ଖୋର୍ଦ୍ଧା, ୦୩/୦୯ : କଥାରେ ଅଛି ମଣିଷ ନିଜ ନାମ ଦ୍ୱାରା ନୁହେଁ ନିଜର କାମ ଦ୍ଵାରା ଯଶ ଅର୍ଜନ କରି ଥାଏ। ଯାହାର ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛନ୍ତି ଖୋର୍ଦ୍ଧା ଜିଲ୍ଲାର ଯଶସ୍ବିନୀ ସାହୁ। ପିଲାଟି ଦିନରୁ ଖୋର୍ଦ୍ଧା ପାରମ୍ପରିକ ନୃତ୍ୟ ପାଇକ ଆଖେଡା ପ୍ରତି ତାଙ୍କର ଥିଲା ଅହେତୁକ ଦୁର୍ବଳତା । ଏହା ସହ ଥିଏଟରରେ ଅଭିନୟ କରି ବହୁ ଯଶ ଅର୍ଜନ କରିଛନ୍ତି ଯଶସ୍ବିନୀ । ଅଭିନୟ କି ନୂତ୍ୟ ପାଇଁ ସେ କୌଣସି ତାଲିମ ଗ୍ରହଣ କରି ନାହାନ୍ତି। ନିଜର ଦକ୍ଷତା ଓ ଆଗ୍ରହ ପାଇଁ ସେ ପାଇକ, ଢେଲସା, ସମ୍ବଲପୁରୀ ନୃତ୍ୟ ଅତି ନିଖୁଣ ଭାବେ ପରିବେଷଣ କରି ପାରନ୍ତି।
ପିତା ପ୍ରମୋଦ କୁମାର ସାହୁ, ମା ପ୍ରତିମା ସାହୁଙ୍କ ସୁପୁତ୍ରୀ ହେଲେ ଯଶସ୍ବିନୀ। ଅଭିନୟ ଓ ନୃତ୍ୟ ପାଇଁ ସେ ତାଙ୍କ ଜେଜେ ବାପାଙ୍କ ଠାରୁ ପ୍ରେରଣା ପାଇଛନ୍ତି ବୋଲି କୁହନ୍ତି। ରାଜ୍ୟସ୍ତରୀୟ ନୃତ୍ୟ ପ୍ରତିଯୋଗିତାରେ ସେ ତୃତୀୟ ସ୍ଥାନ ଅଧିକାର କରିବା ସହ ୟୁଥ ଫେଷ୍ଟିଭାଲରେ ଚାରି ଥର ଯୋଗ ଦେଇ ଜିଲ୍ଲାସ୍ତରୀୟ ଉତ୍ତୀର୍ଣ୍ଣ ହୋଇଥିଲେ। ନିଜର ମାଟି ପ୍ରତି ଭଲ ପାଇବା ଓ ଭାଷା ପ୍ରତି ମୋହ ତାଙ୍କୁ ଆଗକୁ ବଢ଼ିବାରେ ସହଯୋଗ କରୁଛି।
ଓଡ଼ିଆ ଭାଷାରେ ଏମ. ଫିଲି କରି ସାରି ସେ ଓଡ଼ିଆ ଭାଷା ସାହିତ୍ୟ ପାଇଁ ଅନୁଧ୍ୟାନ ଜାରି ରଖିଛନ୍ତି। ଯାହାର ପ୍ରମାଣ ତାଙ୍କ କଲମରୁ ଝରି ଯାଇଥିବା କବିତା ପଢିଲେ ମିଳିପାରେ। ଖୋର୍ଦ୍ଧାର ସୁନା ଝିଅ ଯଶସ୍ବିନୀଙ୍କ ଯଶ ଦିନେ ସାରା ବିଶ୍ଵ ଦେଖିବ ଏଥିରେ ସନ୍ଦେହ ନାହିଁ।