“ସେତେବେଳକୁ ତମେ କେଡ଼େ ବଡ଼ ହୋଇଥିଲ ? ମାନେ ମାମା ଠାରୁ ବଡ଼ ହେଇଥିଲ ନା ସାନ ?”
“କେଡ଼େ ବଡ଼ …. ? …..ହା .. ହା ଏଡ଼େ ବଡ଼ …” ଦୁଇ ହାତକୁ ଲମ୍ବେଇ କହିଲେ ଜେଜେ ମା …. “ସେତେବେଳକୁ ମୁଁ ତୋ ବୋଉଠାରୁ ବଡ଼ ହୋଇଥିଲି, ତୋ ବାପା ପରା କାଖରେ ଥିଲା ….”
“ହା … ହା … ବାବା କାଖ ହଉଥିଲେ … କେଡ଼େ ଫନି କଥା ….” ଏମିତି କହି ଠୋ ଠୋ ହୋଇ ହସିଲା ସାଇନା … ଆଉ ତାକୁ କୋଳକୁ ନେଇ ଯାଇ ଜାକି ଧରିଥାନ୍ତି ଜେଜେ ମା …. ଏମିତି ବେଳେ ବେଳେ …ହଁ ସବୁବେଳେ ନୁହେଁ … ସାଇନା ଚାଲିଆସେ ଜେଜେ ମାଙ୍କ ପାଖକୁ … ଆଉ ସେଇଠି ବୁଢୀମା ନାତୁଣୀ ବସି ଗପ କରନ୍ତି … ପିଲାଟାର ଯେପର୍ଯ୍ୟନ୍ତ ମନ ଲାଗିଥାଏ ବସିଥାଏ, ଗପ ଶୁଣେ, ଗେହ୍ଲା ହୁଏ, ଜେଜେ ମାକୁ ମୋବାଇଲ ଶିଖେଇ ଦିଏ , ଆଉ ଯେତେବେଳେ ମନ ବୁଝିଯାଏ ପୁଣି ଚାଲିଯାଏ, ଟିଭି ଦେଖିବାକୁ କିମ୍ବା ମୋବାଇଲ ଦେଖିବାକୁ … ଆଜି କିନ୍ତୁ ସାଇନା ଜିଦ୍ କରୁଛି ଜେଜେ ମା ଠାରୁ ସେଦିନର କାହାଣୀ ଶୁଣିବ …. ଜେଜେମାଙ୍କ କୋଳରେ ମୁଣ୍ଡ ରଖି ଜିଦ କରୁଛି , ଯେମିତି ହେଲେ ଶୁଣିବ ବୋଲି କହୁଛି । ଆଉ ପିଲାଟିର ଆଗ୍ରହ ଦେଖି କହିଲେ ଜେଜେମା ….
1977 ମସିହା ବେଳର କଥା। ତୋ ବାପା ଜନ୍ମ ହେବାର ମାତ୍ର ମାସ କେଇଟା ହୋଇଥାଏ, ସେତେବେଳେ ଭାଇନା ମାନେ ମୋ ବଡ଼ ଭାଇ ପୁରୀ ହସ୍ପିଟାଲରେ ଚାକିରୀ କରୁଥିଲେ। ଭାଉଜଙ୍କ ଭାଇ ଥିଲେ ପୋଲିସରେ। ସେ ମଧ୍ୟ ପୁରୀରେ ଚାକିରୀ କରିଥିଲେ। ଉଭୟ ଭାଇନା ଆଉ ଭାଉଜ ମୋତେ ଡାକିଥିଲେ ପୁରୀ ଯିବା ପାଇଁ। ସେ ବର୍ଷ ରଥଯାତ୍ରା ଦେଖିବା ପାଇଁ ବାରମ୍ବାର ଚିଠି ଲେଖି କହିଥିଲେ। ବାର ବାର କରି ଡାକିଥିଲେ ଯେ ମୁଁ ତୋ ବାପାକୁ କାଖରେ ଧରି ଯାଇଥିଲି ପୁରୀ। ହଁ ସାଙ୍ଗରେ ମୋ ବୋଉ ବି ଯାଇଥିଲା । ସେ ତ ଭାରି ଧର୍ମ ପରାୟଣ, ସେ ହିଁ ମୋତେ ଡାକିକି ନେଇଥିଲା ପୁରୀ। ସେ ବର୍ଷ ଥିଲା ନବକଳେବର ବର୍ଷ ଆଉ …
“ନବକଳେବର ବର୍ଷ ମାନେ?” ପଚାରିଲା ସାଇନା …
