ଜର ହେଉଛି, ମୁଣ୍ଡ ବିନ୍ଧୁଛି, ମେଡିସିନ ଖାଇଲେ ଭଲ ହେଉନି। ତାପରେ ଆଉ ଏକ ମେଡିସିନ ବି ଖାଇବି ହେବନି, କାରଣ ଅତିକମରେ ଦ୍ବିତୀୟ ମେଡିସିନ ଡୋଜର ବ୍ୟବଧାନକୁ ଅପେକ୍ଷା କରିବାକୁ ପଡିବ। ଏଭଳି ଅବସ୍ଥାରେ ରୋଗ ଗୁରୁତର ମୋଡ ନେଇପାରେ କିମ୍ବା ଅସହ୍ୟ ଯନ୍ତ୍ରଣା ପାଇଁ ମଣିଷ ଜଟିଳ ସ୍ଥିତିର ସମ୍ମୁଖୀନ ହୋଇପାରେ। ଏସବୁ ପଛର କାରଣ ହେଉଛି ନକଲି ଔଷଧ। ରାଜ୍ୟରେ ଅନେକ ଜରୁରୀ ମେଡିସିନ ନକଲି ମିଳୁଛି। ଏକଥା ବିଧାନସଭାର ତଥ୍ୟରୁ ଜଣା ପଡ଼ିଛି।

ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ପ୍ରଶ୍ନରେ ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଦେଇଛନ୍ତି ଏହି ଲିଖିତ ଉତ୍ତର। ଏସବୁ ମେଡିସିନ ଆପଣ ସାଧାରଣରେ ଖାଇଥାନ୍ତି । ଯେମିତିକି ପେଣ୍ଟାପ୍ରାଜୋଲ୍, ଲିଭୋସେଟ୍ରିଜିନ, ଟେଲମାଷ୍ଟ୍ରାଟିନ, ପାରାସିଟାମଲ…. ଏମିତି ୮୦ଟି ନକଲି ଔଷଧ ମାର୍କେଟରୁ ମିଳୁଛି। ୪ ବର୍ଷରେ ଚିହ୍ନଟ ହେଲାଣି ୧୬୮ଟି ନକଲି ମେଡିସିନ। କେବଳ ସେତିକି ନୁହେଁ, ୩୮୮ ଟି ନିମ୍ନମାନର ମେଡିସିନ ଚିହ୍ନଟ ହୋଇଛି। ଯାହାକୁ nsq ବା not of standard quality କୁହାଯାଉଛି । 2021 ରେ 79 ଟି, 2022 ରେ 64 ଟି, 2023 ରେ 14 ଟି ଏବଂ 2024 ରେ 11 ଟି ନକଲି ମେଡ଼ିସିନ ଚିହ୍ନଟ ହୋଇଛି । ୪ ବର୍ଷରେ ଅଢେଇ କୋଟିରୁ ଅଧିକ ଟଙ୍କାର ନକଲି ଔଷଧ ଜବତ ହୋଇଛି। ଏହାକୁ ନେଇ ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି। ବିଜେଡି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିବା ବେଳେ ସ୍ଵାସ୍ଥ୍ୟମନ୍ତ୍ରୀ କହିଛନ୍ତି, ନକଲି ମେଡିସିନ ବିକ୍ରିର ଖୋଳତାଡ଼ ହେଉଛି।
ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି, “ନକଲି ଔଷଧ ବନ୍ଦ କରିବା କଥା । ନକଲି ଔଷଧ ବ୍ୟାନ ହେବା ଯୁକ୍ତିଯୁକ୍ତ । ସରକାର ଚାହିଁଲେ ବ୍ୟାନ କରିପାରିବେ । ନକଲି ଔଷଧ ଖାଇ ଲୋକେ କ୍ଷତିଗ୍ରସ୍ତ ନହୁଅନ୍ତୁ । ଲୋକଙ୍କ ସ୍ୱାସ୍ଥ୍ୟ ଯେପରି ଖରାପ ନ ହେଉ । ମୃତ୍ୟୁ ମୁଖରେ ଲୋକେ ନପଡ଼ନ୍ତୁ । ତାହା ଉପରେ ନଜର ଦେବା ସରକାରଙ୍କ ଦାୟିତ୍ୱ । ବିଭାଗ ବାରମ୍ବାର ଚଢ଼ାଉ କରିବା କଥା ।
ନକଲି ଔଷଧ ନେଇ ସରକାରଙ୍କୁ ଘେରିଛି କଂଗ୍ରେସ । କଂଗ୍ରେସ ବିଧାୟକ ରାଜନ ଏକ୍କା କହିଛନ୍ତି, “ନକଲି ମେଡ଼ିସିନ ବେପାରରେ ବଡ଼ ଲୋକଙ୍କ ହାତ ରହିଛି । ନକଲି ମେଡ଼ିସିନରେ ହଜାର ହଜାର କୋଟି ଟଙ୍କାର ବେପାର ହେଉଛି । ବିଷ ଦେଇ ଲୋକଙ୍କୁ ମାରିବା ଲାଗି ବ୍ୟବସ୍ଥା ହେଉଛି । ଲୋକଙ୍କ ଜୀବନ ସହ ବିଭିନ୍ନ ଜାଲି କମ୍ପାନୀ ଖେଳୁଛନ୍ତି । ଚଢ଼ାଉକୁ ଆହୁରି ଜୋରଦାର କରି ନକଲି ଔଷଧ ଜବତ କରାଯାଉ ।
ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, “ସ୍ୱାସ୍ଥ୍ୟ ବିଭାଗ ଆକ୍ସନ ମୁଡ଼ରେ ଅଛି । ଡ୍ରଗ୍ସ ନିୟନ୍ତ୍ରଣ ନିର୍ଦ୍ଦେଶାଳୟ ନିୟମିତ ଚଢ଼ାଉ କରୁଛି । ଏପରିକି ଅନେକ ନକଲି ଔଷଧ ଜବତ କରିଛନ୍ତି । ଆଗାମୀ ଦିନରେ ଏହି ପ୍ରକ୍ରିୟା ଜୋରଦାର ହେବ । ଆଗାମୀ ଦିନରେ ତୃଣମୂଳ ସ୍ତରରେ ନିୟନ୍ତ୍ରଣ କରିବା ଲାଗି ସରକାର ପଦକ୍ଷେପ ନେଉଛନ୍ତି ।
ବଜାରରେ ନକଲି ମେଡିସିନ ବିକ୍ରି ନେଇ ସ୍ଵାସ୍ଥ୍ୟ ବିଶେଷଜ୍ଞ ବି ଉଦବେଗ ପ୍ରକାଶ କରିଛନ୍ତି। ସେମାନେ ସତର୍କ କରାଇ ଦେଇଛନ୍ତି ନକଲି ଓ ନିମ୍ନମାନର ମେଡିସିନ ଖାଇଲେ ଦେହ ଭଲ ହେବା ବଦଳରେ ଅଧିକ ଖରାପ ହେବ। ଏହାକୁ ରୋକିବାକୁ ବ୍ୟାପକ ସଚେତନତା ସହିତ କଡ଼ା ଆଇନ ଆଣିବାର ଆବଶ୍ୟକତା ରହିଛି। ପ୍ରସ୍ତୁତକର୍ତ୍ତାଙ୍କଠାରୁ ଆରମ୍ଭ କରି ଷ୍ଟକିଷ୍ଟ, ରିଟେଲର, ସବୁଠି ଚଢାଉ ହେବା ଦରକାର। କଡ଼ା କାର୍ଯ୍ୟାନୁଷ୍ଠାନ ହେଲେ ଡର ପଶିବ। ଭେଷଜ ନିୟନ୍ତ୍ରକ ମାମିନା ପଟ୍ଟନାୟକ କହିଛନ୍ତି, ନକଲି ମେଡିସିନ କାରବାରକୁ ରୋକିବାକୁ ଲଗାତର ଚଢାଉ ହେଉଛି।
