ସଫଳତା ପାଇଁ ଯୋଗ୍ୟତା ନୁହେଁ, ବରଂ ଆତ୍ମବିଶ୍ୱାସ ଦରକାର, ବିନା କୋଚିଂରେ ହୋଇପାରିବେ ଓଏଏସ୍

ଭୁବନେଶ୍ଵର, ୧୦/୦୮ : ସଫଳତା ପାଇଁ ଯୋଗ୍ୟତା ନୁହେଁ, ବରଂ ଆତ୍ମବିଶ୍ୱାସ ଦରକାର। ସେହିପରି ବିନା କୋଚିଂରେ ଓଏଏସ୍‌ ହୋଇପାରିବାନି ଭାବିବା ଭୁଲ୍‌ ବୋଲି ସେ ପ୍ରମାଣିତ କରିଛନ୍ତି । ସେ ହେଉଛନ୍ତି ନିକଟରେ ଓଏଏସ୍‌-୨୦୨୧ ପରୀକ୍ଷାର ରେଜାଲ୍ଟ ବାହାରିବା ପରେ କୃତିତ୍ୱର ସହ ସଫଳ ହୋଇଥିବା ଦୃଷ୍ଟିବାଧିତ ଶ୍ୱେତା ପାଣିଗ୍ରାହୀ । ପିଲାଟିଦିନୁ ଓଡ଼ିଶା ପ୍ରଶାସନିକ ସେବାରେ କାର୍ଯ୍ୟ କରିବାକୁ ଇଛା ରହିଥିଲା ତାଙ୍କର । ଦୃଷ୍ଟିବାଧିତ ଶ୍ୱେତାଙ୍କୁ ଏକ ସ୍ୱତନ୍ତ୍ର ସ୍କୁଲରେ ପାଠ ପଢିବାକୁ ପଢିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକ କରନ୍ତି ସେ । ପରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ହାସଲ କରିଛନ୍ତି । ପରବର୍ତ୍ତୀ ସମୟରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଜେଣ୍ଡର ଇକ୍ୟୁଆଲ୍‌ଟିରେ ପିଏଚ୍‌ଡି କରିବା ସହ ଓଏଏସ୍‌ ପାଇଁ ପ୍ରସ୍ତୁତ ହେଉଥିଲେ ସେ । ବତ୍କୃତା ଦେବାରେ ସେ ବେଶ୍‌ ପାରଙ୍ଗମ ଥିଲେ । ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ବତ୍କୃତା ପ୍ରତିଯୋଗିତାରେ ସେ ସବୁବେଳେ ପୁରସ୍କୃତ ମଧ୍ୟ ହେଉଥିଲେ । ସେହିପରି ଶ୍ରୀମଦ୍‌ ଭାଗବତ ଗୀତା ପଢିବାକୁ ସେ ପସନ୍ଦ କରନ୍ତି ।

ସେ କହନ୍ତି, ‘ମୋ ସ୍ୱପ୍ନକୁ ପୂରଣ କରିବା ପାଇଁ ନିଜର ସମସ୍ତ ଉଦ୍ୟମ ଲଗାଇଥିଲି । ପଢା ସହିତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରଥିଲି । ତୃତୀୟ ପ୍ରଚେଷ୍ଟାରେ ୩୮୨ ର‌୍ୟାଙ୍କ ସହ ଓଏଏସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିଛି । ବିନା କୋଚିଂରେ ପ୍ରସ୍ତୁତ ହୋଇଥିଲି । କେବଳ ଅନ୍‌ଲାଇନ୍‌ର ସହାୟତା ନେଇଛି । ଓଏଏସ୍‌ର ସିଲାବସ୍‌ରେ ଥିବା ସମସ୍ତ ମେଟେରିଆଲ୍‌ ୟୁଟ୍ୟୁବ୍‌ରେ ଉପଲବ୍ଧ ଥିଲା । ତେଣୁ ପଢ଼ିବାରେ କୌଣସି ଅସୁବିଧା ହୋଇନଥିଲା । ୟୁଟ୍ୟୁବ୍‌ ଓ ଅନ୍‌ଲାଇନ୍‌ରୁ ଯାହା ପଢୁଥିଲି ସେ ସବୁର ସଫ୍ଟ କପି ଅର୍ଥାତ୍‌ ନୋଟ୍‌ ବନାଇ ରଖୁଥିଲି ।’ ‘ଦିନର କୌଣସି ନିର୍ଦ୍ଦିଷ୍ଟ ସମୟରେ ଓଏଏସ୍‌ ପାଇଁ ପ୍ରସ୍ତୁତି କରୁ ନଥିଲି । କିନ୍ତୁ ଯେତିକି ସମୟ ପଢେ, ମନଧ୍ୟାନ ଦେଇ ପଢୁଥିଲି । ପିଏଚ୍‌ଡି ଓ ଓଏଏସ୍‌ ପାଇଁ ନିୟମିତ ୧୦ରୁ ୧୨ ଘଣ୍ଟା ସମୟ ଦେଉ ଥିଲି । ୧୦ମ ପରଠାରୁ ସମସ୍ତ ପରୀକ୍ଷାରେ ସ୍କାଇବ୍‌ଙ୍କ ସହାୟତା ନେଉଥିଲି’ ବୋଲି କହନ୍ତି ଶ୍ୱେତା । ଓଏଏସ୍‌ ଭାବେ ଯୋଗ ଦେବା ପରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ମହିଳା ସଶକ୍ତିକରଣ କ୍ଷେତ୍ରରେ କାମ କରିବାକୁ ଇଛା ରହିଛି । ପୁରୁଷ ଓ ମହିଳାଙ୍କ ଭିତରେ ଥିବା ଅସମାନତାକୁ ଦୂରେଇବାକୁ ପ୍ରୟାସ କରିବି ବୋଲି କହନ୍ତି ଶ୍ୱେତା ।

Leave a Reply

Your email address will not be published. Required fields are marked *