ନୂଆଦିଲ୍ଲୀ, ୯/୧୨ : ଭାରତରେ ଶିକ୍ଷା ସମସ୍ତଙ୍କର ମୌଳିକ ଅଧିକାର। ତଥାପି ମଧ୍ୟ ଶିକ୍ଷା ସମସ୍ତଙ୍କୁ ମିଳିପାରୁ ନାହିଁ। ସ୍ଵାଧିନତା ପୂର୍ବରୁ ବହୁ ଲୋକ ବିଦେଶକୁ ଶିକ୍ଷା ଗ୍ରହଣ କରିବାକୁ ଯାଇଥିବା ବେଳେ ଏବେବି ବହୁ ଲୋକଙ୍କ ନିକଟରେ ଅପହଞ୍ଚ ରହିଛି ଶିକ୍ଷା। ଏବେବି ମହିଳାଙ୍କ ଶିକ୍ଷାକୁ ଅଦରକାରୀ ମନେ କରୁଛି ସମାଜ। ବିଶେଷ କରି ମୁସଲିମ ମହିଳାଙ୍କୁ ମିଳୁନି ଶିକ୍ଷାଗତ ଅଧିକାର। ତେବେ ମୁସଲିମ ମହିଳାମାନଙ୍କୁ ଅଜ୍ଞାନତାର ଅନ୍ଧକାରର ଶିକ୍ଷାର ଆଲୋକ ଆଡ଼କୁ ବାଟ କଢେଇଥିଲେ ରୁକେୟା ସଖାୱତ।
ଏକାଧାରାରେ ଜଣେ ନାରୀବାଦୀ ବିଚାରକ, କଥାକାର, ଉପନ୍ୟାସକାର ଏବଂ କବୟିତ୍ରୀ ହେଉଛନ୍ତି ରୁକେୟା ସଖାୱତ। ସେ ମୁସଲିମ ଝିଅମାନଙ୍କ ଶିକ୍ଷାଦୀକ୍ଷା ପାଇଁ ସ୍କୁଲ ପ୍ରତିଷ୍ଠା କରିଥିଲେ। ସେ ନାରୀ ଜାତିର ହକ୍ ଏବଂ ସମ୍ମାନ ପାଇଁ ଲଢେଇ ମଧ୍ୟ କରିଥିଲେ। ୧୮୮୦ରେ ବାଙ୍ଗଲାଦେଶର ରଙ୍ଗପୁର ଜିଲ୍ଲାର ପୈରାବନ୍ଦ ଅଞ୍ଚଳରେ ତାଙ୍କର ଜନ୍ମ ହୋଇଥିଲା। ଜମିଦାର ପରିବାରର ଜନ୍ମଗ୍ରହଣ କରିଥିବା ରୁକେୟା ମଧ୍ୟ ଭେଦଭାବର ଶିକାର ହୋଇଥିଲେ। ତାଙ୍କର ଭାଇମାନଙ୍କୁ ପାଠ ପଢିବାକୁ ସୁଯୋଗ ମିଳୁଥିଲା। ତାଙ୍କୁ ମିଳୁନଥିଲା। ତାଙ୍କର ବଡ଼ ଭାଇ ରୁକେୟାଙ୍କୁ ଲୁଚି ଲୁଚି ପାଠ ପଢାଉଥିଲେ। ରାତିରେ ସମସ୍ତେ ଶୋଇଯିବା ପରେ ବଡ଼ ଭାଇ ରୁକେୟାଙ୍କୁ ପାଠ ପଢାଉଥିଲେ।
ପରବର୍ତ୍ତୀ ସମୟରେ ବିହାରର ଭାଗଲପୁରରେ ରୁକେୟାଙ୍କ ବିବାହ ହୋଇଥିଲା। ତାଙ୍କର ସ୍ଵାମୀ ଜଣେ ଶିକ୍ଷିତ ଅଫିସର ଥିଲେ। ତେବେ ୧୯୦୯ରେ ସ୍ଵାମୀଙ୍କ ମୃତ୍ୟୁ ପରେ ରୁକେୟା ଏକାକୀ ହୋଇଯାଇଥିଲେ। ଏହାପରେ ସେ ମହିଳାଙ୍କ ଅଧିକାର ପାଇଁ ଲେଖନୀ ଚଳାଇଥିଲେ। ରୁକେୟା ୨୨-୨୩ ବର୍ଷରେ ଏକ ବହି ଲେଖିଥିଲେ। ଏହାର ନାମ ଥିଲା ସ୍ତ୍ରୀ ଜାତିର ଅବନ୍ନତି। ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହାପରେ ଇଂରାଜୀରେ ତାଙ୍କର ଲଘୁ ଉପନ୍ୟାସ ସୁଲତାନାଜ ଡ୍ରିମ୍ସ ପ୍ରକାଶ ପାଇଥିଲା। ମହିଳାଙ୍କ ସ୍ଥିତି ସୁଧାରିବା ପାଇଁ ସେ ସ୍ବପ୍ନ ଦେଖିଥିଲେ। ୧୯୧୦ରେ ସେ ଭାଗଲପୁରରେ ଝିଅମାନଙ୍କ ପାଇଁ ଏକ ସ୍କୁଲ ଖୋଲିଲେ। ୧୯୧୧ରେ କୋଲକାତାରେ ଏକ ସ୍କୁଲ ଆରମ୍ଭ କଲେ। ଏଥିପାଇଁ ତାଙ୍କୁ ବହୁ ବିରୋଧର ଶିକାର ହେବାକୁ ପଡ଼ିଥିଲା। ୫୨ ବର୍ଷ ବୟସରେ ୧୯୩୨ ଡିସେମ୍ଵର ୯ରେ ତାଙ୍କର ପରଲୋକ ହୋଇଥିଲା।