ସୁନ୍ଦର ଦେଖାଯିବାକୁ ପିନ୍ଧୁଛନ୍ତି କି ଆକର୍ଷଣୀୟ ପୋଷାକ, ଆରାମଦାୟକ ନହେଲେ ସ୍ଵାସ୍ଥ୍ୟ ପାଇଁ ସୃଷ୍ଟି କରେ ସମସ୍ୟା

ଭୁବନେଶ୍ଵର, ୦୪/୧୧ : ପୋଷାକ ପ୍ରତିଟି ମଣିଷ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ । ସୁନ୍ଦର ଦେଖାଯିବା ପାଇଁ ଭିନ୍ନ ଭିନ୍ନ ପୋଷାକ ପିନ୍ଧିଥାଉ। କିନ୍ତୁ ଆମେ ଧ୍ୟାନ ଦେବା ଉଚିତ୍‌ ଯେ ପୋଷାକ ଆକର୍ଷଣୀୟ ସହ ଆରାମଦାୟକ ହେବା ମଧ୍ୟ ଜରୁରି । ଅନେକ ସମୟରେ ଆମ ପୋଷାକ ହିଁ ଆମ ପାଇଁ ସମସ୍ୟା ସୃଷ୍ଟି କରିଥାଏ । ଚାଲନ୍ତୁ ଜାଣିବା କ’ଣ ସେ ଭୁଲ୍‌ଗୁଡିକ, ଯାହା ଆମେ ସୁଧାରିପାରିବା ।

ଟାଇଟ୍‌ ପୋଷାକ :
ଆଜିକାଲି ପ୍ରାୟ ମହିଳା ଟାଇଟ୍‌ ପୋଷାକ ପିନ୍ଧିବାକୁ ଫ୍ୟାଶନ୍‌ ଭାବି ନେଇଛନ୍ତି । ଜିନ୍ସଠାରୁ ଆରମ୍ଭ କରି ବେଲ୍ଟ ଏପରିକି ଅନ୍ତର୍ବସ୍ତ୍ର ପର୍ଯ୍ୟନ୍ତ ସବୁ କିଛି ଟାଇଟ୍‌ ହିଁ ଚୟନ କରୁଛନ୍ତି । ଜାଣନ୍ତି କି? ଏଭଳି ପୋଷାକ ଅନେକ ସମସ୍ୟାର କାରଣ ହୋଇପାରେ । ଟାଇଟ୍‌ ପୋଷାକ ଯୋଗୁ ପେଟ ଉପରେ ଚାପ ପଡିଥାଏ, ଯାହାକୁ ଇଣ୍ଟ୍ରାଗ୍ୟାଷ୍ଟ୍ରିକ୍‌ ପ୍ରେସର୍‌ ବା ଇଣ୍ଟ୍ରାଏବଡୋମିନଲ୍‌ ପ୍ରେସର୍‌ ବୋଲି କୁହାଯାଏ । ଏହା ଏସିଡ୍‌ ରିଫ୍ଲକ୍ସକୁ ବଢାଇଥାଏ । ଫଳରେ ଛାତି ଜଳାପୋଡା ହୋଇଥାଏ ।

କମ୍ପ୍ରେସନ୍‌ ଅଣ୍ଡର ଗାର୍‌ମେଣ୍ଟସ୍‌ :
ଆଜିକାଲିର ଅତ୍ୟାଧୁନିକ ଜୀବନଶୈଳୀ କାରଣରୁ ଅନେକ ଲୋକ ପେଟ ସହ ଓଜନ ବଢିବା ପରି ସମସ୍ୟାକୁ ନେଇ ଚିନ୍ତାରେ ରହୁଛନ୍ତି । ଏହି ସ୍ଥିତି ଯୋଗୁ ପ୍ରାୟ ଲୋକ ନିଜର ପସନ୍ଦର ପୋଷାକ ପିନ୍ଧିବା ପାଇଁ କମ୍ପ୍ରେସନ୍‌ ଅଣ୍ଡର ଗାର୍‌ମେଣ୍ଟସ୍‌ ବା ସଙ୍କୋଚନ ଅନ୍ତର୍ବସ୍ତ୍ର ବ୍ୟବହାର କରୁଛନ୍ତି । ନିଜ ଶରୀରକୁ ସୁନ୍ଦର ଦେଖାଯିବ ଭାବି ଏଭଳି ପୋଷାକ ବ୍ୟବହାର କରିବା କ୍ଷତିକାରକ ସାବ୍ୟସ୍ତ ହୋଇପାରେ ।

