଘର ଭିତରକୁ ଚାଲିଗଲା । ହେଲେ କମଳି ସେଇଠି ଠିଆ ହୋଇଥାଏ। ଗାଁର ସବୁଠୁ ଅଳସୁଆ ତଥା ଚଗଲା ସେହି  ଗିରିଧାରୀ ଏସବୁ ଦେଖି ଆଉ ଥୟ ଧରି ରହିପାରିଲା ନାହିଁ।  ଯେମିତି ଜାଣିଦେଲା କି କମଳି ଆସିଛି, ଚଟକିନା ପିଣ୍ଡାର ଖସି  କମଳି ପାଖରେ ହାଜର ହୋଇଗଲା । ପୂର୍ବରୁ କିଛି ପିଲା ବି କମଳିକୁ ଘେରିସାରିଥିଲେ  । କିଏ ଚୁଟି ଟାଣୁଥିଲା , କିଏ ତା ବାଡିକୁ ଟାଣିବାପାଇଁ ଚେଷ୍ଟା କରୁଥାଏ । କମଳି ପିଲାମାନଙ୍କୁ ନାନା ଅଭଦ୍ର ଭାଷାରେ ଗାଳି କରୁଥାଏ । ଗିରିଧାରୀ ପହଞ୍ଚି ପିଲାମାନଙ୍କୁ ତାଗିଦ କଲା।  ଆଉ ପିଲାଙ୍କ ଦୁଷ୍ଟାମିରୁ ରକ୍ଷା ପାଇବାରୁ କମଳି ଟିକେ ଆଶ୍ବସ୍ତି ଲାଭ କଲା। ଗିରିଧାରୀ କମଳିକୁ କହିଲା “ଏଠି କଣ ଭିକ ମାଗୁଛୁ ୟାଙ୍କର ପରା ଛୁତି-କିଆ । ତୁ ଗୁରିଆ ଘରକୁ ଯା, ତାଙ୍କ ପୁଅର 5 ଦିନ ତଳେ ବାହାଘର ହୋଇଛି ଓ ବହୁତ ଭାର-ବେଭାର ଆସିଛି । ମିଠା, ଲଡୁ, ଛେନାଗଜା ମିଳିବ । ସେଠିକି ଯା । ଏହାକହି ଗିରିଧାରୀ ଗାଁ ମୁଣ୍ଡ ଆଡକୁ ଚାଳିଗଲା । କମଳି ମଧ୍ୟ ସେଠାରୁ ଗୁରିଆ ଘର ଆଡକୁ ଚାଲିଲା । ପଛେ ପଛେ ସେ ବାଳୁଙ୍ଗା ପିଲା, ଯେଉଁ ମାନେକି ସ୍କୁଲ ନଥିବାରୁ ଖରାଦିନେ ଆହୁରି ବାଳୁଙ୍ଗା ହୋଇପଡିଛନ୍ତି, ପାଟିତୁଣ୍ଡ କରି ଚାଲିଲେ ।

କମଳି ଗୁରିଆ ଘର ଆଗରେ ଛିଡାହୋଇ ଡାକ ପକାଇଲା, “ହୋ ମିଟ ମା କୋଉଠି ମରିଗଲୁକି ? ସବୁ ଭାର ଯାକ କଣ ତୁ ଏକା ଖାଇବୁ ନା କଣ ? ପିଲାମାନେ କମଳି ଚାରିପଟେ ବେଢି ରହିଥାଆନ୍ତି  । ମିଟ ମା ବାହାରିକି କହିଲା “କି ଭାର ?”, “ମଲା ତୋ ପୁଅକୁ ବାହାଘର କଲୁ, ନୂଆ ବୋହୂ ଆଣିଲୁ, ଭାର ବି ଆସିଲା” କମଳି କହୁଥିବା ବେଳେ ତାକୁ ଅଧାରୁ ରୋକି ମିଟମା କହିଲା “କି ବାହାଘର! ତତେ କିଏ କହିଲା? କମଳି କହିଲା ମତେ ଲୁଚଉଛୁ କାହିଁକି , “ମତେ କ’ଣ ଅଛପା କି  ? ତମ ଘରେ ସୋରିଷ ଫୁଟିଲେ ବି ମୋ ପାଖର ଖବର” । ମିଟମା ରାଗିକି ଗରଗର ହେଲାଣି।   ତାମୁହଁ ଲାଲ ପଡ଼ିଗଲାଣି।  । ଏମିତି ତାପୁଅ ଚାରିବର୍ଷ ହେଲା ଆର୍ମିରେ ଚାକିରି କଲାଣି କିନ୍ତୁ ବାହାଘର ହୋଇପାରୁନି କାରଣ ତାଙ୍କର ବିଏ ପାସ ଝିଅ ଦରକାର କିନ୍ତୁ ମିଟ ନିଜେ ମାଟ୍ରିକ ଫେଲ । ପାଖଘର ପୁଅ ଗୋଟେ ବି.ଏ ପାସ ଝିଅ କୁ ଭଗେଇକି ଆଣିଛି,  ପୁଅ କୌଣସି ସରକାରୀ ଦପ୍ତରରେ ରାତ୍ର ଜଗୁଆଳ ଥାଏ । ସେ ସେଠାରେ ଚାକିରି କରେ କିନ୍ତୁ ତାର ବୋହୂ ଗାଁରେ ରହି ପିଲାମାନଙ୍କୁ ପଢାଏ । ମିଟମା ର ସେମିତି ବୋହୂ ଦରକାର ଯିଏକି ଛୁଆଙ୍କୁ ପଢାଇପାରୁଥିବ । ତାପାଇଁ ବୋହୂର ମିନିମମ୍ ଯୋଗ୍ୟତା ବିଏ ପାସ । କିନ୍ତୁ ସେ ଜାଣି ଜାଣି ସବୁବେଳେ ଅଜଣା ଚାଉଳ ଚୋବାଏ।  ପୁଅ ଆର୍ମିରେ ଚାକିରି କରିଛି . ତେଣୁ ବୋହୂ ବିଏ ପାସ ନକଲେ ଘରେ ପଶିବନି। 

