ଏଇଠୁ ଆରମ୍ଭ ହେବା କଥା ସ୍ବଚ୍ଛ ଭାରତ ଅଭିଯ଼ାନ। ନେତାଙ୍କ ଫଟୋ ସାଙ୍ଗକୁ ଅଳିଆ ଫଟୋ ବି ଚିକଚିକ ଦିଶନ୍ତା ଏସବୁ ଫଟୋକୁ ଦେଖିବା ପରେ ଆପଣ କେବେବି କହିପାରିବେନି ଏହା ଏକ ହସ୍ପିଟାଲ କିମ୍ବା ଏହାର ନିକଟବର୍ତ୍ତୀ ସ୍ଥାନ । କିନ୍ତୁ ଏହା ହସ୍ପିଟାଲର ଅଳିଆ ଗଦା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଛପଟେ ରହିଛି ଯକ୍ଷ୍ମା ୱାର୍ଡ ଓ ଏହା ନିକଟରେ ରହିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର କାର୍ଯ୍ୟାଳୟ ।
ମେଡ଼ିକାଲ ପରିସରରେ ଏଭଳି ଅଳିଆ ଆବର୍ଜନା ଜମା ହୋଇ ରହିଥିବା କାରଣରୁ ଏବେ ମଶା, ମାଛିଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ଫଳରେ ରୋଗୀ ଓ ରୋଗୀଙ୍କୁ ନେଇ ଆସିଥିବା ଲୋକେ ମଧ୍ୟ ଅଣନିଶ୍ବାସୀ ହୋଇପଡୁଛନ୍ତି । ଏ ହେଉଛି କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଦୃଶ୍ୟ
ଡ଼ମ୍ପିଂୟାର୍ଡ ଯୋଗୁଁ ଯକ୍ଷ୍ମା ଭଳି ରୋଗର ଚିକିତ୍ସା ପାଇଁ ଆସୁଥିବା ରୋଗୀ ସମସ୍ୟାର ସମ୍ମୁଖିନ ହେଉଥିବା ଅଭିଯୋଗ ହୋଇଛି । ସେପଟେ ମୃତଦେହ ବ୍ୟବଚ୍ଛେଦ ଗୃହକୁ ଯିବାକୁ ହେଲେ ଏହି ଅଳିଆ ଆବର୍ଜନା ଉପରେ ମାଡିକି ଯିବାକୁ ପଡେ । ଦୀର୍ଘ ଦିନ ଧରି ମେଡିକାଲରେ ବ୍ୟବହୃତ ସାମଗ୍ରୀ ଓ ଅଳିଆ ଆବର୍ଜନା ପଡିରହିଥିବାରୁ ଏହା ପଚିଷଢ଼ି ଏବେ ଦୁର୍ଗନ୍ଧ ହେବାରେ ଲାଗିଛି । ଆଉ ଏସବୁ ଅଳିଆରୁ ବାଛି ବାଛି ଅଳିଆ କିଛି ଗାଈଗୋରୁ ଖାଉଛନନ୍ତି ।
ଭାବନ୍ତୁ ତ ହସ୍ପିଟାଲରୁ ଗାଈଗୋରୁ ପ୍ଲାଷ୍ଟିକ ଆବର୍ଜନା ଖାଉଛନ୍ତି । ତାଛଡ଼ା ଏସବୁ ଆବର୍ଜନା ଏଠାରେ ପଡ଼ି ରହିବା ଦ୍ବାରା କାହାର ଗୌରବ ବୃଦ୍ଧି ହେଉଛି ସେ ପ୍ରଶ୍ନ ଲୋକେ ପଚାରୁଛନ୍ତି। ଜିଲ୍ଲା ପ୍ରଶାସନର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କର ବା ମୁନିସିପାଲିଟିର । ଲୋକେ କେବଳ ଅପେକ୍ଷା କରିଛନ୍ତି କେବେ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡ଼ିବ ଅଳିଆ ତକ ହସ୍ପିଟାଲରୁ ଉଠିବ। ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପଚାରିବାରୁ ଦୁଇ ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ କରାଯିବ ବୋଲି ସୂଚନା ଦେଇଥିବା ବେଳେ କ୍ୟାମେରା ସାମ୍ନାରେ ପ୍ରତିକ୍ରିୟା ଦେବାକୁ ମନା କରି ଦେଇଥିଲେ ।