ଟାଇଟ୍‌ ଟାଇ ଓ ସାର୍ଟ :
କେବଳ ମହିଳା ନୁହନ୍ତି, ପୁରୁଷମାନଙ୍କ ପାଇଁ ମଧ୍ୟ ଟାଇଟ୍‌ ପୋଷାକ ସୃଷ୍ଟି କରିପାରେ ସମସ୍ୟା । ବିଶେଷକରି ପୁରୁଷମାନେ ଟାଇଟ୍‌ ଟାଇ ପିନ୍ଧିବା ଦ୍ୱାରା ଗଳାରେ ରକ୍ତ ସଞ୍ଚାଳନଜନିତ ସମସ୍ୟା ଉପୁଜିଥାଏ । ଷ୍ଟ୍ରୋକ୍‌ ରିସର୍ଚ୍ଚ ଆଣ୍ଡ୍‌ ଟ୍ରିଟ୍‌ମେଣ୍ଟ ଜର୍ଣ୍ଣାଲରେ ପ୍ରକାଶିତ ଏକ ଗବେଷଣା ଅନୁସାରେ, ୪୦ ଜଣ ସୁସ୍ଥ ପୁରୁଷଙ୍କ ଉପରେ ଟାଇଟ୍‌ ଟାଇର ପ୍ରଭାବ ଜାଣିବା ପାଇଁ ନେକ୍‌ଟାଇ ଡିଭାଇସ୍‌ର ଉପଯୋଗ କରିଥିଲେ, ଯେଉଁଥିରେ ସେରେବ୍ରୋ ଭାସ୍କୁଲାର୍‌ରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ଏହା ଷ୍ଟ୍ରୋକ୍‌ର ଏକ କାରଣ ମଧ୍ୟ । ସମସ୍ୟା ସୃଷ୍ଟି କରୁଥିବା କେତେକ ପୋଷାକ ରହିଛି, ଯାହା ଶରୀରରେ ଜ୍ୱଳନ ଓ ଆଲର୍ଜି ସୃଷ୍ଟି କରିଥାଏ । ତେଣୁ ପୋଷାକ ଚୟନ ବେଳେ ନିଜ ପାଇଁ ଆରାମଦାୟକ ପୋଷାକକୁ ଗୁରୁତ୍ୱ ଦେବାକୁ ଭୁଲନ୍ତୁନାହିଁ । ଖାସ୍‌କରି ଉଲେନ୍‌ ପୋଷାକ ଅନେକ ଲୋକଙ୍କ ପାଇଁ ଆଲର୍ଜିର କାରଣ ହୋଇପାରେ, ଯାହାକୁ ସାଧାରଣରେ କଣ୍ଟ୍ରାକ୍ଟ ଟର୍ମାଟାଇଟିସ୍‌ କୁହାଯାଏ ।

ସିନ୍ଥେଟିକ୍‌ ପୋଷାକ :
ପ୍ରାୟ ଲୋକ ନିଜ ପାଇଁ ସିନ୍ଥେଟିକ୍‌ ପୋଷାକ ଚୟନ କରିଥାନ୍ତି । ଯେଉଁ ଲୋକମାନଙ୍କର ତ୍ୱଚା ସମ୍ବେଦନଶୀଳ କିମ୍ବା କୌଣସି ଏଗ୍‌ଜିମାର ଇତିହାସ ରହିଥିବ । ସେମାନଙ୍କ ପାଇଁ ଏହି କପଡା ଆଦୌ ଠିକ୍‌ ନୁହେଁ । ଶରୀରରେ ଜ୍ୱଳନ ହେବାର ଆଶଙ୍କା ରହିଥାଏ । ସେହିପରି ଯେଉଁମାନଙ୍କର ଆଲର୍ଜି ସମସ୍ୟା ରହିଥିବ, ସେମାନେ ମଧ୍ୟ ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି । ଏହାବ୍ୟତୀତ ମୋଜା ଓ ଅନ୍ତର୍ବସ୍ତ୍ରରେ ଲାଗିଥିବା ରବର କାରଣରୁ କିଛି ମହିଳାଙ୍କ ତ୍ୱଚାରେ ଆଲର୍ଜି ପରି ପ୍ୟାଚ୍‌ ଦେଖିବାକୁ ମିଳିଥାଏ । ଅନ୍ତର୍ବସ୍ତ୍ରରେ ବ୍ୟବହାର ହୋଇଥିବା ନାଇଲନ୍‌ ଓ ଲାଇକ୍ରା ପରି ସିନ୍ଥେଟିକ୍‌ ଫାଇବର ମଧ୍ୟ ସମସ୍ୟା ସୃଷ୍ଟି କରିଥାଏ ।

Leave a Reply

Your email address will not be published. Required fields are marked *