କମଳିର କଥା କାନରେ ବାଜିଲା କି ନାହିଁ  ଗୁରିଆ ଘର ଭିତରୁ ମାଡିଆସିଲା । କହିଲା “କମଳି! ମାଲୋ, ତୋତେ କିଏ ମିଛକଥା କହିଛି ଆମ ପୁଅର ବାହାଘର ହୋଇଛି ବୋଲି , ତୁ କହିବୁକି କିଏ କହିଛି ?” । କମଳି କହିଲା “ନାଇଁ । ଜଦି ଭାର ତୋର ସମୁଦିଘର ଦେଇ ନାହାଁନ୍ତି ତ କହୁନୁ । “ନାଁ ତୋତେ ଖାଲି ଝିଅ ବୋଧେ ଦେଇଥିବେ । ବି.ଏ. ପଢିଲା ପରେ ଆଉ କାଇଁ କିଏ ଝିଅକୁ ଭାର ଦେଇ ବିଦା କରିବ? ”  କମଳି କଥାଟା ଗୁରିଆ ଦେହରେ କଣ୍ଟା ଭଳିଆ ଫୁଟିଗଲା।  “ତୁ କହୁନୁ କିଏ ପଠେଇଛି ତୋତେ?” ଗୁଡ଼େଇ ତୁଡ଼େଇ ପଚାରିଲା ଗୁରିଆ ଆଉ କମଳି କହିଲା “ଖବର କାଗଜ ବାଲା, ଖାଲି କାଗଜ ଫୋପାଡିକି ଯାଏ, କାଗଜ ପଢେଇକି ଶୁଣେଇକି ଯାଏନି” ଗୁରିଆ ଟିକେ ଭାବିକି  କହିଲା “ନାଇଁ ଲୋ ମା । ତୁ ଗିରିଧାରୀ ଘରକୁ ଯା, ତା ପୁଅର ଚାକିରୀ ହୋଇଛି ସେ ପରା ପୋଷ୍ଟମାଷ୍ଟର ହେଲାଣି।  ତାଙ୍କର ଆଜି ପୁଅ ଦେଖିବାକୁ ଆସୁଛନ୍ତି । ମଟନ ହୋଇଛି ସେଠି ଭାତ ଓ ମାଂସଝୋଳ ମିଳିଯିବ” । “ହଉ ମୁଁ ତ ଗୋଟେ ନୋକ ଆଉ ତୁମେ ସବୁ ଭାରକୁ ଖାଅ । ମୁଁ ଯାଉଛି, କହି କମଳି ଗିରିଧାରୀ ଘର ଆଡେ ଚଳିଲା । ପିଲାମାନେ ବି ତା ପଛେପଛେ ଚାଲିଲେ। 

