କେନ୍ଦ୍ର ବଜେଟ୍‌ରେ ମହିଳାଙ୍କୁ ସମ୍ମାନ, ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଲାଗି ୨୫,୪୪୮ କୋଟି ଟଙ୍କା ଆବଣ୍ଟନ

ଭୁବନେଶ୍ଵର, ୦୨/୦୨ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ସଂସଦରେ ବଜେଟ୍‌ ଉପସ୍ଥାପନ କରିଛନ୍ତି । ଏଥିରେ ମହିଳାମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରିବା ଲାଗି ଫୋକସ୍‌ ଦିଆଯାଇଛି । ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଲାଗି ୨୫,୪୪୮ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ପୂର୍ବ ବଜେଟ୍‌ ତୁଳନାରେ ଏହା ୨୬୭ କୋଟି ଟଙ୍କା ଅଧିକ । ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା ରାଷ୍ଟ୍ରୀୟ ଗ୍ରାମୀଣ ଆଜୀବିକା ମିଶନରେ ଗ୍ରାମୀଣ ମହିଳାମାନଙ୍କୁ ୮୧ ଲକ୍ଷ ସ୍ୱୟଂ ସହାୟତା ଗୋଷ୍ଠୀ ସହ ଯୋଡ଼ାଯାଇଛି । ଏହି ଗୋଷ୍ଠୀଗୁଡ଼ିକୁ ପରବର୍ତ୍ତୀ ସ୍ତର ପର୍ଯ୍ୟନ୍ତ ନିଆଯିବ । ଆଗାମୀ ସମୟରେ ଏହି ଗୋଷ୍ଠୀଗୁଡ଼ିକରେ ବୃହତ୍‌ ମାତ୍ରାରେ ମହିଳାଙ୍କୁ ସାମିଲ କରାଯିବ । ସେମାନଙ୍କୁ କଞ୍ଚାମାଲ ଯୋଗାଇ ଦିଆଯିବ ଏବଂ ଉନ୍ନତ ଡିଜାଇନ୍‌ ଲାଗି ତାଲିମ ପ୍ରଦାନ କରାଯିବ ।

ଆଜାଦୀ କା ଅମୃତ ମହୋତ୍ସବକୁ ସ୍ମରଣ ସ୍ୱରୂପ ୨୦୨୫ ମାର୍ଚ୍ଚ ସୁଦ୍ଧା ଅର୍ଥାତ ୨ ବର୍ଷ ନିମନ୍ତେ ‘ମହିଳା ସମ୍ମାନ ବଚତ୍‌ ପତ୍ର’ ଆରମ୍ଭ କରାଯିବ । ଏହି ଯୋଜନା ଅନୁସାରେ ମହିଳାମାନେ ୨ ବର୍ଷ ନିମନ୍ତେ ନିବେଶ କରିପାରିବେ । ସେମାନେ ୨ ବର୍ଷ ଲାଗି ୨ ଲକ୍ଷ ଟଙ୍କା ଜମା କରିପାରିବେ । ଏଥିରେ ୭.୫% ସୁଧ ପ୍ରଦାନ କରାଯିବ । ଏହାର ଲାଭ ଉଠାଇବା ପାଇଁ ଯେ କୌଣସି ମହିଳା, ଯୁବତୀ ଖାତା ଖୋଲିପାରିବେ । ଟଙ୍କା ଉଠାଇବା ପାଇଁ ସର୍ତ୍ତ ଲାଗୁ ହେବ । ଏହାବ୍ୟତୀତ ପିଏମ୍‌ କିଷାନ ସମ୍ମାନ ନିଧି ଯୋଜନାରେ କ୍ଷୁଦ୍ର ଚାଷୀଙ୍କ ଲାଗି ୨.୨୫ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏଥିରୁ ୩ କୋଟି ମହିଳା ଚାଷୀଙ୍କୁ ୫୪ ହଜାର କୋଟି ଟଙ୍କା ମିଳିବ । ସକ୍ଷମ ଅଙ୍ଗନବାଡ଼ି ଓ ପୋଷଣ ୨.୦ ଅଧୀନରେ ଅଙ୍ଗନବାଡ଼ି ସେବା, ପୋଷଣ ଅଭିଯାନ ଲାଗି ୨୦,୫୫୪ କୋଟି ଟଙ୍କା ଆବଣ୍ଟନ ହୋଇଛି ।

ବାତ୍ସଲ୍ୟ ମିଶନରେ ୧,୪୭୨ କୋଟି ଟଙ୍କା ଓ ମିଶନ ଶକ୍ତିରେ ୩,୧୪୩ କୋଟି ଟଙ୍କା ଆବଣ୍ଟନ ହୋଇଛି । ପୂର୍ବ ବଜେଟ୍‌ରେ ହୋଇଥିବା ୩,୧୮୪ କୋଟି ଟଙ୍କା ତୁଳନାରେ ଏହା ସାମାନ୍ୟ କମ୍‌ । ସେଣ୍ଟ୍ରାଲ୍‌ ଆଡପ୍‌ସନ୍‌ ରିସୋର୍ସ ଏଜେନ୍ସି, ନ୍ୟାସନାଲ୍‌ କମିଶନ ଫର୍‌ ପ୍ରୋଟେକ୍ସନ୍‌ ଅଫ୍‌ ଚାଇଲ୍ଡ ରାଇଟ୍ସ ଏବଂ ନ୍ୟାସନାଲ କମିଶନ ଫର୍‌ ୱିମେନ ଭଳି ସ୍ୱାୟତ୍ତ ନିକାଶକୁ ୧୬୮ କୋଟି ଟଙ୍କା ପ୍ରଦାନ କରାଯାଇଛି ।

Leave a Reply

Your email address will not be published. Required fields are marked *