ମହିଳାମାନେ କେମିତି କରିବେ ମହଙ୍ଗା ସହ ମୁକାବିଲା, ଜାଣନ୍ତୁ…

ଭୁବନେଶ୍ଵର, ୨୫/୧୧ : ମହଙ୍ଗାକୁ ମୁକାବିଲା କରିବା ପାଇଁ ପ୍ରତ୍ୟେକ ମହିଳାଙ୍କୁ ଚଉଆଖିଆ ହେବାକୁ ପଡିଥାଏ । ବିଭିନ୍ନ ଦିଗ ପ୍ରତି ବିଶେଷ ଦୃଷ୍ଟି ଦେଇପାରୁଥିବା ମହିଳାମାନେ ହିଁ ମହଙ୍ଗା ମୁକାବିଲା କରିବା ସହଜ ହୋଇଥାଏ। ତେବେ ଜାଣନ୍ତୁ କିଭଳି କରିବା ମହଙ୍ଗା ସହ ମୁକାବିଲା…

ଟଙ୍କା ବାହାର କରିବା ଶିଖନ୍ତୁ: ପ୍ରାୟ ଗୃହିଣୀ ସଞ୍ଚିତ ଅର୍ଥକୁ ଘରେ ବା ସଞ୍ଚୟ ଖାତାରେ ପକାଇ ରଖିଥାନ୍ତି, ଯାହାଦ୍ୱାରା ଅର୍ଥ ଏକ ପ୍ରକାର ମୂଲ୍ୟହୀନ ହୋଇପଡିଥାଏ । ବରଂ ଏହାକୁ ଏମିତି ଜାଗାରେ ନିବେଶ କରିବା ଦରକାର, ଯାହା ଟଙ୍କାର ମୂଲ୍ୟକୁ ବଢାଇପାରିବ । ତେଣିକି ସେ ଫିକ୍ସ ଡିପୋଜିଟ୍‌ ହେଉ ଅବା ଅନ୍ୟ କୌଣସି ନିବେଶ । କୌଣସି ଅର୍ଥ ବିଶେଷଜ୍ଞଙ୍କ ସହ କଥାବାର୍ତ୍ତା କରି ଆପଦକାଳୀନ ସ୍ଥିତି ପାଇଁ ଅର୍ଥ ସଞ୍ଚୟ କରି ବାକି ସବୁ ଅର୍ଥକୁ ନିବେଶ କରି ନେବା ଉଚିତ୍‌ । ବିଭିନ୍ନ ଉପାୟରେ ଆପଣ ନିବେଶ କରିପାରିବେ ଯେପରିକି ଘର ବା ଜମି କିଣା, ସୁନା ବା ରୁପା କିଣିବା, ସେୟାର କିଣିବା କିମ୍ବା ମ୍ୟୁଚୁଆଲ୍‌ ଫଣ୍ଡ୍‌ ଆଦି କିଣିପାରିବେ ।

ହୋଲସେଲ୍‌ ଦୋକାନରୁ ଜିନିଷ କିଣନ୍ତୁ: ବିଭିନ୍ନ ଘରୋଇ ଜିନିଷ ଯଥା ସାବୁନ, ଡିଟର୍‌ଜେଣ୍ଟ, ଡାଲି, ଚାଉଳ, ଅଟା, ଟୁଥ୍‌ପେଷ୍ଟ୍‌ ଆଦିକୁ ଦୀର୍ଘ ଦିନ ଯାଏ ସଂରକ୍ଷିତ କରାଯାଇପାରିବ । ତେଣୁ ଏହାକୁ ଯଥାସମ୍ଭବ ନିକଟସ୍ଥ ହୋଲ୍‌ସେଲ ଦୋକାନରୁ ବହୁ ମାତ୍ରାରେ କିଣିବା ଦ୍ୱାରା କମ୍‌ ଦାମ୍‌ରେ ଜିନିଷ ମିଳିଥାଏ ।