“ଲୋ ସାଅନ୍ତ ମା । କୁଆଡେ ଗଲୁକି? ତୋ ପୁଅ ପରା ଚାକିରି ପାଇଛି  – ପୋଅଷ୍ଟ ମାଷ୍ଟର ।” “ଆଜି କଣ ତୁମର ମାଉଁଶ ଝୋଳ ହୋଇଛି  ?  ଗାଁରେ ଗିରିଧାରୀ ମାର ସମ୍ମାନ ବେଶୀ । ସେ ପୂଜାପୂଜିରେ ବ୍ୟସ୍ତ ଥାଏ । ଯିଏ ଯାହା ମାଗେ ନାଇଁ କହେ ନାହିଁ । ବହୁତ ଠାକୁର ବିଶ୍ୱାସୀ । ଗିରିଧାରୀ ମା ବାହାରକୁ ଆସି   ପଡିଥିବା କାଠ ଚୌକିରେ ବସି, କମଳିକୁ ଧିରେ ସ୍ଥିରେ କହିଲା “ମୋ ପୁଅର ଚାକିରୀବାକିରୀ କିଛି ହେଇନି, ବଇନନାକୁ ପଚାରିଥିଲି ତାର ଛଅ ମାସ ପରେ ଚାକିରୀ ହେବ ବୋଲି ଜାତକ ଦେଖି କହିଛି”। କମଳି କହିଲା “ବଇନ ଗୋଟେ ଜ୍ୟୋତିଷ, ଆଉ ଅସରପା ଗୋଟେ ଚଢେଇ” ତାଙ୍କର ଏହି କଥା ଭିତରେ ଗିରିଧାରୀର ବାପା ଭୀମା ଆସି କମଳି ପଛପଟେ ଛିଡା ହୋଇଯାଇଥାଏ । ଭୀମା ତା ନା ଭଳି ସୁସ୍ଥ ସବଳ ଡେଙ୍ଗା ଲୋକଟିଏ । ଗାଁ ରେ ସବୁଠୁ ବଡ ଚାଷୀ । ସେ କମଳି ର କାନ୍ଧଧରି ପଛପଟକୁ ବୁଲେଇ ପଚାରିଲା “ତତେ କିଏ କହିଲା ମୋ ପୁଅର ଚାକିରୀ ହୋଇଛି ବୋଲି” । କମଳି ଉତ୍ତର ଦେଲା “ମତେ କଣ ଅଜଣା କି” । ଭୀମା ତାକୁ ରାଗି କି କହିଲା “ସେ ବାଜେ କଥା ଗୁଡ଼ାକ କହନା, ତୁ ପା ଏବେ ଗୁରିଆ ଘର ଆଗରୁ ଆସିଲୁ” ।

ଭୀମା ରାଗ ତମତମ ହୋଇ ପଡିଥିବା ଗୋଟେ ବାଉଁଶ ଠେଙ୍ଗା ଧରି ଗୁରିଆ ଘର ଆଡକୁ ଚାଲିଲା । ଗୁରିଆ ଘର ଆଗରେ ପହଞ୍ଚି ଆଗେ ଠେଙ୍ଗାକୁ ଦୁଇଥର ପିଣ୍ଡାରେ ବାଡ଼େଇଦେଲା । ଶବ୍ଦ ଶୁଣି ଗୁରିଆ ମା ବାହାରି ଆସି କର୍କଶ ଗଳାରେ ପଚାରିଲା “ହଇରେ, ଉଗୁରିଉଠିଆ ଭୀମା, ତତେ କଣ କାଳିସୀ ଲାଗିଛି କିରେ ? ମୋ ପିଣ୍ଡାକୁ କାହିଁକି ବାଡେଇଲୁ ?”ଭୀମା ଉତ୍ତର ଦେଲା “ତୋ ପିଣ୍ଡାକୁ କଣ ବାଡେଇଛି, ଏବେ ତମ ସମସ୍ତଙ୍କୁ ବାଡେଇକି ମନ ଥଣ୍ଡା କରିବି । ” “କାହିଁକି? ଗୁରିଆ ମା କହିଲା “ତୋର କାହିକି ଏତେ ପିତ୍ତ ଚଢିଛି ବା ” । ଭୀମା ଦାନ୍ତ ରଗଡି କହିଲା “ମୋ ପୁଅର ଚାକିରୀ ହୋଇନି ବୋଲି, ଥଟ୍ଟା ତାମସା କରୁଛ  ?” ଘରର ପିଣ୍ଢା ଆରପଟୁ ଗୁରିଆ ପାଟିକଲା “ଆବେ ମାଇପି  ଲୋକ ସହ କଣ ପାଟିତୁଣ୍ଡ କରୁଛୁ ? ରହ ମୁଁ ଯାଉଛି” । ଭୀମା ଉତ୍ତର ଦେଲା ଆ ….. ଆ ତୋରି ପାଇଁ ତ ମୁଁ ଆଇଛି, ଗାଁ ଫଉଦାରୀ ଭଳି ପୁଣି ତତେ ଡାକ୍ତରଖାନା ପଠେଇବି । ଗୁରିଆ କହିଲା ମୁଁ ତ ସେ ବଦଲା ନେବାପାଇଁ ଅପେକ୍ଷା କରି ବସିଥିଲି ଆଜି ଯମ ପାଖକୁ ନିଜେ ଆସିଛୁ । ଗୁରିଆ ମା ଫେରିକି ଗୁରିଆ ପାଖକୁ ଗଲା ତାକୁ ଧରିକି ପଛକୁ ଭିଡି ନେବାକୁ ଚେଷ୍ଟା କଲା । ଗୁରିଆ କହିଲା “ଛାଡ଼େ  ମତେ ଆଜି ତାର ଦିନ କୁ ମୋର ଦିନେ , ସେ ଗାମୁଛା  ଦେ, ମୁ ଟିକେ ଠେକା ଭିଡିଦିଏ”  କହି ସେ ନିଜେ ଦୌଡି ଯାଇ ଗାମୁଛା ଆଣି ମୁଣ୍ଡରେ ଭିଡିଦେଲା ପୁଣି କହିଲା “ଆଉଗୋଟେ ଗାମୁଛା ଦେ ମୁଁ ଅଣ୍ଟାରେ ଭିଡେ ଆଜି ଲାଷ୍ଟ ଠେଙ୍ଗା ଚାଲିବ”। ଭୀମା ଶୁଣିକରି ଛିଗୁଲେଇକି କହିଲା  କହିଲା “ଛାତିରେ ଗୋଟାଏ ଗାମୁଛା ବି ଭିଡି ଦେ । ଆଜି ତୋର ଟୋଟାଲ ପଞ୍ଜରା ଭାଙ୍ଗିକି ଗୁଣ୍ଡ କରିଦେବି”। ଗୁରିଆ ଖାଲି ଦୁଇପାଦ ଆଗକୁ ଆସୁଥାଏ ତା ସ୍ତ୍ରୀ ତାକୁ ପୁଣି ଛାତିରୁ ଧରି ପିଣ୍ଡାରେ ଥିବା ଧାନବସ୍ତା ଥାକ ଉପରକୁ ପକେଇ ଦେଉଥାଏ । ସ୍ବାମୀସ୍ତ୍ରୀଙ୍କ ଟଣାଓଟରା ଦେଖି ଭୀମା କହିଲା “ତମ ଦୁଇ ଜଣ ଭିତରୁ କିଏ ମାଡ ଖାଇବ ଡିସାଇଡି କରିବ, ନା ମୁଁ ଅନ୍ଧାଧୁନିଆ ଆରମ୍ଭ କରିବି”।

