ବାଘ ମୁହଁରୁ ଛୁଆକୁ ଛଡ଼ାଇ ଆଣିଲା ମାଆ

ନୂଆଦିଲ୍ଲୀ, ୧୨/୦୯ : କୁହନ୍ତି ମାଆ ହେଉଛି ଜନ୍ମଦାତ୍ରୀ, ପାଳନକର୍ତ୍ତା, ତାରଣକର୍ତ୍ତା। ମାଆ ବିନା ଏ ସୃଷ୍ଟି ଅସମ୍ଭବ। ଯେତେ ବିପଦ ଆପଦ ଆସୁ ମାଆ ତାର ପଣତ କାନି ତଳେ ନିଜ ସନ୍ତାନଙ୍କୁ ଘଣ୍ଟ ଘୋଡ଼ାଇ ରଖିଥାଏ। ଯେକୌଣସି ବାଧାବିଘ୍ନ ଆସିଲେ ଢାଲ ଭଳି ଠିଆ ହୁଏ। ଏହାର ଉଦାହରଣ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ଉମରିୟା ଜିଲ୍ଲାର ବାନ୍ଧବଗଡ ଅଭୟାରଣ୍ୟ ମାଲା ବିଟ୍ ଅନ୍ତର୍ଗତ ରୋହନିୟା ଗ୍ରାମରେ। ଏହି ଗ୍ରାମର ଅର୍ଚ୍ଚନା ନାମକ ଜଣେ ମହିଳା ବାଘ ମୁହଁ ରୁ ନିଜର ୧୫ମାସର ଶିଶୁକୁ ଛଡ଼ାଇ ଆଣିଛନ୍ତି। ତେବେ ମହିଳା ଜଣଙ୍କ ବାଘ ସହିତ ଲଢେ଼ଇ କରି ଗୁରୁତର ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ବାଘଟି ଆକ୍ରମଣ କରିବା ପରେ ଜଙ୍ଗଲ ଭିତରକୁ ଚାଲି ଯାଇଛି।

ସୂଚନାଯୋଗ୍ୟ ଯେ, ରୋହନିୟା ଗ୍ରାମର ଅର୍ଚ୍ଚନା ଚୌଧୁରୀ ନାମକ ଜଣେ ମହିଳା ତାଙ୍କର ୧୫ ମାସର ଶିଶୁକୁ ଶୌଚ କରାଇବା ପାଇଁ କ୍ଷେତକୁ ନେଇ ଯାଇଥିଲେ। ଏହି ସମୟରେ ଏକ ବାଘ ସେମାନଙ୍କ ଉପରକୁ ଆକ୍ରମଣ କରିଥିଲା। ବାଘଟି ଅର୍ଚ୍ଚନାଙ୍କୁ ଲହୁ ଲୁହାଣ କରିବା ପରେ ଶିଶୁଟିକୁ ଧରି ଚାଲିଯାଉଥିଲା। ତେବେ ଅର୍ଚ୍ଚନା ପାଟି କରିବାରୁ ଗ୍ରାମବାସୀମାନେ ଧାଇଁଆସି ବାଘର ପିଛା କରିଥିଲେ। ଫଳରେ ବାଘଟି ଶିଶୁକୁ ଛାଡି ନିକଟସ୍ଥ ଜଙ୍ଗଲ ଭିତରକୁ ଚାଲି ଯାଇଥିଲା।

ଉଭୟ ମାଆ ପୁଅଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଅର୍ଚ୍ଚନାଙ୍କ ପିଠି, ହାତରେ ଗଭୀର ଆଘାତ ଲାଗିଛି। ତାଙ୍କୁ ଉମରିୟା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳି ଯାଇଛି। ସ୍ଥାନୀୟ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି।

Leave a Reply

Your email address will not be published. Required fields are marked *