ଦେଶରେ ମହିଳା ଭୋଟରଙ୍କ ସଂଖ୍ୟା ୪୮ ପ୍ରତିଶତରୁ ଅଧିକ, ରାଜନୀତିରେ ସେମାନଙ୍କ ଯୋଗଦାନ ଯଥେଷ୍ଟ କମ୍‌

ନୂଆଦିଲ୍ଲୀ, ୧୨/୧୨ : ଦେଶରେ ମହିଳା ଭୋଟରଙ୍କ ସଂଖ୍ୟା ୪୮ ପ୍ରତିଶତରୁ ଅଧିକ । କିନ୍ତୁ ରାଜନୀତି କ୍ଷେତ୍ରରେ ସେମାନଙ୍କ ଯୋଗଦାନ ଯଥେଷ୍ଟ କମ୍‌ । ସଦ୍ୟ ସମାପ୍ତ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ମୋଟ ୬୮ ଜଣ ବିଧାୟକ ନିର୍ବାଚିତ ହୋଇଛନ୍ତି । ହେଲେ ସେମାନଙ୍କ ଭିତରେ ମାତ୍ର ଜଣେ ମହିଳା ବିଧାୟକ ଅଛନ୍ତି । ଏଥର ନିର୍ବାଚନରେ ୨୪ଜଣ ମହିଳା ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ । ସେହିଭଳି ଗୁଜରାଟରେ ୧୮୨ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନରେ ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ଥିଲା ୪୦ । ସେମାନଙ୍କ ମଧ୍ୟରୁ ୧୫ ଜଣ ବିଜୟୀ ହୋଇଛନ୍ତି । ରିପୋର୍ଟ ଅନୁସାରେ ଦେଶର ୮ଟି ରାଜ୍ୟରେ

ମହିଳା ଭୋଟରଙ୍କ ସଂଖ୍ୟା ୫୦ ପ୍ରତିଶତରୁ ଅଧିକ । ଏସବୁ ରାଜ୍ୟ ମଧ୍ୟରେ ଅଛି କେରଳ (୫୨.୮୮%), ମଣିପୁର (୫୧.୫୯%), ଆସାମ (୫୧.୫୮%), ମିଜୋରାମ (୫୧.୦୯%), ମେଘାଳୟ (୫୧%),
ଗୋଆ (୫୦.୪୦%), ତାମିଲନାଡୁ (୫୦.୧୦%) ଓ ପୁଡୁଚେରୀ (୫୦%) । କିନ୍ତୁ ଏଠାରେ ମହିଳା ବିଧାୟକଙ୍କ ସଂଖ୍ୟା ମାତ୍ର ୫ରୁ ୮ ପ୍ରତିଶତ ରହିଛି । ମିଜୋରାମରେ ୫୧ ପ୍ରତିଶତ ମହିଳା ଭୋଟର ଅଛନ୍ତି । କିନ୍ତୁ ସେଠାରେ ମୋଟ ୪୦ ବିଧାୟକଙ୍କ ମଧ୍ୟରୁ ମହିଳା ବିଧାୟକ ଆଦୌ ନାହାନ୍ତି । ସେହିଭଳି ନାଗାଲାଣ୍ଡରେ ମୋଟ ବିଧାୟକଙ୍କ ସଂଖ୍ୟା ୬୦ ଥିଲେ ମଧ୍ୟ ଜଣେ ହେଲେ ବି ମହିଳା ନାହାନ୍ତି ।

ଅନ୍ୟପକ୍ଷରେ ଲୋକସଭାରେ ୧୪.୯୪% ଓ ରାଜ୍ୟସଭାରେ ୧୪.୦୫% ମହିଳା ସାଂସଦ ଅଛନ୍ତି । ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିଅନର ତଥ୍ୟକୁ ଦେଖିଲେ ଜଣାଯାଏ ଯେ ସମଗ୍ର ବିଶ୍ୱରେ ମହିଳା ସାଂସଦଙ୍କ ହାର ରହିଛି ୧୮ ପ୍ରତିଶତ । ପାକିସ୍ତାନରେ ଏହି ହାର ୨୦ ଓ ବାଂଲାଦେଶରେ ୨୧ ପ୍ରତିଶତ ରହିଛି । ଅର୍ଥାତ ଭାରତ ଏ କ୍ଷେତ୍ରରେ ବୈଶ୍ୱିକ ସ୍ତରରେ ୩ ପ୍ରତିଶତ ଓ ପଡୋଶୀ ଦେଶ ତୁଳନାରେ ୬-୭ ପ୍ରତିଶତ ପଛରେ
ରହିଛି । ରାଜନୈତିକ ସମୀକ୍ଷକ ସଞ୍ଜୟ କୁମାରଙ୍କ କହିବାନୁଯାୟୀ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ହେଲେ ମହିଳା ପ୍ରାର୍ଥୀ ଅଧିକ ଜିତିବେ ସେହିଭଳି କୌଣସି ସମ୍ଭାବନା ନାହିଁ । କାରଣ ଦେଶର ଏକ ବୃହତ୍‌ ଭାଗର ଭୋଟର ପ୍ରାର୍ଥୀଙ୍କ ଅପେକ୍ଷା ଦଳକୁ ଦେଖି ଭୋଟ ଦେଇଥାନ୍ତି । ରାଜନୈତିକ ଦଳମାନେ ଅଧିକ ମହିଳା ପ୍ରାର୍ଥୀ ଠିଆକରି ନଥାନ୍ତି । କାରଣ ସେମାନେ ଭାବନ୍ତି କି ମହିଳା ପ୍ରାର୍ଥୀଙ୍କ ଜିତିବା ଆଶା କମ୍‌ । କିନ୍ତୁ ବାସ୍ତବିକ କ୍ଷେତ୍ରରେ ଦେଖିବାକୁ ଗଲେ ମହିଳାଙ୍କ ସଫଳତାର ହାର ପୁରୁଷଙ୍କ ଅପେକ୍ଷା ଅଧିକ ।