ଏସବୁ କଥା ପଚାପୁଅ ତାର ପିଣ୍ଡା ଉପରେ ଦଉଡ଼ିଆ ଖଟ ଉପରେ ବିଷ୍ଣୁଙ୍କ ଅନନ୍ତ ଶୟନ ପରି ଦେଖୁଥିଲା । ଅଧା ଛପର ଚାଳ ଘର ଆଗରେ ଖଟିଆଟା ପକେଇ ଗଡ଼ପଡ଼ ହେଉଥାଏ ।  ରାଜଦୁତ ମଟରସାଇକଲକୁ ଧୋଇ ତେଲ ମାଲିସ କରି ଥକା ମାରୁଥାଏ ପଚାପୁଅ ।  ସେପଟେ ଗରମା ଗରମ ଯୁକ୍ତିତର୍କ ଚାଲିଥିବା ବେଳେ ସେ କାନ୍ଥକୁ ଲାଗିକି ଥିବା ରେଡିଓକୁ ମୋଡ଼ିଦେଲା ଗୀତ ବାଜୁଥାଏ ମେରେ ଦେଶ ପ୍ରେମୀଓଁ ଆପସ ମେ ପ୍ରେମ କରୋ ଦେଶ୍ ପ୍ରେମିଓଁ…………….”। ପଚାପୁଅ ମା ଆସି ତା ମୁଣ୍ଡ ପାଖରେ ଠିଆ କହିଲା “ଯାଇକି ଟିକେ ଅଟକା ସେମାନଙ୍କୁ  ଅଜଥାରେ ଗଣ୍ଡଗୋଳ ହୋଇଯିବ”। ପଚାପୁଅ ଉତ୍ତର ଦେଲା “ତୁ ଅଜଥା ମୋ ମୁଣ୍ଡକୁ ଗରମ କରନା” । ପଚାପୁଅ ମା ପୁଣି ତାକୁ ଉଠାଇବାକୁ ଚେଷ୍ଟା କରିବାରୁ ସେ ଉଠିକି ବସିଲା, ବଡ ପାଟିରେ କହିଲା “ଗୋଟିଏ ଧଣ୍ତ କୁ ଗୋଟାଏ କୋଚିଆ, କ’ଣ ଗଣ୍ଡୋଗଳ ହେବ ସେଠିକି କିଏ ଯ଼ିବ କହିଲୁ? ” 

