୩୮ ଦାନ୍ତ ପାଇଁ ମହିଳାଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ, ୨୨/୧୧ : ଭାରତର କଳ୍ପନା ବାଲନ ନାମ୍ନୀ ଜଣେ ୨୬ ବର୍ଷୀୟ ମହିଳା ୩୮ ଦାନ୍ତ ପାଇଁ ମହିଳା ବିଭାଗରେ ଗିନିଜ୍‌ ବିଶ୍ୱ ରେକର୍ଡରେ ସ୍ଥାନ ପାଇଛନ୍ତି । ଗିନିଜ୍‌ ବିଶ୍ୱ ରେକର୍ଡ ଅନୁସାରେ, କଳ୍ପନାଙ୍କ ପାଟିର ତଳ ମାଢ଼ିରେ ୪ ଓ ଉପର ମାଢ଼ିରେ ୨ ଅତିରିକ୍ତ ଦାନ୍ତ ରହିଛି । କୈଶୋରାବସ୍ଥାରେ ଧୀରେ ଧୀରେ ଅତିରିକ୍ତ ଦାନ୍ତ ଉଠୁଥିବା ସେ ଲକ୍ଷ୍ୟ କରିଥିଲେ । ଯନ୍ତ୍ରଣା ଅନୁଭବ ନକଲେ ମଧ୍ୟ ଅତିରିକ୍ତ ଦାନ୍ତରେ ଖାଦ୍ୟ ଫସିଯିବା ଯୋଗୁ ସେ ସମସ୍ୟାର ସମ୍ମୁଖୀନ ହେଉଥିଲେ । ମା’ବାପା ଏ ବିଷୟରେ ଜାଣିବା ପରେ ସର୍ଜରୀ ମାଧ୍ୟମରେ ଅତିରିକ୍ତ ଦାନ୍ତ ବାହାର କରିବାକୁ ନିଷ୍ପତ୍ତି ନେଲେ । କିନ୍ତୁ ଦାନ୍ତ ସମ୍ପୂର୍ଣ୍ଣ ବଢ଼ିବା ପରେ ସହଜରେ ବାହାରି ପାରିବ ବୋଲି ଡାକ୍ତର ଅପେକ୍ଷା କରିବାକୁ ପରାମର୍ଶ ଦେଲେ ।

ପରେ କଳ୍ପନା ଭୟରେ ନିଜର ଅତିରିକ୍ତ ଦାନ୍ତ ନ ବାହାର କରିବାକୁ ନିଷ୍ପତ୍ତି ନେଲେ । ଏବେ ଏଥିପାଇଁ ବିଶ୍ୱ ରେକର୍ଡ ହାସଲ କରିଥିବାରୁ ସେ ଖୁବ୍‌ ଖୁସି ଅଛନ୍ତି । ଏହାକୁ ସେ ନିଜର ଜୀବନବ୍ୟାପୀ ଉପଲବ୍ଧି ବୋଲି କହିଛନ୍ତି । ତାଙ୍କ ମାଢ଼ିରେ ଆଉ ଦୁଇଟି ଅତିରିକ୍ତ ଦାନ୍ତ ଉଠିବା ବାକି ଅଛି । ତେଣୁ ଭବିଷ୍ୟତରେ ତାଙ୍କ ଦାନ୍ତ ସଂଖ୍ୟା ବଢ଼ିପାରେ । କାନାଡ଼ାର ଏଭାନୋ ମେଲୋନ ୪୧ ଦାନ୍ତ ପାଇଁ ପୁରୁଷ ବିଭାଗରେ ଗିନିଜ୍‌ ରେକର୍ଡରେ ସ୍ଥାନ ପାଇଛନ୍ତି ।

 

Leave a Reply

Your email address will not be published. Required fields are marked *