ଚାଷୀଙ୍କ ପାଇଁ ମଞ୍ଜି ବୁଣିବା ଯନ୍ତ୍ର ତିଆରି କରି ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲଶକ୍ତି ପୁରସ୍କାର ପାଇଛନ୍ତି ଏହି ବାଳକ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ, ୨୦/୧୨ : କୁହନ୍ତି ଚାଷ କାମ ଯାହାର କେଡ଼େ ସୁଖ ତାହାର। ହେଲେ ଆପଣ ଜାଣନ୍ତି କି ଏହି କୃଷି କାର୍ଯ୍ୟ ପାଇଁ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଚାଷୀମାନେ ପ୍ରତି ବର୍ଷ ବନ୍ୟା, ବାତ୍ୟା ଏବଂ ମରୁଡ଼ି ଭଳି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଏଥିପାଇଁ ଚାଷ କାର୍ଯ୍ୟ ପାଇଁ ଉପଯୋଗୀ ବିଭିନ୍ନ ପ୍ରକାରର ମେସିନ୍ ଚାଷୀମାନେ କିଣିପାରନ୍ତି ନାହିଁ। ତେବେ ଚାଷୀମାନଙ୍କର ଏହି ସମସ୍ୟା ଦୂର କରିବା ପାଇଁ ଜଣେ ୧୬ ବର୍ଷର ଛାତ୍ର ଏକ ଅଭିନବ ପ୍ରୟାସ କରିଛନ୍ତି।

କର୍ଣ୍ଣାଟକର ଦକ୍ଷିଣ କନ୍ନଡର ପୁତୁରରେ ରହୁଥିବା ରାକେଶ କୃଷ୍ଣ ମାଙ୍ଗାଲୁରୁର ଏକ୍ସପର୍ଟ ପିୟୁ କଲେଜରେ ଦ୍ଵାଦଶ ଶ୍ରେଣୀରେ ପଢନ୍ତି। ପାଠ ପଢା ସହ ରାକେଶ କୃଷକଙ୍କ ପାଇଁ ଏକ ସ୍ଵତନ୍ତ୍ର ମେସିନ୍ ତିଆରି କରିଛନ୍ତି। ଏହି ମେସିନ୍ ସାହାଯ୍ୟରେ ଅତି ସହଜରେ ବିଲରେ ମଞ୍ଜି ବୁଣି ହେବ। ମଞ୍ଜି ବୁଣିବା ସହ ଏହି ମେସିନ୍ ଆହୁରି ବିଭିନ୍ନ ପ୍ରକାର କାମରେ ଆସିବ। ରାକେଶ ଏହି ମେସିନର ନାମ ସିଡିଗ୍ରାଫର ରଖିଛନ୍ତି। ଏଥିପାଇଁ ତାଙ୍କୁ ବହୁ ପୁରସ୍କାର ମଧ୍ୟ ମିଳିଛି। ୨୦୨୧ରେ ତାଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲଶକ୍ତି ପୁରସ୍କାର ମିଳିଥିଲା।

ରାକେଶଙ୍କ ପିତା ଜଣେ କୃଷକ ଏବଂ ମାଆ ଜଣେ କଲେଜ ଅଧ୍ୟାପିକା। ପିଲାଦିନରୁ ଚାଷବାଷ ସହ ଜଡ଼ିତ ଥିବା କାରଣରୁ ସେ ଚାଷୀମାନଙ୍କ ସମସ୍ୟା ବିଷୟରେ ଖୁବ୍ ଭଲ ଭାବରେ ଅବଗତ। ସେ ଏହି ସମସ୍ୟାର ସମାଧାନ ପାଇଁ ଏକ ନୂତନ ମେସିନ୍ ତିଆରି କରିବାକୁ ଭାବିଥିଲେ। ଏଥିପାଇଁ ତାଙ୍କ ବଡ଼ ଭଉଣୀ ରଶ୍ମିପାର୍ବତୀଙ୍କ ଠାରୁ ତାଙ୍କୁ ପ୍ରେରଣା ମିଳିଥିଲା। ତାଙ୍କ ଭଉଣୀ ବାୟୋଲୋଜିରେ ଜର୍ମାନୀରେ ପିଏଚଡି କରୁଛନ୍ତି।

୨୦୧୫ରେ ରାକେଶ ଏହି ମେସିନ୍ ତିଆରି କରିବା ଆରମ୍ଭ କଲେ। ପ୍ରଥମେ ଏହି ମେସିନ୍ କେବଳ ମଞ୍ଜି ବୁଣିବା କାମରେ ଲାଗୁଥିଲା। ହେଲେ ଗତ ୫ ବର୍ଷ ମଧ୍ୟରେ ରାକେଶ ଏଥିରେ ବିଭିନ୍ନ ପ୍ରକାରର ପରିବର୍ତ୍ତନ କରିଛନ୍ତି। ସିଡୋଗ୍ରାଫର ସାହାଯ୍ୟରେ ଏବେ ଧାନ, ଚଣା, ଆଦି ମଞ୍ଜି ବୁଣି ହେଉଛି। ଏହି ମେସିନ୍‌ରେ ଏକ ପ୍ଲେଟ ଲାଗିଛି ଯାହାକି ମଞ୍ଜି ବୁଣି ସାରିବା ପରେ ମାଟି ଘୋଡାଇବା କାମ କରିଥାଏ।

ରାକେଶ ଦାବି କରିଛନ୍ତି ଯେ, କୃଷକମାନେ ହାତରେ ଏକ ହେକ୍ଟରରେ ଧାନ ଲଗାଇବା ପାଇଁ ୨ ରୁ ୩ ଦିନ ସମୟ ନିଅନ୍ତି। ହେଲେ ଏହି ମେସିନ୍‌ରେ ମାତ୍ର ୧୫ ରୁ ୧୬ ଘଣ୍ଟାରେ କାମ ହୋଇଯାଏ। କ୍ଷେତରେ ପାଣି ନଥିଲେ ମଧ୍ୟ ଏହି ମେସିନ୍ ସାହାଯ୍ୟରେ ଚାରା ଲଗାଯାଇ ପାରିବ।

Leave a Reply

Your email address will not be published. Required fields are marked *