ଟେକ୍ସଟାଇଲ୍ ଡିଜାଇନର ଚାକିରୀ ଛାଡି ଗାଁରେ ପରିବା ଚାଷ ଆରମ୍ଭ କଲେ ମହିଳା, ଦିନକୁ କରୁଛନ୍ତି ୫ ହଜାର ଆୟ

ନୂଆାଦିଲ୍ଲୀ, ୨୭/୦୯ : ଖୁବ୍ ଶୀଘ୍ର ବିକାଶର ନୂଆ କୀର୍ତ୍ତିମାନ୍ ସ୍ଥାପନ କରିବ ଭାରତ। ନୂଆ ଟେକ୍‌ନିକ୍ ଏବଂ ଜ୍ଞାନକୌଶଳ ଉପଯୋଗ କରି ଦେଶରେ କୃଷି କ୍ଷେତ୍ରରେ ବହୁ ଗୁରୁତ୍ଵପୂର୍ଣ୍ଣ ପରିବର୍ତ୍ତନ ହୋଇଛି। ଯାହାଦ୍ଵାରା ଚାଷ କାର୍ଯ୍ୟକୁ ନେଇ ଲୋକମାନଙ୍କ ଦୃଷ୍ଟିକୋଣ ବଦଳିଛି। ଆଜି ଆମେ ଏଭଳି ଜଣେ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଟେକ୍ସଟାଇଲ୍ ଡିଜାଇନର କାମ ଛାଡି ଏବେ ଚାଷ କାର୍ଯ୍ୟ କରୁଛନ୍ତି। ଏଥିରେ ସଫଳ ମଧ୍ୟ ହୋଇଛନ୍ତି। ଏହି ମହିଳା ଜଣଙ୍କ ହେଉଛନ୍ତି କୌଶମ୍ଵି ଜିଲ୍ଲାର ପଶ୍ଚିମ ଅମ୍ଵାୱା ନିବାସୀ ପ୍ରୀତି। ସେ ଚାଷ କାର୍ଯ୍ୟ କରି ନିଜେ ଆତ୍ମନିର୍ଭର ହେବା ହିତ ଗ୍ରାମର ଅନ୍ୟମାନଙ୍କୁ ଆୟ ଯୋଗାଇଛନ୍ତି।

ଗାଁରେ ଚାଷବାସରୁ ବିଶେଷ ଲାଭ ହେଉନଥିବା ଯୋଗୁଁ ଲୋକମାନେ ଏଥିରୁ ମୁହଁ ଫେରାଇ ନେଉଥିଲେ। ବହୁ ଲୋକ ଚାଷ କାମ ଛାଡି କାମ ସନ୍ଧାନରେ ସହରକୁ ଯାଉଥିଲେ। ହେଲେ ଏବେ ପ୍ରୀତି ଚାଷ ପ୍ରଣାଳୀ ଦେଖି ଲୋକମାନେ ଚାଷପ୍ରତି ଆକର୍ଷିତ ହୋଇଛନ୍ତି। ପ୍ରୀତି ନୂତନ ଜ୍ଞାନକୌଶଳ ପ୍ରୟୋଗ କରି ଲୋକମାନଙ୍କୁ ରୋଜଗାର ଦେଇପାରିଛନ୍ତି। ସେ ଗାଁର ପ୍ରାୟ ୬ଟି ପରିବାରକୁ ରୋଜଗାର ଦେବାରେ ସକ୍ଷମ ହୋଇଛନ୍ତି।

ପ୍ରୟାଗରାଜରେ ପାଠ ପଢିଥିବା ପ୍ରୀତି ୨୦୦୮ରେ ଟେକ୍ସଟାଇଲ୍ ଡିଜାଇନିଂରେ ଡିପ୍ଲୋମା କରିଥିଲେ। ଏହାପରେ ସେ ଏକ କମ୍ପାନୀରେ କାମ କରିବା ଆରମ୍ଭ କରିଥିଲେ। ଏହି ମଧ୍ୟରେ ତାଙ୍କର ବବାହ ହୋଇଯାଇଥିଲା। ସେ ତାଙ୍କର ସ୍ଵାମୀ ଏସପି ସିଂହଙ୍କ ସହ ପୁଣେ ଏବଂ ପରେ ଇନ୍ଦୋରରେ ରହୁଥିଲେ। ୨୦୨୦ରେ ଲକଡାଉନ୍ କାରଣରୁ ସେ ତାଙ୍କ ସ୍ଵାମୀଙ୍କ ସହ ପୁଣି ଗାଁକୁ ଫେରି ଆସିଥିଲେ। ଏହାପରେ ପ୍ରୀତି ଗାଁରେ କିଛି କାମ ଆରମ୍ଭ କରିବାକୁ ମନ ବଳାଇଥିଲେ। ଏଥିପାଇଁ ସେ ଚାଷବାଷ କରିବା ପାଇଁ ଚିନ୍ତାକଲେ। ଏହାପରେ ସେ ପରିବା ଚାଷ ମଧ୍ୟ ଆରମ୍ଭ କଲେ। ଏଥିରୁ ଭଲ ଉପାର୍ଜନ ହେବାରୁ ଗାଁର ଅନ୍ୟ ଲୋକମାନଙ୍କୁ ରୋଜଗାର ଦେବାକୁ ଚିନ୍ତାକଲେ।

ପରିବା ଚାଷରୁ ପ୍ରୀତି ଦୈନିକ ପ୍ରାୟ ୫ ହଜାର ଟଙ୍କା ଆୟ କରୁଛନ୍ତି। ତେବେ ପ୍ରୀତି କହିଛନ୍ତି ଯେ, ପରିବା ଚାଷ କରିବା ପରେ ଏହାକୁ ଉଚିତ୍ ଦାମ୍‌ରେ ବିକ୍ରି କରିବା ଖୁବ୍ ଚ୍ୟାଲେଞ୍ଜିଂ ହେଉଛି। ତେବେ ସେ ପ୍ରତିଦିନ ଗାଡି ଯୋଗେ ପ୍ରୟାଗରାଜର ମୁଣ୍ଡେରା ମଣ୍ଡିରେ ବ୍ୟାପାରୀମାନଙ୍କ ସହ ଯୋଗାଯୋଗ କରି ପରିବା ବିକ୍ରି କରୁଛନ୍ତି।

Leave a Reply

Your email address will not be published. Required fields are marked *