ଶୀତ ଦିନେ ଖାଆନ୍ତୁ କନ୍ଦମୂଳ, ଶରୀର ପାଇଁ ବେଶ୍ ସ୍ବାସ୍ଥ୍ୟକର

ଭୁବନେଶ୍ୱର ୧୨/୧୨: କନ୍ଦମୂଳ ପୋଷକ ତତ୍ତ୍ୱରେ ଭରା । ଶୀତଦିନେ ଏହା ବଜାରରେ ବହୁ ମାତ୍ରାରେ ମିଳିଥାଏ । ଏଥିରେ ବହୁ ମାତ୍ରାରେ ଫାଇବର, ପ୍ରୋଟିନ୍‌, ପୋଟାସିୟମ୍‌, ଆଇରନ୍‌ ଓ ଭିଟାମିନ୍‌ ସି ମିଳିଥାଏ । କନ୍ଦମୂଳ କେବଳ ଖାଇବାକୁ ବେଶ୍‌ ସ୍ୱାଦିଷ୍ଟ ନୁହେଁ, ଶରୀର ପାଇଁ ମଧ୍ୟ ସ୍ୱାସ୍ଥ୍ୟକର । ଶୀତରେ ଶରୀରକୁ ହାଲ୍‌କା ଉଷୁମର ଆବଶ୍ୟକତା ରହିଥାଏ । କନ୍ଦମୂଳ ଶରୀରକୁ ଉଷୁମ ରଖିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଏହାକୁ ସିଝାଇ ବା ପୋଡି ଖାଇପାରିବେ । ପିଲାଙ୍କୁ କନ୍ଦମୂଳ ଚାଟ୍‌ ଖାଇବାକୁ ଦେଇପାରିବେ । କିନ୍ତୁ ମଧୁମେହ ରୋଗୀ ଏହାକୁ ଯେତେବେ କମ୍‌ ଖାଇବେ, ସେତେ ଭଲ । ଏଥିରେ ବହୁ ମାତ୍ରାରେ ଶର୍କରା ରହିଥାଏ । ତେଣୁ ଯଥାସମ୍ଭବ କମ୍‌ ଖାଇବା ଉଚିତ୍‌ ।

ପାଚନ ତନ୍ତ୍ରକୁ ସୁସ୍ଥ କରେ
କନ୍ଦମୂଳ ଫାଇବରରେ ଭରା, ଯାହା ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ । କନ୍ଦମୂଳ ଚାଟ୍‌ ଖାଇବା ଦ୍ୱାରା ଗ୍ୟାସ୍‌ ଏବଂ କବ୍ଚ ସମସ୍ୟା ହୋଇ ନଥାଏ।

ରୋଗ ପ୍ରତିରୋଧକ ଶକ୍ତି ବଢାଏ
କନ୍ଦମୂଳ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିବା ସହ ଶରୀରର ଥକ୍କାପଣ ଓ ଦୁର୍ବଳତା କମ୍‌ ହୋଇଥାଏ । ଏଥିରେ ଥିବା ଭିଟାମିନ୍‌-ସି ଶରୀରକୁ ଦୀର୍ଘ ସମୟ ଯାଏ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।

ଆଖିକୁ ସୁସ୍ଥ ରଖେ
କନ୍ଦମୂଳ ଖାଇବା ଦ୍ୱାରା ଆଖି ଦୀର୍ଘ ଦିନଯାଏ ସୁସ୍ଥ ରହିଥାଏ । ଏଥିରେ ଥିବା ଭିଟା-କ୍ୟାରେଟିନ୍‌ ଆଖିକୁ ଦୀର୍ଘଦିନ ଯାଏ ସୁସ୍ଥ ରଖିଥାଏ । ସେହିପରି ଏହାକୁ ଖାଇବା ଦ୍ୱାରା ଆଖି ଜନିତ ସମସ୍ତ ସମସ୍ୟା ଆପେ ଆପେ ଦୂର ହୋଇଯାଇଥାଏ ।

ହୃଦୟକୁ ସୁସ୍ଥ କରେ
ଏଥିରେ ଥିବା ପୋଟାସିୟମ୍‌ ହୃଦୟକୁ ସୁସ୍ଥ ରଖିବା ସହ ରକ୍ତଚାପକୁ ନିୟନ୍ତ୍ରିତ କରିଥାଏ । ଏହା ହାଟ୍‌ ଷ୍ଟ୍ରୋକ୍‌ ଓ ଉଚ୍ଚ ରକ୍ତଚାପର ଆଶଙ୍କାକୁ କମ୍‌ କରିଥାଏ ।

ଓଜନ କମାଏ
ଏଥିରେ ଥିବା ଫାଇବର ପେଟକୁ ଭରା ରଖିଥାଏ, ଫଳରେ ଭୋକ କମ୍‌ ଲାଗିଥାଏ । ଭୋକ ନିୟନ୍ତ୍ରିତ ହେବା ଫଳରେ ଓଜନ ବଢି ନଥାଏ । ଏଥିରେ ଖୁବ୍‌ କମ୍‌ କ୍ୟାଲୋରୀ ରହିଥାଏ । ତେଣୁ ଓଜନ ବଢିବାର ସମ୍ଭାବନା କମ୍‌ ରହିଥାଏ।

Leave a Reply

Your email address will not be published. Required fields are marked *