ଏପଟେ, ଭୀମା ଏବଂ ଗୁରିଆ ଭିତରେ ଚାଲିଥିବା ତାମସା ମଧ୍ୟକୁ ଗାଁର ଜଣେ ମୁଖିଆ ଶ୍ରେଣୀର ଲୋକ କ୍ଷୀରନନା ପଶିଆସିଲେ । ସେ ଭୀମାକୁ କୁଣ୍ଢେଇ ଧରି କହିଲେ ସେ ଯ଼ାହା ହୋଇଛି ସଂଧ୍ୟାବେଳେ ଗାଁ ନିସାପରେ ମିମାଂଶା ହେବ, ଏବେ ସବୁ ତୁନି ହୁଅ। ଗାଁ ଗଣ୍ଡଗୋଳକୁ କେହି ଅଟକେଇଲେ ଗଣ୍ଡଗୋଳଟା ଘିଅପୁଆଁ ନିଆଁ ଭଳିଆ ପୁଣି ହୁତହୁତ ହେଇଉଠେ ଏ ନିଜର ସମସ୍ତଙ୍କର ଅଳ୍ପେବହୁତେ ଥିବ। କ୍ଷୀରନନାକୁ ଦେଖି ଗୁରିଆକୁ ସାହାସ ଆସିଗଲା । ସେ ପିଣ୍ଡାରୁ ତଳକୁ ଡେଇଁ ଭୀମା ଆଗରେ ଓ କ୍ଷୀରନନା ପଛପଟେ ଛିଡା ହୋଇଗଲା।   କହିଲା “କ୍ଷୀରନା ଛାଡ ତାକୁ ଆଜି  ତାର ଦିନେ କି ମୋର ଦିନେ” । ବାଡି ଉଠେଇ ଭୀମାକୁ ପାହାରେ ପକାଇବାକୁ ଉଦ୍ୟତ ହେଲାବେଳକୁ  ଭୀମା କ୍ଷୀରନନାକୁ ଠେଲିଦେଲା।  ପାହାର ଟି କ୍ଷୀର ନନାର ପିଠିରେ ଲାଥୁକିନା ବାଜିଲା । ଏପଟେ ଭୀମା ବାଆଁ ହାତରେ ବାଡି ବୁଲାଇ ଆଣୁ ଆଣୁ ଗୁରିଆ କ୍ଷୀର ନନାକୁ ପଛ ପଟୁ ଧରିପକେଇଲା ଫଳରେ ବାଡିଟି ଗୁରିଆ ଗୋଡରେ ନ ବାଜି କ୍ଷୀର ନନାର ଠିକ ଆଣ୍ଠୁରେ ବାଜିଲା । ଏତିକି ବେଳେ ପଚାପୁଅ ପିଣ୍ଡା ଉପରୁ ଡେଇଁ ଉଭୟଙ୍କ ମଝିରେ ଠିଆ ହେଇଗଲା। ଦୁଇ ଜଣଙ୍କ ଠାରୁ ବାଡି ଛଡେଇ ନେଲା। ହେଲେ ଗୁରିଆ ଠେଙ୍ଗା ସହିତ ତାର ଧୋତି ବି ଭିଡି କରି ପଳେଇଲା ପଚାପୁଅ। ଧୋତିର ଗୋଟିଏ ପଟେ ପଚାପୁଅ ଥିଲା ଆଉଗୋଟେ ପଟେ ଗୁରିଆ ଅଧା ଗୁଡା ହୋଇ ତା ପଛେ ପଛେ ଧାଉଁଥିଲା ।ଉଭୟଙ୍କ ପଛରେ  ଭୀମା ଯାଉଥିଲା । ସେପଟେ କ୍ଷୀରନନା କାଠଗଣ୍ଡି ଖଣ୍ଡେ ଦେଖି ବସିପଡିଲା।  ଖନେଇ ଖନେ କ୍ଷୀରନନା କହୁଥିଲେ ” କି ଯୁଗ ହେଲା” ।

 

ଡହଡହ ଖରାଦିନେ ଗାଁରେ ଏମିତି ଚରିତ୍ରମାନେ ଲୀଳା ଚଳାଇଥିବା ବେଳେ ବୁଲିବୁଲି ପୁଣି ଆବିର୍ଭୁତ ହେଲା କମଳି । କମଳିକୁ ଦେଖି ସନିଆ ବୋହୂ କହିଲା “କମଳି ଖାଇବା ହୋଇ ସାରିଲାଣି, ଟିକେ ରହ ନେଇ କି ଯିବୁ” । କମଳି ସନିଆ ବୋହୂ ଆଡକୁ ନ ଅନାଇ ମୁହଁ ଛିଞ୍ଚାଡ଼ି କହିଲା “ତୁମ ଘରୁ କିଏ ଭିକ ନେବ, ତମର ତ ଛୁତିକିୟା ହୋଇଛି ”। ସନିଆ ବୋହୂ ମନ ଦୁଃଖରେ ଘର ଭିତରକୁ ପଳେଇଲା ।

