ନୂଆଦିଲ୍ଲୀ, ୦୨/୦୯ : ଧୀରେଧୀରେ ଜନଶୂନ୍ୟ ହେବାକୁ ବସିଥିଲା ଗାଁ। ଜୀବିକା ପାଇଁ ଗାଁ ଛାଡ଼ି ଚାଲିଯାଉଥିଲେ ଯୁବକ। ହେଲେ ୩୦ ମହିଳାଙ୍କ ଏଭଳି ଅଭିନବ ପ୍ରୟାସ ଯୋଗୁଁ ଏବେ ହସି ଉଠୁଛି ଗାଁ। ନିଜ ନିଜ ଘରକୁ ଫେରୁଛନ୍ତି ପ୍ରବାସୀ। ଉତ୍ତରାଖଣ୍ଡର ବାଗେଶ୍ଵର ଜିଲ୍ଲାରେ ଥିବା ଲିତି ଗ୍ରାମ ଏବେ ଚର୍ଚ୍ଚାରେ।
ସୂଚନାନୁଯାୟୀ, ବାଗେଶ୍ଵର ଜିଲ୍ଲାର ଲିତି ଗ୍ରାମର ଲୋକମାନେ ରୋଜଗାର କରିବା ଉଦ୍ଦେଶ୍ୟରେ ବାହାର ରାଜ୍ୟକୁ ଚାଲିଯାଉଥିଲେ। ଫଳରେ ଧୀରେଧୀରେ ଗାଁ ଜନଶୂନ୍ୟ ହେବାକୁ ବସିଥିଲା। ଘର ଗୁଡ଼ିକ ଭୂତକୋଠି ପାଲଟିବାକୁ ବସିଥିଲା। ଏହି ସମୟରେ ଗ୍ରାମର ୩୦ ଜଣ ମହିଳା ଏକ ଅଭିନବ ପ୍ରୟାସ ଆରମ୍ଭ କଲେ। ଏହି ମହିଳାମାନେ ହୋମ୍ ଷ୍ଟେ ସର୍ଭିସ୍ ଦେବା ଆରମ୍ଭ କଲେ। ଏହି ସର୍ଭିସ୍ର ଅର୍ଥ ହେଉଛି ପର୍ଯ୍ୟଟକମାନେ ଏହି ଗାଁକୁ ଆସି ଗ୍ରାମବାସୀଙ୍କ ଘରେ ରହିପାରିବେ। ଏଠାକାର ଖାଦ୍ୟପେୟ ଏବଂ ଚାଲିଚଳଣୀର ଆନନ୍ଦ ଉଠାଇପାରିବେ।
ଧୀରେଧୀରେ ଏହି ହୋମ୍ ଷ୍ଟେ ସର୍ଭିସ୍ ପ୍ରତି ପର୍ଯ୍ୟଟକମାନେ ଆକୃଷ୍ଟ ହେବାକୁ ଲାଗିଲେ। ଗାଁରେ ପର୍ଯ୍ୟଟକଙ୍କ ଗହଳି ଜମିଲା। ଏହା ଦେଖି ପ୍ରବାସୀମାନେ ମଧ୍ୟ ନିଜ ନିଜ ଘରକୁ ଫେରିଆସିଲେ ଏବଂ ଏହି ଉପାୟରେ ରୋଜଗାର ଆରମ୍ଭ କଲେ। ବିଶେଷ କରି କରୋନା କାଳରେ ପର୍ଯ୍ୟଟକମାନେ ପ୍ରକୃତି କୋଳରେ ରହି ୱାର୍କ ଫର୍ମ ହୋମ୍ କରିବାକୁ ପସନ୍ଦ କଲେ। ମହିଳାଙ୍କ ଏହି ସଫଳତା ଦେଖି ଏବେ ସରକାର ହୋମ୍ ଷ୍ଟେ ପାଇଁ ଋଣ ଦେଉଛନ୍ତି। ଯଦି କେହି ବ୍ୟକ୍ତି ଏହା ଦ୍ଵାରା ରୋଜଗାର ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ସେ ସରକାରଙ୍କ ଠାରୁ ୩୦ ଲକ୍ଷ ଟଙ୍କା ଋଣ ନେଇପାରିବେ।