ପିଲାଙ୍କୁ ଶିଖାନ୍ତୁ ସଞ୍ଚୟର ଗୁରୁତ୍ୱ, ସେମାନେ ବୁଝିପାରିବେ ଅର୍ଥର ଗୁରୁତ୍ଵ

ଭୁବନେଶ୍ଵର, ୧୮/୬ : ମହଙ୍ଗା ଦୁନିଆରେ ଛୋଟବେଳୁ ପିଲାଙ୍କୁ ଶିଖାନ୍ତୁ ସଞ୍ଚୟର ଗୁରୁତ୍ୱ। ପିଲାଙ୍କୁ ପାଠ ପଢ଼ାଇ ମଣିଷ କରିବା ଅଭିଭାବକଙ୍କ ପାଇଁ ଚ୍ୟାଲେଞ୍ଜ ହୋଇପଡିଛି । ତେଣୁ ଏହି ପରିସ୍ଥିତିରେ ପିଲାଙ୍କୁ ଟଙ୍କାର ପ୍ରକୃତ ମୂଲ୍ୟ ବୁଝାଇବା ଖୁବ୍‌ ଜରୁରି । ପିଲାଟିଏ ଟଙ୍କାର ପ୍ରକୃତ ମୂଲ୍ୟ ବୁଝିବା ଦ୍ୱାରା ହିଁ ତା’ ଖର୍ଚ୍ଚରେ ପରିବର୍ତ୍ତନ ଆସିଥାଏ । ତେଣୁ ଛୋଟ ବେଳୁ ହିଁ ପିଲାକୁ ଅର୍ଥର ମୂଲ୍ୟ ବୁଝାଇବାକୁ ପ୍ରୟାସ କରନ୍ତୁ । ଫଳରେ ସେ ବିଭିନ୍ନ ଜିନିଷ ପାଇଁ ଭିନ୍ନ ଭିନ୍ନ ସ୍ଥାନରେ ଜିଦି କରିବ ନାହିଁ ।

ମହଙ୍ଗା ଦୁନିଆରେ ପିଲାକୁ ଅର୍ଥର ବାସ୍ତବ ମୂଲ୍ୟ ବୁଝାଇବା ଖୁବ୍‌ ଜରୁରି । ମା’ ପିଲାଙ୍କୁ ଏକଥା ବୁଝାଇବା ଦରକାର ଯେ ସାରା ଦିନ ପରିଶ୍ରମ କରି ଅଭିଭାବକ କେତେ ଟଙ୍କା ରୋଜଗାର କରୁଛନ୍ତି । ତେଣୁ କୌଣସି ଜିଦି କରିବା ପୂର୍ବରୁ ସେ ନିଜ ବାପାମା’ଙ୍କ ପରିଶ୍ରମକୁ ବୁଝିବା ଆବଶ୍ୟକ ବୋଲି ପିଲାକୁ ଜଣାନ୍ତୁ । ଅଯଥା ଖର୍ଚ୍ଚ କଲେ କିପରି ଋଣ ଭାରରେ ବୁଡ଼ି ରହିବାକୁ ପତେ, ତାକୁ ବୁଝାନ୍ତୁ ।

ଯଦି ଆପଣ ପିଲାର ସମସ୍ତ ଦାବି ପୂରଣ କରିବାରେ ଅଭ୍ୟସ୍ତ, ତେବେ ଏପରି ଅଭ୍ୟାସଠାରୁ ଦୂରେଇବାକୁ ପ୍ରୟାସ କରନ୍ତୁ । କାରଣ ଆପଣଙ୍କର ଏଭଳି ଅଭ୍ୟାସ ପିଲାକୁ ବିଗାଡି ଦେଇପାରେ । ଏପରିକି ପିଲା ଜିଦିଆ ହେବାର ଆଶଙ୍କା ଉପୁଜିପାରେ । ଫଳରେ ତା’ ଭିତରେ ଅପରାଧିକ ମନୋବୃତ୍ତି ବିକଶିତ ହୋଇପାରେ । ପିଲାକୁ ଛୋଟ ବେଳୁ ହିଁ ଆବଶ୍ୟକତା ଓ ଦେଖାଇ ହେବା ମଧ୍ୟରେ ଫରକ୍‌ ଶିଖାନ୍ତୁ ।

ପିଲାକୁ ଛୋଟ ବେଳୁ ହିଁ ସଞ୍ଚୟ ଅଭ୍ୟାସ ସହ ଏହାର ଫାଇଦା ଜଣାନ୍ତୁ । ସେ କେମିତି ପ୍ରତି ମାସରେ କିଛି ନା କିଛି ନିବେଶ କରିପାରିବ, ତାକୁ ଶିଖାନ୍ତୁ । ପିଲାର ଏକ ସଞ୍ଚୟ ଖାତା ଖୋଲିବା ସହ  ପ୍ରତି ମାସରେ ପିଲାର ସଞ୍ଚିତ ଅର୍ଥକୁ ସେଠାରେ ନିବେଶ କରନ୍ତୁ । ଚେଷ୍ଟା କରନ୍ତୁ ପିଲାର ସଞ୍ଚୟ ଅର୍ଥ ସେ ବ୍ୟାଙ୍କରେ ନିଜେ ନିବେଶ କରୁ । ଏଥିପାଇଁ ତାକୁ ବ୍ୟାଙ୍କ ନିଅନ୍ତୁ । ତାକୁ ଖୁସି ଲାଗିବ । ଏହି ଛୋଟ ଛୋଟ ସଞ୍ଚୟ ହୁଏତ କାଲି ହୁଏତ ବଡ଼ ଆବଶ୍ୟକତାକୁ ପୂରଣ କରିଦେଇପାରେ ।

Leave a Reply

Your email address will not be published. Required fields are marked *