ପିଲାଙ୍କ କଥା ରହିଲା ପରୀକ୍ଷା ବାତିଲ

 

ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ରଦ୍ଦ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଉଚ୍ଚସ୍ତରୀଯ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । କରୋନା ସମୟରେ ଛାତ୍ରଛାତ୍ରୀଙ୍କ ଉପରେ ଅଧିକ ଚାପ ନ ପକାଇବା ଏବଂ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଥିବା ପ୍ରଧାନମନ୍ତ୍ରୀ ଜଣାଇଛନ୍ତି ।

ସିବିଏସଇ ଦ୍ବାଦଶ ପରୀକ୍ଷା କେମିତି ହେବ ଏବଂ ଛାତ୍ରଛାତ୍ରୀଙ୍କ ପରୀକ୍ଷାଫଳ କେମିତି ପ୍ରକାଶ ପାଇବା ଏ ସଂପର୍କରେ ନିଷ୍ପତ୍ତି ନେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ଏଥିରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ଯ଼ୋଗ ଦେଇଥିବା ବେଳେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ସାମିଲ ହୋଇଥିଲେ । ତେବେ କରୋନା ସମୟରେ ଛାତ୍ରଛାତ୍ରୀଙ୍କ ଉପରେ ଅଧିକ ଚାପ ନ ଦେବା ଉଦ୍ଦେଶ୍ୟରେ ପରୀକ୍ଷା ବାତିଲ କରିବା ପାଇଁ ଏଥିରେ ନିଷ୍ପତ୍ତି ନିଆଯାଇଥିଲା ।

ପୂର୍ବରୁ ଛାତ୍ରଛାତ୍ରୀଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏବଂ କିଛି ରାଜ୍ୟ ସରକାର ପରୀକ୍ଷା ବାତିଲ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଏପରିକି ସୁପ୍ରିମକୋର୍ଟରେ ଏନେଇ କିଛି ଅଭିଭାବକ ଆବେଦନ କରିଥିଲେ । ଯ଼ାହାକୁ ନେଇ କୋର୍ଟ କେନ୍ଦ୍ର ଠାରୁ ଜବାବ ମାଗିଥିଲେ । ଦୁଇ ଦିନ ମଧ୍ୟରେ ନିଷ୍ପତ୍ତି ନେବା ଲାଗି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଜଣାଇଥିବା ବେଳେ ଏନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକରେ ଆଗୁଆ ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତି ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିବାଲ ଏହାକୁ ସ୍ବାଗତ କରିଛନ୍ତି । ସେହିପରେ ପରେ ପରେ ଆଇସିଏସଇ ବୋର୍ଡ ମଧ୍ୟ ଦ୍ବାଦଶ ଶ୍ରେଣୀ ପରୀକ୍ଷା ରଦ୍ଦ କରିବା ନେଇ ଘୋଷଣା କରିଛି ।

ଉପଯୁକ୍ତ ସମୟରେ ପରୀକ୍ଷା ଫଳ ପ୍ରକାଶ କରାଯିବ। ଯଦି କେହି ତାଙ୍କର ରେଜଲ୍ଟରେ ଅସନ୍ତୁଷ୍ଟ ହୁଅନ୍ତି ତେବେ ସେ ପରବର୍ତ୍ତୀ ସମୟରେ ଯେତେବେଳେ କୋଭିଡ ସ୍ଥିତି ହଟିଯାଇଥିବା ସେମାନେ ପରୀକ୍ଷା ଦେଇପାରିବେ ।

Leave a Reply

Your email address will not be published. Required fields are marked *