“ଯେଉଁବର୍ଷ ଶ୍ରୀ ଜଗନ୍ନାଥ ନୂଆ ହୁଅନ୍ତି …” ତୁ ବୁଝି ପାରିବୁନି, ଖାଲି ଜାଣିଥା ସେବର୍ଷ ରଥଯାତ୍ରା ଥିଲା ସ୍ବତନ୍ତ୍ର… ପ୍ରାୟ 19 ବର୍ଷରେ ଥରେ ଏମିତି ପଡ଼ିଥାଏ …ଲକ୍ଷ ଲକ୍ଷ ଲୋକ ହୋଇଥିଲେ। ରଥଯାତ୍ରା ପୂର୍ବରୁ ନବ ଯୌବନ ଦର୍ଶନ ପଡ଼ିଥିଲା। ମାସାଧିକ କାଳ ଅଣସରରେ ରହିବା ପରେ ରତ୍ନ ସିଂହାସନରେ ଦର୍ଶନ ଦେଉଥିଲେ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର ଓ ମା ସୁଭଦ୍ରା। କୁହାଯାଏ ନବକଳେବର ବର୍ଷ ଶ୍ରୀ ଜୀଉଙ୍କ ନବ ଯୌବନ ଦର୍ଶନ ପାଇବା କୋଟି ପୁଣ୍ୟର ଫଳ। ଲୋକ ଯେ ଚିକ୍କାର ଶୋରିଷ ପକାଇବାକୁ ଜାଗା ନାହିଁ…. କେତେ ଲୋକେ ମନ୍ଦିର ଭିତରକୁ ଯାଉଥାନ୍ତି କେତେ ବାହାରୁଥାନ୍ତି ଜଣା ପଡୁନଥିଲା। ଖାଲି ଯେମିତି ମୁଣ୍ଡଗୁଡ଼ାକ କଳାର ଗାଲିଚା କରିଦେଇଥିଲା …
ପୁରୀରେ ଥିବା ହେତୁ ଆମେ ସପରିବାର ଯାଇଥିଲୁ ନବ ଯୌବନ ଦର୍ଶନ କରିବାକୁ । ତୋ ବାପାକୁ ମୁଁ କାଖରେ ଧରିଥିଲି ଆଉ ମୋ ବୋଉର ହାତକୁ ଧରିଥିଲି। ହେଲେ ମନ୍ଦିର ଭିତରକୁ ପଶିବା ବେଳକୁ ବୋଉର ହାତ ଛାଡ଼ି ହେଇଗଲା। ତା ପରେ ଯେମିତି ଶୂନ୍ୟତା। ମୋତେ ଲୋକମାନେ ଭିତରକୁ ଠେଲି ଠେଲି ନେଇଗଲେ … ମୋ ପୁଅ କାଖରେ ଅଛି ମୁଁ କିନ୍ତୁ ଭିତରକୁ ଭିତରକୁ ଠେଲି ହୋଇଯାଉଛି, ଯେମିତି ପାଣିର ସୁଅରେ ଭାସିଯାଉଛି. … ଯାଇ ଗରୁଡ଼ ସ୍ତମ୍ଭ ପାଖରେ ହୋଇଗଲି… ବୁଲିକି କାଳିଆ ସାଆନ୍ତଙ୍କୁ ଦେଖିବାକୁ ଚେଷ୍ଟା କରୁଛି ହେଲେ କିଛି ଦିଶୁନି … ଏତେ ଭିଡ ଭିତରେ କେମିତି ବି ଦେଖିବି କଣ ବା ଦେଖିବି … ମୋତେ କିଛି ଦିଶୁ ନଥିଲା … ଏହାରି ଭିତରେ ଯେମିତି ଆଉ ଗୋଟେ ସୁନାମି ଆସିଲା … ମାଡ଼ି ଆସିଲେ ଲୋକେ ମୋ ଗୋଡ଼ ଆଉ ତଳେ ଲାଗିନଥିଲା …. ମୁଁ ମୁହଁ ଉପରକୁ କରି ଚାହୁଁଛି ସେତିକିବେଳେ କାଳିଆ ସାଆନ୍ତଙ୍କ କଳାକଳା ଆଖି ଗୋଟିଏ ଖାଲି ଦିଶିଲା, ଏଣେ କିନ୍ତୁ ଲାଗୁଥାଏ ମୁଁ ତଳକୁ ପଡ଼ିଯାଉଛି … ହଁ ଜନ ସମୁଦ୍ର ଭିତରେ ମୁଁ ଆଉ ନିଶ୍ବାସ ନେଇପାରୁନଥିଲି … ମୁଁ ତଳକୁ ପଡ଼ିଯାଉଥାଏ … ଗୋଟିଏ ହାତରେ ପୁଅ … ଆର ହାତରେ କାହାକୁ ଧରିବାକୁ ଚେଷ୍ଟା କରୁଥାଏ ସିନା କିନ୍ତୁ ଧରି ପାରୁନଥାଏ … ମୁଁ ତଳେ ପଡ଼ିଯାଇଥାଏ … କିନ୍ତୁ ମୋତେ କେହି ଦେଖୁନଥିଲେ ସମସ୍ତେ ମାଡ଼ି ଆସୁଥିଲେ … ନିମିଷକ ଭିତରେ ସବୁ କିଛି ଅନ୍ଧାର ଦିଶିଲା , ଲାଗିଲା ଏହି ବଡ଼ ଦେଉଳ ଭିତରେ ପଡ଼ିଯିବି ଆଉ ଉଠି ପାରିବି ନାହିଁ … ହେଲେ ସେହି ଅନ୍ଧାର ଭିତରୁ ଗୋଟିଏ ହାତ ମୋ ଆଡ଼କୁ ମାଡ଼ି ଆସିଲା। ହଠାତ ଲାଗିଲା କେହି ଜଣେ ମୋର ଗୋଟିଏ ହାତକୁ ଟାଣି ନେଉଛି । ଏହା କେମିତି ସମ୍ଭବ? ସମସ୍ତେ ତେ ସୁଅରେ ଭାସି ଯାଉଛନ୍ତି କେହି ତଳକୁ ଚାହିଁବାର ବି ସୁଯୋଗ ନାହିଁ ।. ମୁଁ କିଛି ଜାଣିପାରୁନି … ମୁଁ ଖାଲି ମୋ ପୁଅକୁ କାଖରେ ଜାବୁଡ଼ି ଧରିଥାଏ … ଆଉ ସେ ରଡ଼ି ଛାଡୁଥାଏ … କିଏ ମୋତେ ଉଠାଇ ନେଲା ଟାଣି ଠିଆ କରେଇ ଦେଲା ଜାଣିନି … କିନ୍ତୁ ତାପରେ ଆଖି ଖୋଲିବା ବେଳକୁ ମୁଁ ମନ୍ଦିର ବାହାରେ ବେଢ଼ାରେ ବସିଛି । ମୋତେ ଘେରି ରହିଛନ୍ତି ଭାଇନା ଭାଉଜ ମୋ ବୋଉ ମୋ କୋଳରେ ମୋ ପୁଅ ଖେଳୁଛି…. ଉପରକୁ ଚାହିଁଲି ପତିତପାବନ ବାନା ଉଡୁଛି…ମୁଁ ଥକି ପଡ଼ିଥିଲି,ପୁଣି ଆଖି ବୁଜି ହେଇଗଲା । ସେହି ଅନ୍ଧାର ଭିତରୁ ଚକା ଚକା ଆଖି ଦିଶୁଥାଏ ଆଉ ସତେଯେମିତି ସେ କହୁଥାନ୍ତି … ମୁଁ ନଧରିଥିଲେ ତୁ ପଡ଼ିଯାଇଥାନ୍ତୁ, ଲୋକେ ଦଳିଚକଟି ଦେଇଥାନ୍ତେ, ତୋ ପୁଅକୁ ବି ଦଳି ଦେଇଥାନ୍ତେ …ତତେ ଟାଣି ଆଣିଲି, ମୁଁ ପରା ତୋ ପାଖରେ ଥିଲି , ତୁ ମୋତେ ଦେଖିପାରୁନଥିଲୁ। ଏବେ ତୁମେ ସମସ୍ତେ ଖୁସି ତ … ଯେଉଁଠି ଅନ୍ଧାର ସେଇଠି ପରା ମୁଁ ଅଛି … ସେଇଠି ମୁଁ ହାତ ବଢ଼େଇଛି …. ।
ଜେଜେ ମା ଭାବ ବିହ୍ବଳ ହୋଇ ଗପି ଚାଲୁଥିଲେ … ହେଲେ ତାଙ୍କର ଧ୍ୟାନ ନାହିଁ କଥା ଶୁଶୁଶୁଣୁ ସାଇନା ଶୋଇପଡ଼ିଛି। … ହଠାତ ମା ଆସି ତାକୁ ସେଠାରୁ ଉଠାଇ ନେଇଗଲେ ଆଉ ବୁଢ଼ୀ ମା ତକିଆକୁ ଥାପୁ଼ଡ଼େଇ ଥାପୁଡ଼େଇ ଶୋଇପଡ଼ିଥିବାର ଅଭିନୟ କରୁଥିଲେ, ସତେ ଯେମିତି ସେ ଜାଣିନାହାନ୍ତି କଣ ଘଟିଲା। …..
ଲେଖକ ମିହିର ରଞ୍ଜନ ଆଚାର୍ଯ୍ୟ