ତଥ୍ୟ ଅନୁସାରେ କୋଭିଡ ସମୟରେ ସର୍ବାଧିକ ନକଲି ମେଡିସିନ କାରବାର ଚାଲିଥିଲା। ନିକଟରେ କଟକରୁ ଜବତ ହୋଇଥିବା ନକଲି ମେଡିସିନର ଚେର ବାହାରିଥିଲା ହିମାଚଳ ପ୍ରଦେଶରୁ। ଏବେ ପୁଣି ଅନଲାଇନରେ ବି ମେଡିସିନ କାରବାର ବଢିଛି। ଏଥିପାଇଁ ନକଲି ମେଡିସିନ ମାର୍କେଟରେ ପଶିବା ସହଜ ହୋଇଛି। ଅନଲାଇନରେ ଅଧିକ ରିହାତି ମିଳୁଥିବାରୁ ଲୋଭରେ ଲୋକେ ଅନଲାଇନକୁ ପସନ୍ଦ କରୁଛନ୍ତି। ଏହା ବି ନକଲି ମେଡିସିନ କାରବାର ଏକ କାରଣ ବୋଲି କୁହାଯାଉଛି।

ତେବେ ଆପଣ ନକଲି ମେଡିସିନ ଅସଲି ମେଡିସିନ ଜାଣିପାରିବେ କି
ଯେଉଁମାନେ ମେଡିସିନ ନକଲି କରୁଛନ୍ତି ସେମାନେ ଏତେବଡ଼ ପାପୀ ଯେ ସେମାନଙ୍କ ପାଇଁ ସାଧାରଣ ଦଣ୍ଡ ଯଥେଷ୍ଟ ନୁହେଁ । ତେବେ ବଜାରରୁ ଆପଣ ମେଡିସିନ କିଣିବା ବେଳେ କେତୋଟି ଜିନିଷ ପ୍ରତି ଧ୍ୟାନ ଦେବା ଉଚିତ।
1- ମେଡିସିନର ନାଁ ଠିକ୍ ଭାବେ ଯାଞ୍ଚ କରିନିଅନ୍ତୁ, ନାଁର ବନାନ କିଛି ଅଲଗା ନାହିଁ ତ
2- ମେଡିସିନର ପ୍ୟାକିଂ ଯାଞ୍ଚ କରନ୍ତୁ ଏହା ଖୋଲା ଯାଇନି ତ
3- ପ୍ୟାକିଂରେ ଲେଖାଗୁଡ଼ିକ କିଛି ଅସ୍ପଷ୍ଟ ଥିଲେ ସନ୍ଦେହ କରନ୍ତୁ
4- ମେଡିସିନର ବ୍ୟାଚ ନମ୍ବର ଓ ଏକ୍ସପାଏରି ଡେଟ ନିଶ୍ଚୟ ଦେଖନ୍ତୁ
5- ମେଡିସିନର ରଙ୍ଗ ଅଲଗା ଆସୁଥିଲେ ତାହାକୁ ଅନୁଧ୍ୟାନ କରନ୍ତୁ
6- ଏବେ ପ୍ରାୟ ମେଡିସିନରେ କ୍ୟୁ ଆର କୋଡ ଆସୁଛି ଏହାକୁ ଯାଞ୍ଚ କରିପାରିବେ
7- ବିଶ୍ବସ୍ତ ତଥା ରେଜିଷ୍ଟ୍ରେଡ ଷ୍ଟକିଷ୍ଟଙ୍କ ଠାରୁ ଔଷଧ କିଣନ୍ତୁ
8- ସେହିପରି ବିଶ୍ତସ୍ତ ଫାର୍ମା କମ୍ପାନିଙ୍କ ଔଷଧ ବ୍ୟବହାର କରନ୍ତୁ
9- ଦୋକାନି ମଧ୍ୟ ବିକ୍ରି ବଢାଇବା ପାଇଁ ଶସ୍ତା ବା ଡୁପ୍ଲିକେଟ କମ୍ପାନିର ଔଷଧ ପୁସ୍ ସେଲ୍ କରିପାରନ୍ତି ଏହାପ୍ରତି ସତର୍କ ରୁହନ୍ତୁ
ବଜାରରେ ଆଜିକାଲି ସବୁକିଛି ନକଲି ସାମଗ୍ରୀ ମିଳିଲାଣି । ଆପଣମାନେ ଯେକୌଣସି ଜିନିଷ କିଣୁଛନ୍ତି ସନ୍ଦେହ କରିବାରେ କିଛି ଅସୁବିଧା ନାହିଁ।

କିଛି ଦୋକାନୀ ନକଲି ଔଷଧ ବିକୁଛନ୍ତି