ନୂଆଦିଲ୍ଲୀ, ୨୩/୨ : ଜାତି ଆଧାରିତ ଭେଦଭାବ ଉପରେ ପ୍ରତିବନ୍ଧକ ଲଗାଇଥିବା ପ୍ରଥମ ସହର ହେଉଛି ଆମେରିକାର ସିଏଟଲ। ଏହି ଭେଦଭାବ ନୀତିକୁ ଦୂରୀକରଣ କରିବା ପଛରେ କ୍ଷମା ସାୱନ୍ତଙ୍କ ବଡ଼ ଯୋଗଦାନ ରହିଛି। ମୂଳ ରୂପରେ ଭାରତୀୟ କ୍ଷମା ସାୱନ୍ତ ସିଏଟଲ ସିଟି କାଉନସିଲରେ ଜାତିଗତ ଭେଦଭାବ ଦୂରୀକରଣ ପାଇଁ ପ୍ରସ୍ତାବ ରଖିଥିଲେ। ମଙ୍ଗଳବାର ଏହି ପ୍ରସ୍ତାବରେ ମୋହର ବାଜିଛି।
ଜଣେ ଶିକ୍ଷୟିତ୍ରୀ, ଅର୍ଥନୀତିଜ୍ଞ ତଥା ସମାଜସେବୀ ହେଉଛନ୍ତି କ୍ଷମା ସାୱନ୍ତ। ସିଏଟଲ ନଗର ପରିଷଦରେ ସଦସ୍ୟ ରୂପରେ ସେ ଶ୍ରମିକ, ଯୁବ, ଏବଂ ସ୍ଵରହୀନଙ୍କ ସ୍ଵର ହେବାକୁ ସଂକଳ୍ପ ନେଇଥିଲେ। ସେ ଇଣ୍ଟରନ୍ୟାସନାଲ ସୋସାଲିଷ୍ଟ ଅଲ୍ଟରନେଟିଭ୍ ସହ ଜଡିତ। ଏହି ସଂସ୍ଥା ସବୁ ମହାଦ୍ଵୀପରେ ଶ୍ରମିକ ଶ୍ରେଣୀର ଲୋକମାନଙ୍କ ହିତରେ କାମ କରୁଛି।
ଭାରତରେ କ୍ଷମାଙ୍କର ପିଲାଦିନ କଟିଛି। ପିଲାଦିନରୁ ସେ ଗରିବ ଶ୍ରେଣୀର ଲୋକମାନଙ୍କ ପ୍ରତି ହେଉଥିବା ଭେଦଭାବ ଦେଖି ଆସୁଥିଲେ। ସେ ପିଏଚଡି କରିବା ପରେ ସିଏଟଲ ସହର ଆସିଥିଲେ। ସେ ୨୦୦୬ରେ ସୋସାଲିଷ୍ଟ ଅଲ୍ଟରନେଟିଭ୍ରେ ସାମିଲ ହୋଇଥିଲେ। ସେବେଠାରୁ ସେ ମହିଳା ସମାନତା, ଶ୍ରମିକ, ଆଫଗାନିସ୍ତାନରେ ଯୁଦ୍ଧ ରୋକିବା ଦିଗରେ ବହୁ ଆନ୍ଦୋଳନରେ ଭାଗ ନେଇଛନ୍ତି।