 

ସଂଧ୍ୟାରେ ଗାଁ ମଝି ରାସ୍ତାରେ ମିଟିଙ୍ଗ ବସିଲା । ଚାରିପାଞ୍ଚଟି କାଠ ଚେୟାର ମଧ୍ୟରୁ କ୍ଷୀରନନା ବଙ୍କେଇ କରି ବସିଥିଲା ବେଳେ ସବୁ ନିରବତାକୁ ଭଙ୍ଗକରି ଘୋଷଣା କଲେ “ଏ ଯୁଗରେ ସତ୍ୟ ଆଉ ନାହିଁ” । ସନିଆ ଭିଡ ଭିତରୁ କହିଲା “ସତ୍ୟ କଥା ଛାଡ ହୋ,ଆଗେ କୁହ କିଏ ମିଛ କଥା କହିଲା ଯେ ଆମର ଛୁତିକିଆ ହୋଇଛି । ମୋ ବୋହୂର ପିଲା ପାଇଟି  ହଉନି ବୋଲି ଛିଗୁଲେଇ ହଉଛ । ସେଠୁ ଭୀମା ଛିଡା ହୋଇ କହିଲା “ଆଗେ ଆମକଥା ସମାଧାନ କର । ଗୁରିଆ ଘର ଆଡୁ କମଳି ଆମ ଘରକୁ ଗଲା, ଗୁରିଆ ଘରର କିଏ କହିଥିବ ଯେ ମୋ ପୁଅର ଚାକିରୀ ହୋଇଛି ? ଗୁରିଆ ପୁଅର ଚାକିରୀ ହୋଇଯାଇଛି ବୋଲି ସେ ନିଶ୍ଚୟ ମୋ ବେକାର ପୁଅ ସହିତ ଏମିତି ଟିଟିକାରୀ କରୁଛି।”  ଗୁରିଆ କିଛି ଉତ୍ତର ଦେଲା ନାହିଁ । ଭୀମା ପୁଣି କହିଲା “ ଗୁରିଆ କିଛି କହୁନି ବସିଛି ମାନେ, ସେ ହିଁ  କହିଥିବ” । ଗୁରିଆ କହିଲା “କମଳି କା ଘର ବିଷୟରେ ନ ଜାଣେ ସିଏ କାଇଁ ମନରୁ ଭାବି କହିନଥିବ । ଚେୟାର ଉପରେ ବସିଥିବା କ୍ଷୀର ନନା କହିଲେ “କମଳି ଗୋଟିଏ ବାର୍ତ୍ତାବହ, ସେ ନିଜ ମନରୁ କିଛି କୁହେ ନି” । ଭୀମା କ୍ଷୀରନନା କୁ ଉତ୍ତର ଦେଲା “ତମେ ମଝିରେ ଆସିଗଲ ବୋଲି, ନ ହେଲେ ଗୁରିଆ ଦି ପାହାରରେ ସବୁ ସତ ଓଗାଳି ଦେଇଥାନ୍ତା” ସଭାରେ ବସିଥିବା ସମସ୍ତେ ଭାବୁଥାନ୍ତି ଏଥର ତ ନିଶ୍ଚୟ କିଛି ହେବ।   ଗୁରିଆ ରାଗିକି ଉଠିଲା “ତୁ ଏକୁଟିଆ ମରଦ, ବାଡେଇ ଦେବୁ” । ପୁଣି ଦୁଇ ଜଣ ଅଣ୍ଟା ଭିଡା ହୋଇ ଗଣ୍ଡଗୋଳ ହେବାକୁ ଉଦ୍ୟତ ହେବା ବେଳକୁ ସମସ୍ତେ ହୋହାଲ୍ଲା ଆରମ୍ଭ କରିଦେଲେ ।  ଏହି ସମୟରେ ଗିରିଧାରୀ ଡାକ ଦେଲା “କମଳି ଗାଡିଆ କୂଳରେ, ପଡିଛି ଧାଇଁ ଆସ” । ସମସ୍ତେ ଗାଡିଆ ଆଡ଼େ ଦୌଡିଲେ ।

