ସାକ୍ଷରତା ବଢ଼ାଇ ବ୍ୟାଙ୍କ ଠକେଇ ହ୍ରାସ କରିଛନ୍ତି ହର୍ଷିକା

ନୂଆଦିଲ୍ଲୀ, ୧୨/୦୧ : କୁହାଯାଏ ଜିଲ୍ଲାପାଳ ଚାହିଁଲେ ସାଧାରଣ ଲୋକଙ୍କ ପାଇଁ ସବୁ କିଛି କରିପାରିବେ । ଏହାର ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି ଜିଲ୍ଲାପାଳ ହର୍ଷିକା ସିଂ । ମଧ୍ୟ ପ୍ରଦେଶ ବାସିନ୍ଧା ୩୮ ବର୍ଷୀୟା ସରିତା ଦେବୀ ଅନେକ ମାସ ଧରି ଟଙ୍କା ସଞ୍ଚୟ କରିଥିଲେ । ସଞ୍ଚିତ ଅର୍ଥରେ ଝିଅ ପାଇଁ ସାଇକେଲ୍‌ଟିଏ କିଣିବେ । ଫଳରେ ଝିଅକୁ ସ୍କୁଲ ଯିବାରେ ସୁବିଧା ହେବ । କିନ୍ତୁ ଗତ କିଛି ମାସ ତଳେ ବ୍ୟାଙ୍କ ଯାଇ ସଞ୍ଚୟ ଖାତାରେ କେତେ ଟଙ୍କା ରହିଛି ଜାଣିବା ଚେଷ୍ଟା କରିବା ବେଳେ ଆକାଉଣ୍ଟ ସଫା ହୋଇଥିବା ଜାଣିବାକୁ ପାଇଥିଲେ । ଏହି ସମସ୍ୟା କେବଳ ସରିତାଙ୍କର ନୁହେଁ, ସେହି ଗାଁରେ ପ୍ରାୟ ଲୋକଙ୍କର ଏହି ସମସ୍ୟା ରହିଥିଲା । ଗାଁର ଏହି ପରିସ୍ଥିତି ବଦଳାଇବା ପାଇଁ ସେଠାକାର ଜିଲ୍ଲାପାଳ ହର୍ଷିକା ସିଂ ପ୍ରୟାସ ଆରମ୍ଭ କରନ୍ତି । ଏହି ସମସ୍ୟା ଦୂରୀକରଣ ପାଇଁ ସେଠାରେ ଶତପ୍ରତିଶତ ସାକ୍ଷାରତା ନିଶ୍ଚିତ କରିବା ପାଇଁ ସେ ଯୋଜନା ଆରମ୍ଭ କରନ୍ତି ।

ସେ କହନ୍ତି, ‘ଏଠାକାର ଲୋକମାନେ ବହୁ ପରିଶ୍ରମ କରି ରୋଜଗାର କରନ୍ତି । କିନ୍ତୁ ସେମାନେ ନିରକ୍ଷର ହୋଇଥିବାରୁ ଲୁଟେରା ତାଙ୍କ ଟଙ୍କା ହଡପ କରିବା ସହଜ ହେଉଛି । ଏହି ସମସ୍ୟାକୁ ଦୂର କରିବା ପାଇଁ ସେ ପ୍ରଥମେ ବୟସ୍କ ସାକ୍ଷରତା କାର୍ଯ୍ୟକ୍ରମ ଆରମ୍ଭ କରିଥିଲୁ ।’ ଛତିଶଗଡ଼ ସୀମାରେ ରହିଛି ଏକ ନକ୍ସଲ ପ୍ରଭାବିତ ଆଦିବାସୀ ଜିଲ୍ଲା । ଦୁଭାର୍ଗ୍ୟବଶତଃ ବିଭିନ୍ନ ସରକାରୀ ଯୋଜନା ମାଧ୍ୟମରେ ଆଦିବାସୀଙ୍କ ଉନ୍ନତୀ ପାଇଁ ବିଶେଷକରି ମହିଳାମାନଙ୍କୁ ବିଭିନ୍ନ ବ୍ୟାଙ୍କ ଜାଲିଆତିର ଶିକାର ହେବାକୁ ପଡୁଥିଲା । କାରଣ ସେମାନେ ଅଶିକ୍ଷିତ ଥିବାରୁ ବିଭିନ୍ନ ଯୋଜନା ପାଇଁ ଆଙ୍ଗୁଠି ଛାପ ଦେଉଥିଲେ । ଫଳରେ ସେମାନେ କ’ଣ ପାଇଁ ଆଙ୍ଗୁଳି ଛାପ ଦେଉଛନ୍ତି, ତାହା ଜାଣୁ ନଥିଲେ । ଆଉ ଏହାର ଫାଇଦା ଉଠାଉଥିଲେ ଲୁଟେରାମାନେ । ଏହି ସତ୍ୟ ଜାଣିବା ପରେ ଜିଲ୍ଲାପାଳ ହର୍ଷିକାଙ୍କୁ ଝଟ୍‌କା ଲାଗିଥିଲା । ତେଣୁ ସେହି ଗାଁ ଲୋକମାନଙ୍କୁ ମୌଳିକ ଶିକ୍ଷା ଓ ନାମର ଦସ୍ତଖତ ଶିଖାଇବା ପାଇଁ ସାକ୍ଷରତା କାର୍ଯ୍ୟକ୍ରମ ଯୋଜନା ଆରମ୍ଭ କରିଥିଲେ ।

