ପିଲାଙ୍କୁ ଚାପଗ୍ରସ୍ତ କରେ ମା’ ବାପାଙ୍କର କଠୋର ବ୍ୟବହାର, ପ୍ରଭାବିତ ହୁଏ ପିଲାଙ୍କ ଡିଏନଏ

ନୂଆଦିଲ୍ଲୀ, ୨୮/୧୦ : ପିଲାଙ୍କୁ ଚାପଗ୍ରସ୍ତ କରେ ମା’ ବାପାଙ୍କର କଠୋର ବ୍ୟବହାର । ଏଭଳି ବ୍ୟବହାର କଲେ ସେମାନେ ଅବସାଦର ଶିକାର ହୁଅନ୍ତି । ମସ୍ତିଷ୍କ ଉପରେ ଗଭୀର ପ୍ରଭାବ ପଡ଼େ । ସଦାସର୍ବଦା ପାଇଁ ସେମାନେ ମାନସିକ ରୂପେ ରୋଗଗ୍ରସ୍ତ ହୋଇପାରନ୍ତି । କଠୋର ଅନୁଶାସନ ଯୋଗୁ ପିଲା ଆତ୍ମବିଶ୍ୱାସ ହରାଇ ଦିଅନ୍ତି । ବଡ଼ ହେବା ପରେ ମଧ୍ୟ ସେମାନେ ଏଥିରୁ ବାହାରି ପାରନ୍ତି ନାହିଁ ବୋଲି ସଦ୍ୟ ଅଧ୍ୟୟନରୁ ଜଣାପଡ଼ିଛି ।

ଦୁଷ୍ଟାମି ଲାଗି ପିଲାଙ୍କୁ ଗାଳି କରିବା ସ୍ୱାଭାବିକ । କିନ୍ତୁ ସର୍ବଦା ସେମାନଙ୍କ ପ୍ରତି କଠୋର ବ୍ୟବହାର ପ୍ରଦର୍ଶନ ଦ୍ୱାରା ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରଭାବିତ ହୁଏ । ମା’ବାପା ଯଦି ପିଲାଙ୍କୁ ସର୍ବଦା କଠୋର ବ୍ୟବହାର ପ୍ରଦର୍ଶନ କରିବେ, ତେବେ ଏହାର ପ୍ରଭାବ ପିଲାଙ୍କ ଡିଏନ୍‌ଏ ଉପରେ ପଡ଼ିପାରେ । ସେମାନଙ୍କ ଡିଏନ୍‌ଏ ବଦଳିପାରେ।

ବେଲ୍‌ଜିୟମ୍‌ର ଲିଉଭେନ୍‌ ବିଶ୍ୱବିଦ୍ୟାଳୟରେ ହୋଇଥିବା ଅଧ୍ୟୟନରୁ ଏହା ଜଣାପଡ଼ିଛି । ଅଧ୍ୟୟନରେ ସାମିଲ ସମସ୍ତ ପିଲାଙ୍କ ଡିଏନ୍‌ଏରେ ବୈଜ୍ଞାନିକମାନେ ୪.୫୦ ଲକ୍ଷ ଚିହ୍ନ ପାଇଥିଲେ, ଯେଉଁଥିରେ ଅଭିଭାବକଙ୍କ ଗାଳିର ପ୍ରଭାବ ପଡ଼େ । ଆମ୍‌ଷ୍ଟର୍ଡମ୍‌ ମେଡିକାଲ ସେଣ୍ଟର୍‌ ୟୁନିଭର୍ସିଟିର ପ୍ରଫେସର କ୍ରିଷ୍ଟିଆନ୍‌ ୱିଙ୍କର୍ସ କହିଛନ୍ତି, ଚାପ ଡିଏନ୍‌ଏର ମିଥେଲେଶନ୍‌ ନିୟାମକ ତନ୍ତ୍ରକୁ ପ୍ରଭାବିତ କରେ । ଏହା ଦ୍ୱାରା ପୁରୁଣା ଓ ଭୁଲିଯାଇଥିବା ଚାପ ମଧ୍ୟ ଉଜାଗର ହୁଏ ।

ଅଧ୍ୟୟନରେ ସାମିଲ ବୈଜ୍ଞାନିକଙ୍କ ଦାବି ଅନୁଯାୟୀ, କଠୋର ଅନୁଶାସନ ଦେଇ ଆସିଥିବା ପିଲା ବଡ଼ ହେବା ପରେ ମଧ୍ୟ ବନ୍ଧୁ କରିପାରନ୍ତି ନାହିଁ । ଏମାନଙ୍କ ପାଇଁ ଲୋକଙ୍କ ସହ ଭାବନାତ୍ମକ ରୂପେ ଯୋଡ଼ିହେବା ମୁସ୍କିଲ ହୋଇଥାଏ । ସମାଜଠୁ ସେମାନେ ଦୂରେଇ ରହନ୍ତି । ପଢ଼ାରେ ମଧ୍ୟ ବହୁତ ଭଲ କରିପାରନ୍ତି ନାହିଁ । କଠୋର ଅନୁଶାସନ ପିଲାଙ୍କ ଶାରୀରିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଏ । ସେମାନେ ରୋଗଗ୍ରସ୍ତ ରହନ୍ତି । ଏହାର ପ୍ରଭାବ ପିଲା ସାରା ଜୀବନ ଭୋଗିଥାଏ ବୋଲି ବୈଜ୍ଞାନିକମାନେ ବୁଝାଇଛନ୍ତି ।

ଅନ୍ୟମାନଙ୍କ ସାମ୍ନାରେ ପିଲାକୁ ଗାଳି କରିବା ଉଚିତ ନୁହେଁ । ମାର୍‌ପିଟ ଭଳି କାର୍ଯ୍ୟକଳାପ ମଧ୍ୟ ଠିକ୍‌ ନୁହେଁ । ଏହାକୁ ସେମାନେ ନିଜ ସମ୍ମାନ ଉପରେ ଆକ୍ରମଣ ବୋଲି ମନେକରନ୍ତି । ଏହା ଦ୍ୱାରା ପିଲା ଜିଦିଆ ଓ କ୍ରୋଧୀ ସ୍ୱଭାବର ହୋଇଯାଆନ୍ତି । ସେମାନଙ୍କ ବ୍ୟବହାରରେ ପରିବର୍ତ୍ତନ ଆସେ । ମା’ବାପାଙ୍କୁ କଥା ଲୁଚାଇବା ଆରମ୍ଭ କରନ୍ତି । ନିଜର କ୍ରୋଧ ଅନ୍ୟତ୍ର ପ୍ରଦର୍ଶନ କରନ୍ତି । ଧୀରେ ଧୀରେ ହିଂସକ ହୋଇଯାଆନ୍ତି ।

Leave a Reply

Your email address will not be published. Required fields are marked *