ଗାଡିଆ କୁଳରେ କମଳି ନିସ୍ତେଜ ହୋଇ ପଡିଥାଏ । ଗାଁର ସବୁ ଇମରଜେନସିରେ ଆଗରେ ରହୁଥିବା ପଚାପୁଅ ଭିଡକୁ ଆଡେଇ ଆଗକୁ ଆସିଲା“ ଦିନସାରା ଖାଇନି ବୋଲି ୟାର ଏ ଅବସ୍ଥା ।  ମୁ ମୋର ମଟରସାଇକେଲ ଟା ଆଣେ ତାକୁ ଡାକ୍ତରଖାନା ନେଇଯିବା” କହିଲା ପଚାପୁଅ। ପଚାପୁଅର ବାହାଦୂରୀ ଗିରିଧାରୀକୁ ହଜମ ହେଲାନି। ବେଳ ଦେଖି ଫୋଡି ଦେଲା ସେ ।  କହିଲା “ତୋ ଗାଡି ଷ୍ଟାଟ ହେବ ତ?” ପଚାପୁଅ ଉତ୍ତର ଦେଲା “ହୁଁ କଣ ଭାବୁଛୁ କି ?”ଏହା କହି ସେ ଦୌଡିକରି ଘର ଆଡକୁ ଗଲା । କିଛି ଲୋକ କମଳି କୁ ଉଠେଇ କରି ଆଣି ରାସ୍ତା ଉପରେ ବସାଇ ତା ମୁହଁରେ ପାଣି ଛିଞ୍ଚିଲେ କିନ୍ତୁ କମଳି ହୁଁ କି ଚୁଁ କିଛି କହୁନଥିଲା।  କେହିଜଣେ କମଳିର ଗୋଡ଼ ବୁଢ଼ା ଆଙ୍ଗୁଠିକୁ ଚିପିକି ଧରିଥାଏ କାଳା ସେ ଉଠିଯିବ ଚେଷ୍ଟା ଜାରି ରଖିଥାଏ। ଏସବୁ ଭିତରେ ପଚାପୁଅ ଦୁରରୁ ଗାଡି ଗଡେଇ ଗଡ଼େଇ ପହଞ୍ଚିଲା।  ଗିରିଧାରୀ କଥାକୁ ଜୋର ମିଳିଗଲା ଆଉ ସେ ବି ତାକୁ ଅଟକାଇ ରଖିପାରିଲାନି। “ମୁଁ କହିଛି ନାଁ ତୋ ଗାଡି ଷ୍ଟାଟ ହେବନିଁ, ସେ ଗାଡ଼ିରେ ତେଲ ଅଛି କି ନାହିଁ ଦେଖେ ” ପଚାପୁଅ କଣ ଉତ୍ତର ଦେଉଛି ନଶୁଣି  ଗିରିଧାରୀ ଗାଁ ଆଡକୁ ପଳେଇଲା । ପଚାପୁଅ କିନ୍ତୁ ଗିରିଧାରିକୁ ଉତ୍ତର ଅନ୍ୟମାନଙ୍କୁ ଦେଉଥାଏ ଗାଡିଟା ଓଭର ଫ୍ଲୋ ହୋଇଯାଇଛି । ମୁ ଚୋକ ଦେଇଛି ଷ୍ଟାଟ ହୋଇଯିବ । ଏହା କହି ସେ ଗୋଟେ ପରେ ଗୋଟେ କିକ୍ ମାରି ଚାଲିଲା । ଗାଡି କିନ୍ତୁ  ଷ୍ଟାର୍ଟ ହେବାର ନାଁ ନେଉ ନଥାଏ । ପଚାଶଟା ଗୋଟେ କିକ ମାରିଲା ପରେ ମୁଣ୍ଡରୁ ଝାଳ ପୋଛି କି କହିଲା, “ହାଟରେ ପେଟ୍ରୋଲରେ କିରାସିନି ମିଶାଉଛନ୍ତି କଉଠୁ ଗାଡି ଷ୍ଟାଟ ହେବ ?” ଗିରିଧାରୀ ସେତେବେଳକୁ ଗୋଟାଏ ଟ୍ରଲି ଧରି ପହଞ୍ଚି ଯାଇଥାଏ । ସେ ପଚାପୁଅ ମୁହଁ ଆଡକୁ ଅନେଇ କହିଲା ନେ ଟ୍ରଲି ଚଲା, ମୁଁ କମଳି କି ଧରି ପଛରେ ବସୁଛି”। ସେମିତି ହିଁ ହେଲା ଗାଁ ରାସ୍ତାରେ ଆମ୍ବୁଲାନସ ଗଡ଼ିଲା।  ପଚାପୁଅ ଟ୍ରଲି ଧରିଲା ଗିରିଧାରୀ କମଳି କୁ ଟେକି ଟ୍ରଲି ପଛରେ ପକେଇଲା।   ଦୁଇଜଣ ଯାକ ଗାଁ ର ଅନ୍ଧାର ରାସ୍ତାରେ ଆଗକୁ ଚାଲିଲେ । ଟ୍ରଲି ପଛେ ପଛେ କିଛି ଗାଁ ଲୋକ ମଧ୍ୟ ପାଟିତୁଣ୍ଡକରି ଚାଲିଲେ ।

