ପକେଟ୍ ଖର୍ଚ୍ଚରେ ପରିବେଶ ଅନୁକୂଳ ଟଏଲେଟ୍ କରୁଛନ୍ତି ମୋନ୍ଦ୍ରିତା, ସମାଜରେ ବାଣ୍ଟୁଛନ୍ତି ସ୍ଵଚ୍ଛତାର ବାର୍ତ୍ତା

ଜାମସେଦପୁର, ୨୬/୧୦ : ମନୋବଳ ଦୃଢ ଥିଲେ କୌଣସି କାମ ବଡ଼ ହୋଇନଥାଏ। ପକେଟ୍ ଖର୍ଚ୍ଚରେ ପରିବେଶ ଅନୁକୂଳ ଟଏଲେଟ୍ ତିଆରି କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଲେ ମୋନ୍ଦ୍ରିତା ଚାଟାର୍ଜୀ। ୨୦୧୬ରେ ଟେଲେକୋ ଅଞ୍ଚଳ ଉପକଣ୍ଠରେ ଥିବା କେନ୍ଦ୍ରିଡିହ ପଞ୍ଚାୟତରେ ସେ ନିଜ ପକେଟ୍‌ ଖର୍ଚ୍ଚ ବାବଦକୁ ମିଳୁଥିବା ଟଙ୍କା ସାହାଯ୍ୟରେ ପ୍ରଥମେ ଏକ ଟଏଲେଟ୍‌ ତିଆରି କରିଥିଲେ। ସେତେବେଳେ ତାଙ୍କୁ ମାତ୍ର ୧୧ ବର୍ଷ ହୋଇଥିଲା । ଅଦ୍ୟାବଧି ସେ ବିଭିନ୍ନ ସ୍ଥାନରେ ୧୦ଟି ପରିବେଶ ଅନୁକୂଳ ଟଏଲେଟ୍‌ ତିଆରି କରିଛନ୍ତି । ଏଥିସହିତ ସ୍ୱଚ୍ଛତା ସଂପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛନ୍ତି ।

ଝାଡ଼ଖଣ୍ଡ ଜାମସେଦପୁରର ମୋନ୍ଦ୍ରିତା ଚାଟାର୍ଜୀ ୨୦୧୪ରେ ଗାନ୍ଧି ଜୟନ୍ତୀ ଅବସରରେ ଟିଭିରେ କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଦେଖିବା ପରେ ଶୌଚାଳୟର ଗୁରୁତ୍ୱ ସଂପର୍କରେ ହୃଦୟଙ୍ଗମ କଲେ । ଏହି ସମସ୍ୟାର ସମାଧାନ ଲାଗି ସେ ନିଜସ୍ୱ ସ୍ତରରେ କିଛି କରିବାକୁ ମନସ୍ଥ କଲେ । ନିଜ ବାପା ମା’ଙ୍କୁ ଏକଥା ଜଣାଇବା ପରେ ସେମାନେ ସହାୟତା କରିବାକୁ ପ୍ରତିଶ୍ରୁତି ଦେଲେ । ଏହାପରେ ନିକଟବର୍ତ୍ତୀ କେନ୍ଦ୍ରିଡିହ ଗାଁରେ ମୋନ୍ଦ୍ରିତା ଏକ ଟଏଲେଟ୍‌ କରାଇଲେ । ସେହି ଗାଁର ଜନସଂଖ୍ୟା ୩୫୦ରୁ ଉର୍ଦ୍ଧ୍ୱ ହୋଇଥିଲେ ବି ସେଠାରେ ଏକ ଟଏଲେଟ୍‌ ନଥିଲା ।

ଏ ସଂପର୍କରେ ମୋନ୍ଦ୍ରିତା କହିଛନ୍ତି, ଖୋଲାରେ ମଳତ୍ୟାଗ କରିବା ବିଭିନ୍ନ ପ୍ରକାର ରୋଗକୁ ଡାକି ଆଣିଥାଏ । ସେହିଭଳି ବିଦ୍ୟାଳୟଗୁଡ଼ିକରେ ଶୌଚାଳୟ ନଥିବା ଯୋଗୁ ବହୁ ସଂଖ୍ୟାରେ ଛାତ୍ରୀ ପ୍ରତିବର୍ଷ ସ୍କୁଲ ଛାଡ଼ିବାକୁ ବାଧ୍ୟ ହୋଇଥାନ୍ତି । ତେଣୁ ଏ ସଂପର୍କରେ ଜନସଚେତନତା ସୃଷ୍ଟି କରିବାକୁ ମୁଁ ନିଜ ପକେଟ୍‌ ଖର୍ଚ୍ଚ ବାବଦକୁ ମିଳିଥିବା ଟଙ୍କାରେ ପ୍ରଥମେ ଏକ ଟଏଲେଟ୍‌ ତିଆରି କରିଥିଲି । ଯେତେବେଳେ ୨୦୧୬ରେ ମୁଁ ଏହାକୁ ଆରମ୍ଭ କଲି, ସେତେବେଳେ କେହି ମୋତେ ଆର୍ଥିକ କିମ୍ବା ଶାରିରୀକ ଭାବେ ସହାୟତା କରିବାକୁ କେହି ରାଜିନଥିଲେ । ଟଏଲେଟ୍‌ ତିଆରି ଲାଗି ୨୪ ହଜାର ଟଙ୍କା ମୋ’ ସଞ୍ଚୟରୁ ଦେଇଥିଲି । ମୋ ବାପା ୬୦୦୦ ଟଙ୍କା ଦେଇଥିଲେ । ବର୍ତ୍ତମାନ କିନ୍ତୁ ସମୟ ବଦଳିଛି । ଅନେକ ସ୍ୱେଚ୍ଛାସେବୀ ମୋତେ ସହାୟତା କରିବାକୁ ଆଗେଇ ଆସିଛନ୍ତି ।

ସେହିପରି ପ୍ରଥମେ ମୋ’ ସାଙ୍ଗମାନେ ମଧ୍ୟ ମୋତେ ସୁଲଭ ଶୌଚାଳୟ କହି ଚିଡ଼ାଉଥିଲେ । ଏବେ ଏହି କାମ ଲାଗି ସେମାନେ ସେମାନଙ୍କର ସଞ୍ଚୟକୁ ମୋତେ ଦାନ କରୁଛନ୍ତି । ଟଏଲେଟ୍‌ ତିଆରି କରିବା ବ୍ୟତୀତ ମୋନ୍ଦ୍ରିତା ସେହି ଅଞ୍ଚଳର ବିଭିନ୍ନ ସ୍କୁଲ ଗସ୍ତ କରି ହାତକୁ ଭଲ ଭାବେ ପରିଷ୍କାର କରିବା, ସାନିଟାରୀ ନାପକିନ୍‌ ବ୍ୟବହାର ସଂପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରୁଛନ୍ତି । ତାଙ୍କର ଏଭଳି କାର୍ଯ୍ୟକୁ ଦେଖି ଜାମସେଦପୁର ପ୍ରଶାସନ ତାଙ୍କୁ ୨୦୧୭ ଲାଗି ସ୍ୱଚ୍ଛତା ଆମ୍ବାସଡର ଭାବେ ନିଯୁକ୍ତ କରିଥିଲା ।

Leave a Reply

Your email address will not be published. Required fields are marked *