ଆଜି ମହିଳା ଆୟୋଗର ୩୧ତମ ପ୍ରତିଷ୍ଠା ଦିବସ, ପ୍ରଥମ ଅଧ୍ୟକ୍ଷ ଥିଲେ ଜଣେ ଓଡ଼ିଆ 

ନୂଆଦିଲ୍ଲୀ, ୩୧/୦୧ : ଭାରତରେ ମହିଳାଙ୍କ ସ୍ଥିତି ମଜବୁତ କରିବା ପାଇଁ ଏବଂ ସେମାନଙ୍କର ଅଧିକାର ସଂରକ୍ଷଣ କରିବା ପାଇଁ ରାଷ୍ଟ୍ରୀୟ ମହିଳା ଆୟୋଗ କାର୍ଯ୍ୟରତ। ଜାନୁଆରୀ ୩୧ରେ ମହିଳା ଆୟୋଗର ସ୍ଥାପନା ହୋଇଥିଲା। ଏହି ସଂସ୍ଥା ମହିଳାଙ୍କ ସାମ୍ବିଧାନିକ ଏବଂ ଆଇନଗତ ଅଧିକାର ସଂରକ୍ଷଣର ସମୀକ୍ଷା କରେ। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାନୁଆରୀ ୩୧ ତାରିଖରେ ରାଷ୍ଟ୍ରୀୟ ମହିଳା ଆୟୋଗର ୩୧ତମ ସ୍ଥାପନା ଦିବସ କାର୍ଯ୍ୟକ୍ରମରେ ସମ୍ଵୋଧିତ କରିଛନ୍ତି। ସଶକ୍ତ ନାରୀ ସଶକ୍ତ ଭାରତ ଚଳିତ ବର୍ଷର ବିଷୟ ରହିଛି।

୧୯୯୨ ମସିହା ଜାନୁଆରୀ ୩୧ ତାରିଖରେ ଭାରତ ସରକାର ମହିଳା ଆୟୋଗ ସ୍ଥାପନା କରିଥିଲେ। ଏବେ ରେଖା ଶର୍ମା ମହିଳା ଆୟୋଗର ଅଧ୍ୟକ୍ଷ ଅଛନ୍ତି। ମହିଳା ଆୟୋଗ ଗଠନ ହୋଇଥିବା ସମୟରେ ଜୟନ୍ତୀ ପଟ୍ଟନାୟକ ଅଧ୍ୟକ୍ଷ ଥିଲେ। ୩ ବର୍ଷ ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳ ଥିଲା। ସେ ଜଣେ ଓଡ଼ିଆ ଥିଲେ। ଗଞ୍ଜାମ ଜିଲ୍ଲାର ଆସିକାରେ ୧୯୩୨ ମସିହା ଏପ୍ରିଲ ୭ ତାରିଖରେ ତାଙ୍କର ଜନ୍ମ ହୋଇଥିଲା। ତାଙ୍କ ପିତାଙ୍କ ନାମ ନିରଞ୍ଜନ ପଟ୍ଟନାୟକ ଥିଲା। ୧୯୫୩ ମସିହାରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସହ ତାଙ୍କର ବିବାହ ହୋଇଥିଲା।

ରାଜନୈତିକ ପରିବାରରୁ ଆସିଥିବା ଜୟନ୍ତୀ ପଟ୍ଟନାୟକ କଂଗ୍ରେସ ଟିକେଟ୍‌ରେ କଟକ ଲୋକସଭା ନିର୍ବାଚନ ମଣ୍ଡଳୀରୁ ଲୋକସଭା ନିର୍ବାଚନ ଲଢିଥିଲେ। ଏହା ସହ ସେ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢିଥିଲେ। ନିର୍ବାଚନରେ ବିଜୟୀ ହୋଇ ସେ ସାଂସଦ ହୋଇଥିଲେ। ଏହାପରେ ମହିଳା ଆୟୋଗର ଅଧ୍ୟକ୍ଷ ହୋଇପାରିଥିଲେ।

Leave a Reply

Your email address will not be published. Required fields are marked *