ନୂଆଦିଲ୍ଲୀ, ୦୧/୦୨ : ଅନ୍ତରୀକ୍ଷକୁ ଯାତ୍ରା କରିଥିବା ପ୍ରଥମ ଭାରତୀୟ ମହିଳା କଳ୍ପନା ଚାୱଲା। ଆଜି ତାଙ୍କର ପୁଣ୍ୟତିଥି। ୨୦୦୩ରେ ତାଙ୍କର ପରଲୋକ ହୋଇଥିଲା। କଲମ୍ଵିଆ ସ୍ପେସ୍ ଶଟଲ ଉଡ଼ାଣ ସମୟରେ ଦୁର୍ଘଟଣା ଘଟି ତାଙ୍କର ମୃତ୍ୟୁ ହୋଇଥିଲା।
ହରିୟାଣାର କରନାଲରେ ୧୯୬୨ ମସିହା ମାର୍ଚ୍ଚରେ ୧୭ରେ ଜନ୍ମଗ୍ରହଣ କରିଥିଲେ କଳ୍ପନା ଚାୱଲା। ତାଙ୍କ ପିତାଙ୍କ ନାମ ବନାରସି ଲାଲ ଚାୱଲା ଏବଂ ମାତା ସଂଜ୍ୟୋତି ଚାୱଲା। କରନାଲରେ ସେ ତାଙ୍କର ଶିକ୍ଷା ଆରମ୍ଭ କରିଥିଲେ। ପିଲାଦିନର ତାଙ୍କର ମନ ପସନ୍ଦର ବିଷୟ ଥିଲା ବିଜ୍ଞାନ। ସେ ଜଣେ ଫ୍ଲାଇଟ୍ ଇଞ୍ଜିନିୟର ହେବାକୁ ଇଛା ରଖିଥିଲେ। ଏହି ସ୍ଵପ୍ନକୁ ପୂରଣ କରିବାକୁ କଳ୍ପନା ପଞ୍ଜାବ ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇଥିଲେ। ସେ ଏରୋନେଟିକାଲ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିଲେ। ଏହି ସମୟରେ ତାଙ୍କୁ ଚାକିରୀ ସୁଯୋଗ ମିଳିଥିଲା। ହେଲେ ସେ ପରବର୍ତ୍ତୀ ପାଠ ପଢିବା ପାଇଁ ଆମେରିକା ଚାଲିଯାଇଥିଲେ।
ଆମେରିକା ୟୁନିଭରସିଟି ଅଫ ଟେକ୍ସାସ୍ରେ ସେ ନାମ ଲେଖାଇଥିଲେ। ଦୁଇ ବର୍ଷ ପାଠ ପଢିବା ପରେ ସେ ୧୯୮୬ରେ ସେ ଦ୍ଵିତୀୟ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ୧୯୮୮ରେ ସେ ଏରୋସ୍ପେସ୍ ଇଞ୍ଜିନିୟରିଂରେ ପିଏଚଡି କରିଥିଲେ। ଏହି ମଧ୍ୟରେ ସେ ଅନ୍ତରୀକ୍ଷ ଯିବା ପାଇଁ ନିର୍ଦ୍ଧାରଣ କରିସାରିଥିଲେ। ତାଙ୍କ ପାଖରେ ସେତେବେଳକୁ କମରସିଆଇଲ ପାଇଲଟ ଲାଇସେନ୍ସ ଥିଲା। କଳ୍ପନା ସାର୍ଟିଫାଏଡ୍ ଫ୍ଲାଇଟ୍ ଇନଷ୍ଟ୍ରକ୍ଟର ହୋଇସାରିଥିଲେ। ଏହାପରେ ସେ ଫ୍ରାନ୍ସ ଯାଇ ବିବାହ କରିଥିଲେ। ୧୯୯୩ରେ କଳ୍ପନା ପ୍ରଥମ ଥର ପାଇଁ ନାସାରେ ଆବେଦନ କରିଥିଲେ। ହେଲେ ତାଙ୍କୁ ରିଜେକ୍ଟ କରାଯାଇଥିଲା। ୧୯୯୫ରେ ତାଙ୍କୁ ଅନ୍ତରୀକ୍ଷ ଯାତ୍ରୀ ରୂପରେ ନାସା ଚୟନ କରିଥିଲା। ୧୯୯୮ରେ ଅନ୍ତରୀକ୍ଷ ପାଇଁ ସେ ଉଡ଼ାଣ ବରିଥିଲେ। ୩୭୨ ଘଣ୍ଟାର ଯାତ୍ରା କରି ସେ ଐତିହାସିକ ରେକର୍ଡ କରିଥିଲେ।
୨୦୦୩ରେ ସେ ଦ୍ଵିତୀୟ ଥର ପାଇଁ ଅନ୍ତରୀକ୍ଷ ଯାତ୍ରା କରିଥିଲେ। ହେଲେ ଦୁର୍ଭାଗ୍ୟର ବିଷୟ ଏହି ଯାତ୍ରା ସମୟରେ କଳ୍ପନାଙ୍କ ମୃତ୍ୟୁ ହୋଇଥିଲା।