ବାଲ୍ୟ ବିବାହ ମୁକ୍ତ ହେବ କଟକ ଜିଲ୍ଲା, ୫୦ ଗାଁ ହେବ ଶିଶୁଶ୍ରମିକ ମୁକ୍ତ ଗାଁ

କଟକ, ୧୯/୦୬ : ବାଲ୍ୟ ବିବାହ ମୁକ୍ତ ହେବ କଟକ ଜିଲ୍ଲା। ବାଲ୍ୟ ବିବାହକୁ ରୋକିବା ପାଇଁ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି । ନୋବେଲ ପୁରସ୍କାର ବିଜେତା ‘କୈଳାସ ସତ୍ୟାର୍ଥୀ’ଙ୍କ ଚିଲ୍‌ଡ୍ରେନ୍‌ ଫାଉଣ୍ଡେସନ ଓ କଟକର ଉତ୍କଳ ସେବକ ସମାଜର ମିଳିତ ସହଯୋଗରେ ମେ’ ପହିଲାରୁ କାମ ଆରମ୍ଭ ହୋଇଛି । ‘ବଚପନ୍‌ ବଚାଓ ଆନ୍ଦୋଳନ’ର ଏକ ଅଂଶବିଶେଷ କୁହାଯାଉଥିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବାଲ୍ୟ ବିବାହ ମୁକ୍ତ କଟକ । କେବଳ ବାଲ୍ୟ ବିବାହ ନୁହେଁ ଶିଶୁ ଶ୍ରମିକ ନିରୋଧ ଓ ଶିଶୁମାନଙ୍କୁ ଯୌନ ଶୋଷଣରୁ ରକ୍ଷା କରିବା କ୍ଷେତ୍ରରେ ମଧ୍ୟ କାର୍ଯ୍ୟ ଆରମ୍ଭ କରାଯାଇଛି । ଜିଲ୍ଲାର ୧୪ଟି ବ୍ଲକ ଅଧୀନ ୫୦ଟି ଗ୍ରାମକୁ ଟାର୍ଗେଟ କରାଯାଇଛି । ଏହି ଗାଁରେ ଉକ୍ତ ସଂସ୍ଥା ପକ୍ଷରୁ ମିଳିତ କାର୍ଯ୍ୟକ୍ରମ କରାଯିବ ।

୫୦ଟି ଗାଁରେ ଯେପରି ଜଣେ ହେଲେ ଶିଶୁ ଶ୍ରମିକ ରହିବେ ନାହିଁ ଓ ଗୋଟିଏ ବି ବାଲ୍ୟ ବିବାହ ହେବ ନାହିଁ ସେଥିପ୍ରତି ଗୁରୁତ୍ୱ କରାଯିବ । ଏହାବାଦ୍‌ ଜିଲ୍ଲାର ୭୫ହଜାର ଲୋକଙ୍କୁ ବାଲ୍ୟ ବିବାହ, ଶିଶୁ ଶ୍ରମିକ ଓ ଶିଶୁ ଯୌନ ନିର୍ଯାତନାକୁ ନେଇ ଶପଥ ପାଠ କରାଯିବ । ପ୍ରତି ୩ଟି ବ୍ଲକ ପାଇଁ ଜଣେ ଲେଖାଏଁ ସମାଜସେବୀ ନିଯୁକ୍ତ ହୋଇଥିବା ବେଳେ କାଉନ୍‌ସେଲର ଓ ଆଇନ ପରାମର୍ଶଦାତାଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି ।
ଏମାନେ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରାଇବା ସହ ଗାଁ ଗୁଡିକରେ ସଚେତନତା କାର୍ଯ୍ୟକ୍ରମମାନ କରାଇବେ।