ବ୍ରାଣ୍ଡ୍‌ ପଛରେ ପଡନ୍ତୁନି: ଗୁଣବତ୍ତାକୁ ଦୃଷ୍ଟିରେ ରଖି ଜିନିଷ କିଣିବାକୁ ଚେଷ୍ଟା କରନ୍ତୁ । କେବଳ ବ୍ରାଣ୍ଡ୍‌ର ଭକ୍ତ ସାଜନ୍ତୁନି । କାରଣ ଏକଥା ଭୁଲନ୍ତୁନି ଯେ ବ୍ରାଣ୍ଡର ବିଜ୍ଞାପନ ପାଇଁ ଦିଆଯାଉଥିବା ଅର୍ଥ ମଧ୍ୟ ଉପଭୋକ୍ତଙ୍କଠାରୁ ହିଁ ନିଆଯାଇଥାଏ । ତେଣୁ ବିଭିନ୍ନ ଜିନିଷର ଦର ଅଧିକ ରହିଥାଏ । ବରଂ ବିଶ୍ୱସନୀୟ ନିକଟସ୍ଥ ଦୋକାନରୁ ହିଁ ଆବଶ୍ୟକୀୟ ଜିନିଷ କିଣନ୍ତୁ ।

ଅନ୍‌ଲାଇନ୍‌ ଜିନିଷକୁ ଗୁରୁତ୍ୱ: କୌଣସି ଇଲେକ୍‌ଟ୍ରିକ୍‌ ବା ଫ୍ୟାଶନ୍‌ ଜିନିଷକୁ ଅନ୍‌ଲାଇନରୁ କିଣିବାକୁ ଚେଷ୍ଟା କରନ୍ତୁ । କାରଣ ନିକଟସ୍ଥ ମାର୍କେଟ ଅପେକ୍ଷା ଅନ୍‌ଲାଇନ୍‌ରେ କମ୍‌ ଦାମ୍‌ରେ ଓ ଘରେ ଜିନିଷ ପହଞ୍ଚିବାର ସୁବିଧା ମଧ୍ୟ ମିଳିଥାଏ । ସେହିପରି କେତେକ ଔଷଧ ମଧ୍ୟ ଅନ୍‌ଲାଇନରେ ରିହାତିରେ ମିଳିଥାଏ ।

ଯୋଜନା ମୁତାବକ ଜିନିଷ କିଣନ୍ତୁ: ବଜାର ଯିବା ପୂର୍ବରୁ ଆବଶ୍ୟକ ଥିବା ଜିନିଷର ତାଲିକା ପ୍ରସ୍ତୁତ କରିନିଅନ୍ତୁ । ଫଳରେ ଆବଶ୍ୟକ ଜିନିଷ ହିଁ କିଣିବେ । ମାର୍କେଟରେ ରିହାତି ଦେଖି ଆଦୌ ଜିନିଷ କିଣନ୍ତୁନି । କେବଳ ଆବଶ୍ୟକ ଜିନିଷ ହିଁ କିଣିବାକୁ ଚେଷ୍ଟା କରନ୍ତୁ । ଭୋକରେ କେବେ ବି ମାର୍କେଟିଂ କରିବାକୁ ଯାଆନ୍ତୁନାହିଁ । ଜିନିଷ କିଣିବା ସମୟରେ କ୍ରେଡିଟ୍‌ କାଡ୍‌ ନୁହେଁ, ବରଂ ନଗଦ ଟଙ୍କା ଦିଅନ୍ତୁ । ଫଳରେ ଖର୍ଚ୍ଚକୁ ନିୟନ୍ତ୍ରିତ କରିପାରିବେ ।

ଘର ଖାଦ୍ୟକୁ ଗୁରୁତ୍ୱ ଦିଅନ୍ତୁ: କର୍ମଜୀବୀ ହୋଇଥିଲେ ବାହାର ଖାଦ୍ୟ ଉପରେ ନିର୍ଭର କରିବା ପରିବର୍ତ୍ତେ ଘରୋଇ ଖାଦ୍ୟକୁ ଗୁରୁତ୍ୱ ଦେବାକୁ ଚେଷ୍ଟା କରନ୍ତୁ । ଏହାଦ୍ୱାରା ଘରୋଇ ଖାଦ୍ୟ ଖାଇ ସୁସ୍ଥ ରହିବା ସହ ଟିଫିନ୍‌ ଖର୍ଚ୍ଚକୁ ସଞ୍ଚୟ କରିପାରିବେ

Leave a Reply

Your email address will not be published. Required fields are marked *