୧୦ ବର୍ଷୀୟ ବାଳକଙ୍କୁ ବନ୍ୟଜୀବ ଫଟୋଗ୍ରାଫର୍‌ ସମ୍ମାନ

ବେଙ୍ଗାଲୁରୁ, ୦୧/୧୧ : ଚଳିତ ବର୍ଷର ବନ୍ୟଜୀବ ଫଟୋଗ୍ରାଫି ପ୍ରତିଯୋଗିତାର ବିଜେତା ହୋଇଛନ୍ତି ବେଙ୍ଗାଲୁରୁର ୧୦ ବର୍ଷୀୟ ବିହାନ ତାଲ୍ୟ ବିକାଶ । ଲଣ୍ଡନଠାରେ ଅନୁଷ୍ଠିତ ଏହି ପ୍ରସିଦ୍ଧ ପ୍ରତିଯୋଗିତା ନାଚ୍ୟୁରାଲ ହିଷ୍ଟ୍ରୀ ମ୍ୟୁଜିୟମ୍‌ ଦ୍ୱାରା ଆୟୋଜିତ ହୋଇଥିଲା ।

‘ଫଟୋଗ୍ରାଫିର ଅସ୍କାର’ ଭାବେ ପରିଚିତ ଏହି ପ୍ରତିଯୋଗିତା ବିଶ୍ୱର ସବୁଠୁ ଅସାଧାରଣ ଫଟୋଗ୍ରାଫି ପ୍ରଦର୍ଶନର ଏକ ବିଶ୍ୱସ୍ତରୀୟ ମଞ୍ଚ । ବିହାନଙ୍କୁ ବିଜେତା କରିଥିବା ଫଟୋ ଭଗବାନ ଶ୍ରୀକୃଷ୍ଣଙ୍କର ମୂର୍ତ୍ତି ସହିତ ଏକ ବୁଢ଼ିଆଣୀର ଅଜବ ସ୍ଥିତିକୁ ଅତି ସୁନ୍ଦର ଭାବେ ଦେଖାଇଛି । ଏହି ଦୃଶ୍ୟ ଆକର୍ଷଣୀୟ ଓ ବିଚାରସାପେକ୍ଷ । ୯୫ ଦେଶର ୫୦ ହଜାର ଫଟୋ ମଧ୍ୟରୁ ବିହାନଙ୍କର ଏହି ଚମତ୍କାର ଫଟୋକୁ ଶୀର୍ଷ ମାନ୍ୟତା ମିଳିଛି । ୧୦ ବର୍ଷରୁ କମ୍‌ ବୟସ ବିଭାଗରେ ବିହାନ ପ୍ରତିଯୋଗିତା କରୁଥିଲେ । ବନ୍ୟଜୀବ ସଂରକ୍ଷଣ ନିମନ୍ତେ ଜନସଚେତନତା ଏହି ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ । ବିହାନଙ୍କ ଫଟୋକୁ ନେଇ ନାଚ୍ୟୁରାଲ ହିଷ୍ଟ୍ରୀ ମ୍ୟୁଜିୟମ୍‌ ୱେବ୍‌ସାଇଟ୍‌ରେ ବନ୍ୟଜୀବ ସଂରକ୍ଷଣ ଫଟୋଗ୍ରାଫର ଓ ପ୍ରତିଯୋଗିତାର ବିଚାରକ ଧ୍ରୀତିମାନ ମୁଖାର୍ଜୀ ଉଲ୍ଲେଖ କରିଛନ୍ତି । ବେଙ୍ଗାଲୁରୁ ନିକଟସ୍ଥ ଏକ ମନ୍ଦିର ଭ୍ରମଣ ସମୟରେ ବିହାନଙ୍କ ଫଟୋଗ୍ରାଫି ଯାତ୍ରା ଆରମ୍ଭ ହୋଇଥିଲା । ୩ ବର୍ଷ ତଳେ ସେ ଫଟୋଗ୍ରାଫି ଆରମ୍ଭ କରିଥିଲେ । ଫଟୋଗ୍ରାଫିରେ ଉଭୟ ମାକ୍ରୋ ଓ ଟେଲିଫଟୋ ଲେନ୍ସ ବ୍ୟବହାର କରିବାକୁ ସେ ଭଲପାଆନ୍ତି । ବେଙ୍ଗାଲୁରୁ ନିକଟସ୍ଥ ପାର୍କଗୁଡ଼ିକରେ ବୁଢ଼ିଆଣୀ ଓ କୀଟମାନଙ୍କର ଫଟୋ ଉଠାଇବାରେ ତାଙ୍କୁ ଆନନ୍ଦ ମିଳେ । ନକ୍ଷତ୍ରବିଜ୍ଞାନ ଅଧ୍ୟୟନରେ ତାଙ୍କର ରୁଚି ରହିଛି ।

Leave a Reply

Your email address will not be published. Required fields are marked *