ନୂଆଦିଲ୍ଲୀ, ୨୨/୧୨ : ଆତ୍ମନିର୍ଭର କଲା କାଗଜ ଗୁଡିୟା। ତାମିଲନାଡୁ କୋୟମ୍ଵଟୁରର ୨୩ ବର୍ଷୀୟା ରାଧିକା ଜେଏ କାଗଜରେ କଣ୍ଢେଇ ତିଆରି କରି ଆତ୍ମନିର୍ଭର ହୋଇପାରିଛନ୍ତି। ସେ ଅକ୍ଷମ ହୋଇଥିଲେ ମଧ୍ୟ ସକ୍ଷମ ହୋଇପାରିଛନ୍ତି। ତାଙ୍କୁ ୫ ବର୍ଷ ବୟସ ହୋଇଥିବା ବେଳେ ସେ ଏକ ଗମ୍ଭୀର ରୋଗରେ ପୀଡିତ ହୋଇଥିଲେ। ଯାହାଫଳରେ ପାଠପଢା ଶେଷ କରିପାରି ନଥିଲେ। ହେଲେ ତାଙ୍କର ଅନ୍ତଃନିହିତ କଳା ତାଙ୍କୁ ଏକ ଭିନ୍ନ ପରିଚୟ ଦେଇଛି। ସେ ଏବେ ଘରେ ବସି ମାସକୁ ୮ ରୁ ୧୦ ହଜାର ଟଙ୍କା ବ୍ୟବସାୟ କରିପାରୁଛନ୍ତି। ଏଥିପାଇଁ ତାଙ୍କୁ ଦିନକୁ ୪ ରୁ ୫ ଘଣ୍ଟା ସମୟ ଦେବାକୁ ପଡ଼ୁଛି।
ରାଧିକା ପୁରୁଣା ଖବର କାଗଜ ବ୍ୟବହାର କରି ଏଥିରେ ଆଫ୍ରିକାନ କଣ୍ଢେଇ ତିଆରି ଆରମ୍ଭ କଲେ। ପ୍ରଥମେ ତାଙ୍କୁ ବନ୍ଧୁବାନ୍ଧବଙ୍କ ଠାରୁ ଅର୍ଡର ମିଳୁଥିଲା। ଏବେ ରାଧିକା ଅନଲାଇନରେ ବିଜନେସ୍ କରୁଛନ୍ତି। ଏଥିପାଇଁ ତାଙ୍କର ଖୁବ୍ କମ୍ ଟଙ୍କା ଖର୍ଚ୍ଚ ହେଉଛି। ଏନେଇ ରାଧିକା କହିଛନ୍ତି ଯେ, ମୁଁ ଆତ୍ମନିର୍ଭର ହୋଇପାରିବି ବୋଲି ସ୍ଵପ୍ନରେ କେବେ ଭାବିନଥିଲି। ପିଲାଦିନରୁ ଘରୁ ବାହାରକୁ ବାହାରିବା ପାଇଁ ପୂର୍ବରୁ କାହାରା ସାହାରା ଖୋଜୁଥିଲି। ହେଲେ ଏବେ ମୁଁ ନିଜର ଏକ ପରିଚୟ ସୃଷ୍ଟି କରିପାରିଛି।
୨୦୧୭ରୁ ସେ ଏଯାବତ୍ ୨୫୦୦ ରୁ ଅଧିକ କଣ୍ଢେଇ ତିଆରି କରିଛନ୍ତି। ଦେଶ ବିଦେଶରେ ତାଙ୍କ କଣ୍ଢେଇର ଚାହିଦା ରହିଛି। ତାଙ୍କୁ ପ୍ରତି ମାସରେ ୩୦ ରୁ ୪୦ ଅର୍ଡର ମିଳେ। ବେଳେ ବେଳେ ତାଙ୍କୁ ମାସକୁ ୨୦୦ ଅର୍ଡର ମିଳେ। ତେବେ ଏହି କାମ ପାଇଁ ତାଙ୍କ ପରିବାର ତାଙ୍କୁ ସହଯୋଗ କରନ୍ତି।