ଦେଶରେ ପ୍ରଥମ ବାର୍ଡ ଫ୍ଲୁରେ ମଣିଷ ମୃତ୍ୟୁ

ଦେଶରେ ପ୍ରଥମ ବାର୍ଡ ଫ୍ଲୁ ଜନିତ ମଣିଷ ମୃତ୍ୟୁ ଘଟିଛି । ତେବେ ଏହି ରୋଗ ମଣିଷରୁ ମଣିଷକୁ ସଂକ୍ରମିତ ହେଉନଥିବାରୁ ଡରିବାର ନାହିଁ ବୋଲି ଏମସ ଡାକ୍ତର ଆଶ୍ବସନା ଦେଇଛନ୍ତି । ହରିୟାଣାର ଏକ 11 ବର୍ଷର ବାଳକର ବାର୍ଡ ଫ୍ଲୁରେ ମୃତ୍ୟୁ ହୋଇଥିବାର ସ୍ପଷ୍ଟ ହୋଇଛି। ପିଲାଟି ଜୁଲାଇ 2 ତାରିଖରେ ଦିଲ୍ଲୀ ଏମସ୍ରେ ଭର୍ତ୍ତି ହୋଇଥିଲା। 10 ଦିନ ପରେ ତାର ମଲ୍ଟି ଅର୍ଗାନ ଫେଲ୍ୟୁରରେ ମୃତ୍ୟୁ ହୋଇଛି। ତେବେ କ୍ୟାନସରରେ ପୀଡ଼ିତ ଥିବା ଏହି ପିଲାଟିର ସବୁ ଲକ୍ଷଣ ବାର୍ଡ ଫ୍ଲୁ ଲକ୍ଷଣ ସହିତ ସମାନ ଥିଲା। ମୃତ୍ୟୁ ପରେ ସେ ବାର୍ଡ ଫ୍ଲୁରେ ସଂକ୍ରମିତ ଥିବାର ସ୍ପଷ୍ଟ ହୋଇଥିଲା। ତେଣୁ କେନ୍ଦ୍ର ଏହି କେସର ସବିଶେଷ ଅନୁଧ୍ୟାନ କରିବା ଲାଗି ନିର୍ଦ୍ଦେଶ ଦେଇଛି । ଏହା ପରେ କଣ୍ଟାକ୍ଟ ଟ୍ରେସିଂ ମଧ୍ୟ ଆରମ୍ଭ ହୋଇଛି।

 


ଭୂତାଣୁ ବିଶେଷଜ୍ଞମାନେ କହିଛନ୍ତି ଯେ ପିଲାଟି ସଂଭବତଃ କୁକୁଡ଼ା କିମ୍ବା ବତକଙ୍କର ଅତି ନିକଟ ସଂପର୍କରେ ଆସିଥିବ ଯେଉଁମାନଙ୍କଠାରୁ ଏହି ରୋଗ ସଂକ୍ରମିତ ହୋଇଥିବ। ଏହା ଏକ ନିର୍ଦ୍ଦିଷ୍ଟ କେସ୍ ହୋଇଥିବାରୁ ଏଥିରେ ଭୟଭୀତ ହେବାର କିଛି କାରଣ ନାହିଁ।ତେବେ କରୋନା ଏବଂ ବାର୍ଡ ଫ୍ଲୁର ଲକ୍ଷଣ ପାଖାପାଖି ସମାନଥିବାରୁ କରୋନା ସମରେ ବାର୍ଡ ଫ୍ଲୁରେ ଜଣେ ବାଳକର ମୃତ୍ୟୁ ଚିନ୍ତାଜନକ ହୋଇଛି। ଏଥିପାଇଁ କାଳେ ଅନ୍ୟକେହି ସଂକ୍ରମିତ ହୋଇଥିବେ ସେନେଇ ଖୋଜାଖୋଜି ଆରମ୍ଭ ହୋଇଛି।

ବାର୍ଡ ଫ୍ଲୁ ବା H5N1ମୃତ ବା ସଂକ୍ରମିତ ପକ୍ଷୀଙ୍କ ଠାରୁ ମଣିଷଙ୍କ ନିକଟକୁ ଆସିଥାଏ । ବିଭିନ୍ନ ଦେଶରେ ଏହାକୁ ନେଇ ଆଲର୍ଟ ମଧ୍ୟ ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *