୬୯ତମ ଜାତୀୟ ଚଳଚ୍ଚିତ୍ର ସମ୍ମାନ, ଆଲିୟା ଓ କ୍ରିତି ଶ୍ରେଷ୍ଠ ଅଭିନେତ୍ରୀ,

ନୂଆଦିଲ୍ଲୀ, ୧୮/୧୦ : ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହୋଇଛି ୬୯ତମ ଜାତୀୟ ଚଳଚ୍ଚିତ୍ର ସମ୍ମାନ ଉତ୍ସବ । ଭାରତୀୟ ସିନେମା ଜଗତକୁ ଶ୍ରେଷ୍ଠ ଯୋଗଦାନ ଦେଇଥିବା ବ୍ୟକ୍ତିବିଶେଷଙ୍କୁ ଗତ ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନିତ କରିଛନ୍ତି । ଗତ ଅଗଷ୍ଟ ମାସରେ ଜାତୀୟ ଚଳଚ୍ଚିତ୍ର ସମ୍ମାନ ବିଜେତାଙ୍କ ନାମ ଘୋଷଣା କରାଯାଇଥିଲା । କରୋନା ମହାମାରୀ ଯୋଗୁ ଏହି ସମ୍ମାନ ବର୍ଷେ ପଛୁଆ ଅନୁଷ୍ଠିତ ହେଉଛି । ଚଳିତ ଥରର ସମସ୍ତ ବିଜେତାଙ୍କୁ ରାଷ୍ଟ୍ରପତି ଅଭିନନ୍ଦନ ଜଣାଇଛନ୍ତି ।

ବର୍ଷିୟାନ ଅଭିନେତ୍ରୀ ୱହୀଦା ରହମାନଙ୍କୁ ମିଳିଛି ସମ୍ମାନାସ୍ପଦ ଦାଦାସାହେବ ଫାଲ୍‌କେ ପୁରସ୍କାର। ତାଙ୍କ ନାମ ଘୋଷଣା ହେବା ପରେ ଉତ୍ସବରେ ଉପସ୍ଥିତ ସମସ୍ତ ଅତିଥି ଠିଆ ହୋଇ ତାଙ୍କୁ ସମ୍ମାନ ଜଣାଇଥିଲେ। ଏହା ଦେଖି ୱହୀଦା ଭାବବିହ୍ୱଳ ହୋଇପଡ଼ିଥିଲେ। ରାଷ୍ଟ୍ରପତିଙ୍କଠାରୁ ସମ୍ମାନ ଗ୍ରହଣ କରିବା ପରେ ସେ କହିଥିଲେ ‘ମୁଁ ଅତ୍ୟନ୍ତ ସମ୍ମାନିତ ଅନୁଭବ କରୁଛି। ଆଜି ଯେଉଁ ସ୍ଥାନରେ ମୁଁ ପହଞ୍ଚିଛି, ଏ ସବୁ ମୋର ଅତି ପ୍ରିୟ ଇଣ୍ଡଷ୍ଟ୍ରି ପାଇଁ । ମୋତେ ଶ୍ରେଷ୍ଠ ନିର୍ଦ୍ଦେଶକ, ପ୍ରଯୋଜକ, ଟେକ୍ନିସିଆନ୍‌, ସଂଳାପ ଲେଖକ, ସଙ୍ଗୀତ ନିର୍ଦ୍ଦେଶକ, ସଙ୍ଗୀତଜ୍ଞ, ମେକ୍‌ଅପ କଳାକାର, ହେୟାର ଷ୍ଟାଇଲିଷ୍ଟ୍‌ ଆଦି ସମସ୍ତଙ୍କଠାରୁ ବହୁତ ଭଲପାଇବା ଓ ସମ୍ମାନ ମିଳିଛି । ତେଣୁ ଏହି ସମ୍ମାନକୁ ମୁଁ ଫିଲ୍ମ ଇଣ୍ଡଷ୍ଟ୍ରିର ସମସ୍ତ ବିଭାଗକୁ ଉତ୍ସର୍ଗ କରୁଛି । ସମସ୍ତେ ମୋତେ ଆରମ୍ଭରୁ ଭଲପାଇବା, ସମ୍ମାନ ଓ ସମର୍ଥନ ଦେଇଛନ୍ତି ।’ ରାଷ୍ଟ୍ରପତି ନିଜ ଭାଷଣରେ ୱହୀଦାଙ୍କୁ ଫାଲ୍‌କେ ସମ୍ମାନ ଲାଗି ଅଭିନନ୍ଦନ ଜଣାଇ କହିଛନ୍ତି ‘ସେ ନିଜ ପ୍ରତିଭା ବଳରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ପାଇଛନ୍ତି । ଫିଲ୍ମରେ କାମ କରିବା ପାଇଁ ନିଜ ନାଁ ବଦଳାଇବାକୁ ସେ ସିଧା ସିଧା ମନା କରିଦେଇଥିଲେ । ସେତେବେଳେ ଏହା ଟ୍ରେଣ୍ଡ୍‌ ଥିଲା, କିନ୍ତୁ ୱହୀଦା ଏହି ଧାରା ବଦଳାଇଲେ। ତାଙ୍କ ଚୟନ କରିଥିବା ଭୂମିକା ଅନେକ ଋଢ଼ିବାଦୀ ଚିନ୍ତାଧାରାକୁ ଭାଙ୍ଗିଛି । ନାରୀ ସଶକ୍ତୀକରଣ କ୍ଷେତ୍ରରେ ସେ ଉଦାହରଣ ସୃଷ୍ଟି କରିଛନ୍ତି।