ତେବେ ଯେଉଁ ୩ଟି ଯାକ ଘଟଣା ଉପରେ ଫୋକସ୍‌ କରାଯାଉଛି ଉକ୍ତ ୩ଟି ଯାକ ସମସ୍ୟା କଟକ ଜିଲ୍ଲାରେ ଭରି ରହିଛି । ବାଲ୍ୟ ବିବାହ ଠାରୁ ଆରମ୍ଭ କରି ବଡ ବଡିଆଙ୍କ ଘରେ କୋମଳମତି ପିଲାମାନେ ଗୋତି ଖଟିବା ଓ ଅପ୍ରାପ୍ତ ବୟସରେ ଯୌନ ଶୋଷଣର ଶିକାର ହେବାର ଅନେକ ନଜିର ରହିଛି । ଏଥିପ୍ରତି ସାଧାରଣ ଲୋକେ ତ ଦୂରର କଥା ପ୍ରଶାସନ ମଧ୍ୟ ସଜାଗ ନଥିବା ସ୍ପଷ୍ଟ ହୋଇଛି । ଜୁନ୍‌ ମାସକୁ ଶିଶୁ ଶ୍ରମିକ ମାସ ଭାବେ ନାମିତ କରାଯାଇଛି । ପ୍ରତ୍ୟେକ ଜିଲ୍ଲାରେ ଶ୍ରମ ଅଧିକାରୀଙ୍କୁ ନେଇ ଏକ ଟାସ୍କ ଫୋର୍ସ ଗଠନ କରାଯାଇଛି । ଶ୍ରମ ଅଧିକାରୀ ଏହି ଟାସ୍କ ଫୋର୍ସର ନୋଡାଲ ଅଫିସର ଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା
ଅଧିକାରୀ ଓ ଚାଇଲ୍ଡ ଲାଇନ୍‌ କର୍ମକର୍ତ୍ତା ସଦସ୍ୟ ଅଛନ୍ତି । କିନ୍ତୁ ଜୁନ୍‌ ମାସ ଅଧା ହୋଇଥିବା ବେଳେ ଅଦ୍ୟାବଧି ମାତ୍ର ଜଣେ ଶିଶୁ ଶ୍ରମିକ ସମଗ୍ର ଜିଲ୍ଲାରୁ ଉଦ୍ଧାର ହୋଇଛନ୍ତି । ବଡ କଥା ହେଉଛି ଶ୍ରମ ବିଭାଗ ପକ୍ଷରୁ ଏ ନେଇ ଅଦ୍ୟାବଧି କୌଣସି ପ୍ରକ୍ରିୟା ଆରମ୍ଭ କରାଯାଇନି । କିନ୍ତୁ ଜିଲ୍ଲାର ଗ୍ରାମାଞ୍ଚଳକୁ ବାଦ୍‌ ଦେଇ କେବଳ ସହରାଞ୍ଚଳକୁ ଦେଖିଲେ ହୋଟେଲ, ଢାବା, ଚା ଦୋକାନ, ଗ୍ୟାରେଜ ଓ ରେଳ ଷ୍ଟେସନରେ ଭିକ୍ଷାବୃତ୍ତି
କରୁଥିବା ପିଲାଙ୍କ ସଂଖ୍ୟା କଳନା କରିବା ମୁସ୍କିଲ ।

ସରକାରୀ ତଥ୍ୟ କହୁଛି ୨୦୨୨ରେ ଜିଲ୍ଲାରେ ୨୨ଟି ବାଲ୍ୟ ବିବାହ ଅଭିଯୋଗ ଆସିଥିଲା । ସେଥିରୁ ୧୮ ଟିକୁ ରୋକାଯାଇଛି । କିନ୍ତୁ ସରକାରୀ ତଥ୍ୟର ବାସ୍ତବତାକୁ ନେଇ ସନ୍ଦେହ ପ୍ରକାଶ ପାଇଛି । ଏ ସମ୍ପର୍କରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରଗତି ମହାନ୍ତି କହିଛନ୍ତି, ମାସ ପୂରିବାକୁ ଅନେକ ଦିନ ବାକି ଅଛି । ରଜ ଛୁଟି ପରେ ଶ୍ରମ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ କରାଯାଇପାରେ । ତେବେ ବାଲ୍ୟ ବିବାହ ଉପରେ ଅଙ୍ଗନବାଡ଼ି କର୍ମୀମାନେ ସଚେତନ ରହିଲେ ଏହାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିହେବ ବୋଲି ଶ୍ରୀମତୀ ମହାନ୍ତି କହିଛନ୍ତି । ଜିଲ୍ଲା ଶ୍ରମ ଅଧିକାରୀ ପ୍ରସନ୍ନ ପ୍ରଧାନ କହିଛନ୍ତି, କେତେ ଶିଶୁ ଶ୍ରମିକ ଉଦ୍ଧାର ହୋଇଛନ୍ତି ଓ ଏ କ୍ଷେତ୍ରରେ କ’ଣ ପଦକ୍ଷେପ ନିଆଯାଇଛି ତାହା ଅଫିସ ଖୋଲିବା ପରେ ରେକର୍ଡପତ୍ର ଦେଖି କହିପାରିବି ।

Leave a Reply

Your email address will not be published. Required fields are marked *