ଦ୍ୱିତୀୟ କଥା ହେଲା ନିର୍ଦ୍ଦଳୀୟ ମହିଳା ପ୍ରାର୍ଥୀମାନେ ବିଜୟୀ ହେବାର ଆଶା ବହୁତ କମ୍‌ । ଏଭଳି କାରଣରୁ ରାଜନୀତି କ୍ଷେତ୍ରରେ ମହିଳାଙ୍କ ଭାଗିଦାର କମ୍‌ ରହିଛି । ବର୍ତ୍ତମାନ ଦେଶର ୨୮ଟି ରାଜ୍ୟରେ ପ୍ରାୟ ୪
ହଜାର ବିଧାୟକ ଅଛନ୍ତି । ସେମାନଙ୍କ ମଧ୍ୟରେ ୩୫୨ ଜଣ ମହିଳା । ସେମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ବିଜେପିର ୧୨୨ ଜଣ ରହିଥିଲା ବେଳେ କଂଗ୍ରେସର ୬୯ ଜଣ ଅଛନ୍ତି । ଅନ୍ୟ ଦଳର ୧୬୧ ମହିଳା
ବିଧାୟକ ରହିଛନ୍ତି । ୯ ରାଜ୍ୟରେ ବିଜେପିର ଏବଂ ୧୨ ରାଜ୍ୟରେ କଂଗ୍ରେସର ଜଣେ ହେଲେ ମହିଳା ବିଧାୟକ ନଥିବା ଜଣାପଡିଛି । ପଶ୍ଚିମବଙ୍ଗରେ ଶାସକ ତୃଣମୂଳ କଂଗ୍ରେସର ୩୩ ଜଣ ମହିଳା ବିଧାୟକ ଅଛନ୍ତି । ଛତିଶଗଡରେ ମହିଳା ଭୋଟରଙ୍କ ସଂଖ୍ୟା ୪୯.୫ ପ୍ରତିଶତ ରହିଥିଲା ବେଳେ ମହିଳା ବିଧାୟକଙ୍କ ସଂଖ୍ୟା ରହିଛି ୧୪.୪୪ ପ୍ରତିଶତ । ପଶ୍ଚିମବଙ୍ଗରେ ମହିଳା ଭୋଟରଙ୍କ ସଂଖ୍ୟା ୪୯ ପ୍ରତିଶତ ଓ ବିଧାୟକଙ୍କ ସଂଖ୍ୟା ୧୩.୭୦ ପ୍ରତିଶତ । ଝାଡଖଣ୍ଡରେ ମହିଳା ଭୋଟରଙ୍କ ସଂଖ୍ୟା ୪୭.୪ ପ୍ରତିଶତ ଥିଲା ବେଳେ ବିଧାୟକଙ୍କ ସଂଖ୍ୟା ରହିଛି ୧୨.୩୫ ପ୍ରତିଶତ । ସେହିଭଳି ରାଜସ୍ଥାନରେ ମହିଳା ଭୋଟରଙ୍କ ସଂଖ୍ୟା ୪୭.୩ ଓ ବିଧାୟକଙ୍କ ସଂଖ୍ୟା ୧୨ ପ୍ରତିଶତ ରହିଥିଲା ବେଳେ ଉତ୍ତରପ୍ରଦେଶରେ ମହିଳା ଭୋଟରଙ୍କ ସଂଖ୍ୟା ରହିଛି ୪୫ ପ୍ରତିଶତ ଏବଂ ମହିଳା ବିଧାୟକ ସଂଖ୍ୟା ୧୧.୬୬ ପ୍ରତିଶତ ରହିଥିବା ରିପୋର୍ଟରୁ ଜଣାପଡିଛି ।

Leave a Reply

Your email address will not be published. Required fields are marked *