ରିଲିଜ୍ ହେଲା ଓଡ଼ିଆ ଫିଲ୍ମ ବାଘ ବଜାରୀ Dance of Tigers

ଭୁବନେଶ୍ଵର, ୦୩/୦୭ : ରିଲିଜ୍ ହେଲା ଓଡ଼ିଆ ଫିଲ୍ମ ବାଘ ବଜାରୀ Dance of Tigers। କଟକ ଏବଂ ଭୁବନେଶ୍ଵରର ଆଇନକ୍ସରେ ଏହି ଫିଲ୍ମଟି ପ୍ରସାରଣ ହେଉଛି। ନିଚ୍ଛକ କାହାଣୀ ଏବଂ ସତ୍ୟ ଘଟଣା ଉପରେ ଆଧାରିତ ଏହି ଚଳଚ୍ଚିତ୍ର ସମସ୍ତଙ୍କ ମନକୁ ଛୁଇଁବ ବୋଲି ଚଳଚ୍ଚିତ୍ର ନିର୍ମାତାଙ୍କର ଆଶା ରହିଛି। ଏହି ଚଳଚ୍ଚିତ୍ରର କାହାଣୀ ୪ ବନ୍ଧୁ ସେମାନଙ୍କର ବାଲ୍ୟକାଳର ଶିକ୍ଷକଙ୍କୁ ମନେ ପକାଇ ତାଙ୍କୁ ଦେଖା କରିବା ଲାଗି ବାହାରିଛନ୍ତି। ଘଟଣାଚକ୍ରରେ ଏମାନେ ବାଘ ବଜାରୀ ଖେଳର ଛକାପଞ୍ଝା ମଧ୍ୟରେ ଫସି ଯାଇଛନ୍ତି । ଓଡ଼ିଶାର ଜଙ୍ଗଲରୁ ଗୋଟିଏ ପରେ ଗୋଟିଏ ବନ୍ୟ ଜନ୍ତୁଙ୍କୁ ହତ୍ୟା କରାଯାଉଛି, ବିଭିନ୍ନ ସମୟରେ ବାଘଛାଲ ଜବତ ହେଉଛି। ୱାଇଲଡ ଲାଇଫ ଟ୍ରାଫିକିଂ ଓଡ଼ିଶା ପାଇଁ ଏକ ବଡ଼ ସମସ୍ୟା ହୋଇ ଉଭା ହେଲାଣି। ଏସବୁ କଥା ଫିଲ୍ମଟିର କାହାଣୀ ଛୁଇଁଥିବା ବେଳେ ମଣିଷର ବାଘ ଭଳି ହିଂସ୍ର ଆଚରଣକୁ ଏହା ଦେଖାଉଛି।

ଫିଲ୍ମରେ ହର ରଥ, ପ୍ରିତିରାଜ ଶତପଥୀ, ଚିତ୍ତରଞ୍ଜନ ବିଶ୍ବାଳ, ତିଳୋତ୍ତମା ସାହୁ, ବୁଲୁ ପଣ୍ଡା, ଜୟନ୍ତ ସାନ୍ତରା, ଶିବାନୀ ଖରା, ଦୁର୍ଯ୍ୟୋଧନ, ଦେବଦତ୍ତ ପ୍ରଧାନ ପ୍ରମୁଖ ଅଭିନୟ କରିଛନ୍ତି। ଭଞ୍ଜନଗରର ପ୍ରସିଦ୍ଧ ମହେନ୍ଦ୍ର ପାତ୍ରଙ୍କ ବାଘ ନାଚ ଗ୍ରୁପ ମଧ୍ୟ ଏଥିରେ ସେମାନଙ୍କର ନାଚ ପ୍ରଦର୍ଶନ କରିଛନ୍ତି । ଶ୍ରୁତିରେଖା ମିଶ୍ରଙ୍କ ପ୍ରଯୋଜିତ ଏହି ଫିଲ୍ମର କାହାଣୀ ଓ ଚିତ୍ରନାଟ୍ୟ ମିହିର ରଞ୍ଜନ ଆଚାର୍ଯ୍ୟ ଲେଖିଥିବା ବେଲେ ଦେବଦତ୍ତ ପ୍ରଧାନ ଓ ମିହିର ରଞ୍ଜନ ଆଚାର୍ଯ୍ୟ ମିଳିତ ଭାବେ ଏହା ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମରେ ଦୁଇଟି ଗୀତ ଅଛି ଯାହାକୁ ନାଟ୍ୟକାର ବିଜୟ ଦାସ ଲେଖିଥିବା ବେଳେ ସଂଗୀତ ମଧ୍ୟ ଦେଇଛନ୍ତି । ଫିଲ୍ମର ଅଧିକାଂଶ ଭାଗ ବଡ଼ମ୍ବା, ଖୋର୍ଦ୍ଧା ଓ ଭୁବନେଶ୍ବର ଉପକଣ୍ଠରେ ସୁଟିଂ କରାଯାଇଛି ।

Leave a Reply

Your email address will not be published. Required fields are marked *