ପଞ୍ଚାୟତ ଡାକ୍ତରଖାନାରେ କମଳି ପଡିଥାଏ ତାର ଗୋଟେ ହାତରେ ସାଲାଇନ ଲାଗିଥାଏ ଏବଂ ଅନ୍ୟ ହାତକୁ ଗିରିଧାରୀ ମା ଧରି ଗୋଟେ ଷ୍ଟୁଲ ଉପରେ ବସିଥାଏ । ବେଡର ଅନ୍ୟପଟେ ଆଉଗୋଟେ ଷ୍ଟୁଲରେ ଗୁରିଆ ସ୍ତ୍ରୀ ବି ବସିଥାଏ । କମଳି ଗ୍ଲୁକୋଜ ପାଣି ପି ଓ ସାଲାଇନ ନେଇ ଟିକେ ଚେଙ୍ଗା ହୋଇଯାଇଥାଏ । ଟିକେ ଟିକେ ସୁସ୍ଥ ହେବା ପରେ କମଳି ଧିରେ ଧିରେ କଥା କହିଲା । କେମିତି ଗାଡ଼ିଆ ପାଖରେ ତାର ମୁଣ୍ଡ ବୁଲେଇ ପକାଇଲା କହିଲା।  ମୁଣ୍ଡପାଖରେ ଡାକ୍ତର ତାଗିଦ କରିଦେଲେ ବେଶୀ କଥାବାର୍ତ୍ତା କରନା ବିଶ୍ରାମ ନିଅ।  ରାତିରେ ଟିକେ ହାଲକା ଖାଇବାକୁ ପରାମର୍ଶ ବି ଦେଲେ ଡାକ୍ତର।  ସାର ଆପଣ ଘରକୁ ଯାଆନ୍ତୁ ଡାକ୍ତରଙ୍କୁ ପରାମର୍ଶ ଦେଲା କମଳି ପରେ ଅବଶ୍ୟ ଚୁପ ହୋଇଗଲା।  କମଳିରେ କଥାରେ ବିରକ୍ତ ହୋଇଯାଇଥିଲେ ବି ଆଜ୍ଞାଧୀନ ଛାତ୍ର ଭଳି ଚାଲିଗଲେ। 

          ଗୁରିଆ ସ୍ତ୍ରୀ କମଳି ମୁହଁରେ ଟିକେ ଆଳୁ ଭଜା ଦେଉ ଦେଉ ପଚାରିଲା “ତତେ କିଏ କହିଲା ଯେ ମୋ ପୁଅର ବାହାଘର ହୋଇଯାଇଛି ବୋଲି ? । କମଳି ଏ ପ୍ରଶ୍ନ ଶୁଣି ସେ ପଟକୁ କଡ ଲେଉଟେଇ ଦେଲା ଯେଉଁ ପଟେ ଗିରିଧାରୀ ମା ବସିଥିଲା । ଗିରିଧାରୀ ମାକୁ କମଳି କହିଲା “ତୁ ଜାଣିଛୁ ଏ ଡାକ୍ତରର ସ୍ତ୍ରୀ ସହିତ ବଳସାରଙ୍କ ପୁଅର ଭିତିରିଆ ଚାଲିଛି । ସେଇଥିପାଇଁ ସେ ରାତିରେ ରୋଗୀ ଦେଖିବାକୁ ଯ଼ାଆନ୍ତି ନାହିଁ । ଗିରିଧାରୀ ମାଁ କମଳି କୁ ପଚାରିଲା ଏ କଥା ତତେ କିଏ କହିଲା । କମଳି ଉତ୍ତର ଦେଲା ମେତେ ତ ଖାଲି ସମସ୍ତେ କହୁଛନ୍ତି ମୁଁ କଣ କିଛି ଜାଣୁଛି ନା ଦେଖୁଛି।   ଏବେକାର ହ୍ବାଟସ ଆପ ଭଳି ସେତେବେଳେ କମଳିକୁ ସିନା ସମସ୍ତେ ଦୋଷ ଦେଉଥିଲେ କମଳିକୁ ଛାଡ଼ିପାରୁନଥିଲେ।   “END TO END ENCRYPED ” .

 

One thought on “ଶୁଭେନ୍ଦ୍ର କୁମାର ସାମଲଙ୍କ ଗଳ୍ପ ‘ସେ ଯୁଗର ହ୍ୱାଟ୍ସଆପ୍’

Leave a Reply

Your email address will not be published. Required fields are marked *