ଜିଲ୍ଲା ଭିତରେ ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ୨୫,୦୦୦ ସାକ୍ଷର ସ୍ୱେଚ୍ଛାସେବୀଙ୍କୁ ଏକତ୍ରିତ କରିବାରେ ସଫଳ ହେଇଛନ୍ତି ଜିଲ୍ଲାପାଳ । ଜିଲ୍ଲାପାଳ ହର୍ଷିକା କହନ୍ତି, ୨୦୧୧ରେ ହୋଇଥିବା ସର୍ଭେ ଅନୁସାରେ ଏହି ଜିଲ୍ଲାରେ ମହିଳା ସାକ୍ଷରତା ହାର ୫୬ ପ୍ରତିଶତ ଓ ସମୁଦାୟ ସାକ୍ଷରତା ହାର ୬୮ ପ୍ରତିଶତ ରହିଥିଲା । ଏଭଳି ଗାଁରେ ଏମିତି କାର୍ଯ୍ୟକ୍ରମ କରିବା ଖୁବ୍‌ ଚ୍ୟାଲେଞ୍ଜିଂ ଥିଲା । ଏମାନଙ୍କ ପାଇଁ ଏକ ବିଦ୍ୟାଳୟ ସ୍ଥିର କରିବା ଖୁବ୍‌ କଷ୍ଟସାଧ୍ୟ ରହିଥିଲା । ସକାଳେ ରୋଷେଇ ଓ ଦିନରେ ମହିଳାମାନେ କାମ କରିବାକୁ ଯାଉଥିବାରୁ ସେମାନଙ୍କ ପଢିବା ସମୟ ସ୍ଥିର କରିବା ସହଜ ନଥିଲା । ସେମାନଙ୍କ ପାଖରେ ସମୟ କହିଲେ କେବଳ ମଧ୍ୟାହ୍ନ ଭୋଜନ ବିରତି ସମୟ ହିଁ ରହିଥିଲା । ଶାଶୁ ବୋହୂଙ୍କୁ ଏକାଠି କରି ପାଠ ପଢାଇବା ଖୁବ୍‌ କଷ୍ଟକର ଥିଲା । ସେହିପରି ପୁରୁଷମାନଙ୍କ ପାଇଁ ବିଳମ୍ବିତ ରାତିରେ କ୍ଲାସ୍‌ ଆୟୋଜିତ ହେଉଥିଲା । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପ୍ରତି ପଞ୍ଚାୟତର ବିଭିନ୍ନ ଘରୁ ଝିଅ ଓ ବୋହୂମାନଙ୍କୁ ଯୋଗାଯୋଗ କରାଯାଇଥିଲା । ଫଳରେ ଶିକ୍ଷାନୁଷ୍ଠାନରେ ଶିକ୍ଷାର୍ଥୀଙ୍କ ସଂଖ୍ୟା ଧୀରେ ଧୀରେ ବଢିଥିଲା ।

ପ୍ରଥମେ ସେମାନେ ଭୟଭୀତ ରହୁଥିଲେ । କିନ୍ତୁ ବର୍ତ୍ତମାନ ସେମାନେ ଶିକ୍ଷାର ମହତ୍ତ୍ୱ ବୁଝିବା ସହ ଖୁସି ମଧ୍ୟ ହେଉଛନ୍ତି । ମହିଳାମାନଙ୍କୁ ଉତ୍ସାହିତ କରିବା ପାଇଁ ହର୍ଷିକା ଜିଲ୍ଲାର ପ୍ରତ୍ୟେକ ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ସାକ୍ଷର ମହିଳାମାନଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରିଥାନ୍ତି । ଏହା ସମାଜରେ ସେମାନଙ୍କ ପାଇଁ ସମ୍ମାନ ଆଣି ଦେଇଥାଏ । ଫଳରେ ଅନ୍ୟମାନେ ଶିକ୍ଷାକୁ ନେଇ ଉତ୍ସାହିତ ହେଉଥିଲେ । ସମସ୍ତେ ଶିକ୍ଷିତ ହେବା ଦ୍ୱାରା ଜିଲ୍ଲାର ପ୍ରତ୍ୟେକ ବ୍ୟକ୍ତି କଷ୍ଟ ଉପାର୍ଜିତ ଟଙ୍କାକୁ ସୁରକ୍ଷିତ କରିପାରିଛନ୍ତି ।

Leave a Reply

Your email address will not be published. Required fields are marked *