ଆଲିୟାଙ୍କ ପ୍ରଥମ ଜାତୀୟ ସମ୍ମାନ ଫିଲ୍ମ ‘ଗଙ୍ଗୁବାଈ କାଠିଆୱାଡ଼ି’ ପାଇଁ ଆଲିୟା ଭଟ୍ଟ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ଗ୍ରହଣ କରିଛନ୍ତି । ଏ ଅବସରରେ ରେଡ୍‌ କାର୍ପେଟ୍‌ରେ ଆଲିୟା କହିଥିଲେ ‘ପ୍ରଥମ ଜାତୀୟ ଚଳଚ୍ଚିତ୍ର ସମ୍ମାନ ଗ୍ରହଣ କରୁଥିବାରୁ ନିଜକୁ ଅତ୍ୟନ୍ତ ସମ୍ମାନିତ ମନେକରୁଛି । ନିର୍ମାତା ସଂଜୟ ଲୀଲା ଭଂସାଲିଙ୍କୁ ଏଥିପାଇଁ ଧନ୍ୟବାଦ ।’ ‘ଗଙ୍ଗୁବାଈ’ ଭଳି ଏକ ସଶକ୍ତ ଭୂମିକା ନିର୍ବାହ କରିବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ଭାଷଣରେ ଆଲିୟାଙ୍କୁ ଅଭିନନ୍ଦନ ଜଣାଇଥିଲେ । ଆଲିୟା ନିଜ ଅଭିନେତା ସ୍ୱାମୀ ରଣବୀର କପୁରଙ୍କ ସହ ଉତ୍ସବରେ ପହଞ୍ଚିଥିଲେ । ଏ ଅବସରରେ ସେ ନିଜ ବିବାହ ବେଳର ଶାଢ଼ି ପିନ୍ଧିଥିଲେ । ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କରିବା ସମୟରେ ରଣବୀର ତାଙ୍କୁ ଉତ୍ସାହିତ କରିବା ସହିତ ନିଜ ମୋବାଇଲରେ ଏହି ମୁହୂର୍ତ୍ତର ଫଟୋ ଉଠାଇଥିଲେ ।

ଫିଲ୍ମ ‘ମିମି’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ଗ୍ରହଣ କରିଛନ୍ତି କ୍ରିତି ସାନନ୍‌ । ରେଡ୍‌ କାର୍ପେଟ୍‌ରେ ସେ ନିଜ ଖୁସି ଜାହିର କରି କହିଥିଲେ ‘କ୍ୟାରିଅର୍‌ର ପ୍ରଥମ ଦଶନ୍ଧିରେ ଜାତୀୟ ସମ୍ମାନ ଲାଭ କରିବା ବହୁତ ବଡ଼ ଉପଲବ୍ଧି । ‘ମିମି’ ଭଳି ଫିଲ୍ମରେ ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଭାଗ୍ୟଶାଳୀ ମନେକରୁଛି । ଆଜି ଖୁବ୍‌ ଉତ୍ସାହିତ ଅନୁଭବ କରୁଛି । ‘ମିମି’ ଏକ ସ୍ୱତନ୍ତ୍ର ଫିଲ୍ମ ହେବ ବୋଲି ମୁଁ ଜାଣିଥିଲି । ଫିଲ୍ମର ସୁଟିଂ ସମୟରେ ନିର୍ଦ୍ଦେଶକ ଲକ୍ଷ୍ମଣ ଉତେକର ମୋତେ କହୁଥିଲେ ‘ତୁମେ ଏଥିପାଇଁ ଜାତୀୟ ସମ୍ମାନ ପାଇବ ।’ ରାଷ୍ଟ୍ରପତି ନିଜ ଭାଷଣରେ ‘ମିମି’ରେ ନିର୍ବାହ କରିଥିବା ଶକ୍ତିଶାଳୀ ମହିଳା ଚରିତ୍ର ପାଇଁ କ୍ରିତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ଫିଲ୍ମରେ ଶ୍ରେଷ୍ଠ ଅଭିନୟ ପାଇଁ ଶ୍ରେଷ୍ଠ ସହ-ଅଭିନେତା ସମ୍ମାନ ଲାଭ କରିଛନ୍ତି ପଙ୍କଜ ତ୍ରିପାଠୀ । ଏହା ତାଙ୍କର ୨ୟ ଜାତୀୟ ଚଳଚ୍ଚିତ୍ର ସମ୍ମାନ ।

Leave a Reply

Your email address will not be published. Required fields are marked *