ନବମ ଶ୍ରେଣୀର ଏହି ଛାତ୍ରୀ ଜଣଙ୍କ ସମସ୍ତଙ୍କ ପ୍ରଶଂସାର ପାତ୍ରୀ ହୋଇଛନ୍ତି। ଛାତ୍ରୀଙ୍କ ନାଁ ରିଶିତା ସାମନ୍ତରାୟ। ରିଶିତାଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମ୍ମାନିତ କରାଯାଇଛି। କାରଣ ରିଶିତା ଏମିତି ଏକ ଡିଭାଇସ ତିଆରି କରିଛନ୍ତି ଯେଉଁଥିରେ ମହିଳାମାନେ ବେଶ୍ ଉପକୃତ ହେବେ। କୁହାଯାଏ ଆବଶ୍ୟକତା ହିଁ ଉଦ୍ଭାବନର ଜନନୀ। ରିଶିତାଙ୍କ ଘରେ କାମ କରୁଥିବା ଜନୈକ ମହିଳାଙ୍କ ଅସୁବିଧାକୁ ଦେଖି ସେ ଏହି ଡିଭାଇସ ତିଆରି କଲେ।ରିଶିତାଙ୍କ ଘରର ମେଡଙ୍କ ଝିଅ ବାରମ୍ବାର ବସ୍ ଯାତ୍ରା କରିବାରୁ ତାଙ୍କର ଗର୍ଭପାତ ହୋଇଥିଲା ଆଉ ଯେତେବେଳେ ରିଶିତା ଏ ସଂପର୍କରେ ଜାଣିବାକୁ ପାଇଲେ ସେ ନିଜେ ଏହା ଉପରେ ଗବେଷଣା ଆରମ୍ଭ କଲେ, ଏଭଳି ଏକ ଡିଭାଇସ ତିଆରି କଲେ ଯେଉଥିରେ ଗର୍ଭବତୀ ମହିଳାଙ୍କ ବସଯାତ୍ରାକୁ ସୁଗମ ହୋଇପାରିବ।
ଆସନ୍ତୁ ଜାଣିବା ରିଶିତାଙ୍କ ଡିଭାଇସ ଗର୍ଭବତୀ ମହିଳାଙ୍କୁ କେମିତି ସାହାଯ୍ୟ କରିବ। ଏହି ଡିଭାଇସକୁ ପ୍ରତ୍ୟେକ ବସ୍ ଷ୍ଟପରେ ଲଗାଯିବ। ଜଣେ ଗର୍ଭବତୀ ମହିଳା ଯଦି ବସ୍ ଷ୍ଟପକୁ ଆସନ୍ତି ତେବେ ସେ ଏହି ଡିଭାଇସରେ ନିଜର ଫେସ୍ ରିଡ କରାଇବା ସହିତ ବସ୍ ନମ୍ବର ଟାଇପ କରିବେ।ଏହାଦ୍ବାରା ବସ କଣ୍ଡକ୍ଟରଙ୍କ ନିକଟକୁ ମେସେଜ ଯିବ।କଣ୍ଡକ୍ଟର ଆଗୁଆ ସତର୍କ ହୋଇପାରିବେ ଏବଂ ସେ ସଂପୃକ୍ତ ବସ ଷ୍ଟପରେ ଗର୍ଭବତୀ ମହିଳା ଯାତ୍ରୀଙ୍କୁ ବସରେ ଉଠିବା ଠାରୁ ତାଙ୍କୁ ସିଟ ଦେବା ପର୍ଯ୍ୟନ୍ତ ସବୁ କିଛି ସୁବିଧା ଯୋଗାଇ ଦେବେ। ଏହାଦ୍ବାରା ଗର୍ଭବତୀ ମହିଳାଙ୍କୁ ଆଉ ହଇରାଣ ହେବାକୁ ପଡ଼ିବ ନାହିଁ ଏବଂ ଗର୍ଭପାତର ଶିକାର ହେବାକୁ ପଡ଼ିବ ନାହିଁ।
ଯଦିଓ ରିଶିତା ଗର୍ଭବତୀ ମହିଳାଙ୍କୁ ଦୃଷ୍ଟିରେ ରଖି ଏହି ଡିଭାଇସର ପରିକଳ୍ପନା କରିଛନ୍ତି ତେବେ ଏହାଦ୍ବାରା ବରିଷ୍ଠ ନାଗରିକ, ଶାରୀରିକ ଭିନ୍ନକ୍ଷମମାନେ ମଧ୍ୟ ସୁବିଧା ପାଇପାରିବେ। ରିଶିତାଙ୍କର ଏହି ଗବେଷଣା ପାଇଁ ତାଙ୍କୁ କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ ବୈଷୟିକଜ୍ଞାନ ମନ୍ତ୍ରଣାଳୟ ଏ ପି ଜେ ଅବଦୁଲ କଲାମ ସମ୍ମାନରେ ସମ୍ମାନିତ କରିଛନ୍ତି। ଆପଣ ଜଦି କୌଣସି ଛାତ୍ରୀଙ୍କ କୃତୀତ୍ବ ଜାଣିଛନ୍ତି ଆମ ସହିତ ସେୟାର କରନ୍ତୁ। ଆମେ ପ୍ରକାଶ କରିବୁ।