ନୂଆଦିଲ୍ଲୀ, ୨୯/୦୯ : ୟୁପିଏସସିର ଫାଇନାଲ୍ ଲିଷ୍ଟରେ ରହିବା ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ। ଯେଉଁମାନେ କଠିନ ପରିଶ୍ରମ ଓ ଅଧ୍ୟବସାୟ କରନ୍ତି ସେମାନେ ଏହି ଶୀର୍ଷରେ ପହଞ୍ଚିପାରନ୍ତି। ହେଲେ ତଫାତ୍ ଏତିକି କିଏ ପ୍ରଥମ ଚେଷ୍ଟାରେ ପାଇ ଯାଆନ୍ତି ଆଉ କେହି ବାରମ୍ଵାର ପ୍ରୟାସ କରିବା ପରେ ସଫଳ ହୁଅନ୍ତି। କାରଣ କଥାରେ ଅଛି ପରିଶ୍ରମ କରୁଥିବା ବ୍ୟକ୍ତି କେବେ ହାର୍ ମାନେ ନାହିଁ। ଏହି କଥାକୁ ଯାଥାର୍ଥ କରିଛନ୍ତି ୟୁପିଏସସି ଟପ୍ପର ତପସ୍ୟା ପରିହାର। ସେ ତାଙ୍କର ଦ୍ଵିତୀୟ ପ୍ରୟାସରେ ସର୍ବ ଭାରତୀୟ ସ୍ତରରେ ୨୩ ରାଙ୍କ ହାସଲ କରିଛନ୍ତି।
ତପସ୍ୟାଙ୍କ ଏହି ଯାତ୍ରା ମଧ୍ୟପ୍ରଦେଶର ନରସିଂହପୁରରୁ ଆରମ୍ଭ ହୋଇଥିଲା। କେନ୍ଦ୍ରୀୟ ବିଦ୍ୟାଳୟରେ ସେ ତାଙ୍କର ସ୍କୁଲ ପଢା ଶେଷ କରିଥିଲେ। ଏହାପରେ ପୁଣେର ଇଣ୍ଡିଆନ ଲ ସୋସାଇଟି, ଆଇନ କଲେଜରେ ଅଧ୍ୟୟନ କରିଥିଲେ। ଏହାପରେ ତପସ୍ୟା ୟୁପିଏସସି ପାଇଁ ପ୍ରସ୍ତୁତ ହେବା ପାଇଁ ବିଚାର କରିଥିଲେ ଏବଂ ନିଜକୁ ପ୍ରସ୍ତୁତ କରିଥିଲେ। ସେ ତାଙ୍କର ପ୍ରଥମ ଚେଷ୍ଟାରେ ପ୍ରିଲିମରେ ଫେଲ୍ ହୋଇଥିଲେ। ଏହାପରେ ତପସ୍ୟା ସେଲ୍ଫ ଷ୍ଟଡି ବଢାଇଥିଲେ। ସେ ନିଜେ ନିଜର ଷ୍ଟ୍ରାଟେଜି ତିଆରି କରିଥିଲେ। ଏଥିରେ ସଫଳ ମଧ୍ୟ ହୋଇଥିଲେ। ଦ୍ଵିତୀୟ ଚେଷ୍ଟାରେ ସେ ୟୁପିଏସସିରେ ୨୩ ନମ୍ଵର ରାଙ୍କ ହାସଲ କରିଥିଲେ।
୬୩ ପ୍ରତିଶତ ସାକ୍ଷରତା ହାର ଥିବା ଗ୍ରାମାଞ୍ଚଳରୁ ତପସ୍ୟା ତାଙ୍କର ଯାତ୍ରା ଆରମ୍ଭ କରିଥିଲେ। ଏହି ଯାତ୍ରା ଏତେ ସହଜ ନଥିଲା। ତାଙ୍କ ପିତାଙ୍କ ଦୃଢ ଆତ୍ମବିଶ୍ଵାସ ପାଇଁ ତପସ୍ୟା ଆଗକୁ ବଢି ପାରିଥିଲେ। ତାଙ୍କ ପିତା ଜଣେ କୃଷକ ହୋଇଥିଲେ ମଧ୍ୟ ତପସ୍ୟାଙ୍କ ପାଠପଢାରେ କୌଣସି ଅଭାବ ରଖି ନଥିଲେ।