ଆଲିଗଡ, ୧୬/୦୯ : କୁହନ୍ତି ଦୃଢ ଆତ୍ମବିଶ୍ଵାସ ଥିଲେ ସବୁ ସମ୍ଭବ ହୋଇଥାଏ। ଏହାକୁ ଚରିତାର୍ଥ କରିଛନ୍ତି ଅଲିଗଡ଼ ଜିଲ୍ଲାର ଆଶା ଦେବୀ। ଦିନେ ଥିଲେ ଦିନ ମଜୁରିଆ, କଠିନ ପରିଶ୍ରମ ବଳରେ ଆଜି ଜଣେ ସଫଳ ବ୍ୟବସାୟୀ। ଅଲିଗଡ଼ର ଟପ୍ପଲ ବ୍ଲକର ଖଣ୍ଡେହା ଗ୍ରାମର ଆଶା ଦେବୀ ଓ ତାଙ୍କ ସ୍ଵାମୀ ଦିନ ମଜୁରିଆ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ୨୦୧୫ରେ ଆଶା ଦେବୀ ଏକ ସ୍ଵୟଂ ସହାୟିକା ଗୋଷ୍ଠୀରେ ଯୋଗ ଦେଇଥିଲେ। ଯେଉଁଥିରୁ ତାଙ୍କୁ ବ୍ୟବସାୟ ପାଇଁ ଉପାୟ ମିଳିଥିଲା।
ଏହାପରେ ଆଶା ଦେବୀ ୟୁପିର ଆଜିବିକା ମିଶନରେ ବ୍ୟାଙ୍କରୁ ୫୨ ହଜାର ଟଙ୍କା ଋଣ ନେଇ ଏକ ୱାଟର ପ୍ୟୁରିଫାଇ ଆରଓ ପ୍ଲାଣ୍ଟ ତିଆରି କଲେ। ଏହି ପ୍ଲାଣ୍ଟରୁ ସେ ବିଭିନ୍ନ କାର୍ଯ୍ୟାଳୟ ଓ ଅଫିସକୁ ପାନୀୟଜଳ ଯୋଗାଣ କଲେ। ଏହାପରେ ଧୀରେ ଧୀରେ ଆଶା ଦେବୀଙ୍କ ପରିବାର ଲୋକ ଏଥିପ୍ରତି ରୁଚି ରଖିଲେ ଏବଂ ସେ ଦିନକୁ ୬୦୦ ରୁ ୮୦୦ ଟଙ୍କା ରୋଜଗାର କରିପାରିଲେ। ନିଜର ବ୍ୟବସାୟ ବଢୁଥିବା ଦେଖି ଏବେ ଆଶା ଦେବୀ ଆଉ ଏକ ସ୍ଵପ୍ନ ଦେଖିଛନ୍ତି। ଆଖପାଖ ସହର ଏବଂ ସ୍ଥାନୀୟ ବଜାରରେ ସେ ପାଣି ବୋତଲ ଯୋଗାଇବା ପାଇଁ ଯୋଜନା କରିଛନ୍ତି। କଠିନ ପରିଶ୍ରମ କରି ଆଶା ଦେବୀ ଏବେ ସବୁ ମହିଳାଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।