ବାର୍ବି କହିବ ନୂଆ କାହାଣୀ : ପିଲାଏ ବୁଝିବେ ସମୁଦ୍ରର ଦୁଃଖ

ଖେଳନା ଦୁନିଆରେ ସବୁବେଳେ ପସନ୍ଦରେ ରହି ଆସିଛି ବାର୍ବି ଡଲ । ଛୋଟ ପିଲାଙ୍କଠାରୁ ଆରମ୍ଭ କରି କିଶୋରୀମାନଙ୍କ ପର୍ଯ଼୍ୟନ୍ତ ସଭିଏଁ କାହିଁକି କେଜାଣି ବାର୍ବି ଡଲ ପସନ୍ଦ କରିଥାନ୍ତି। ଆମେରିକାର ଟଏ କମ୍ପାନି ମ୍ୟାଟେଲ ଘୋଷଣା କରିଛି ଯେ ଏବେ କମ୍ପାନି ବାର୍ବି ଡଲ ତିଆରି କରୁଛି ରିସାଇକେଲ୍ଡ ପ୍ଲାଷ୍ଟିକରୁ । ସେ ପୁଣି ସମୁଦ୍ର କୂଳରୁ କିମ୍ବା ସମୁଦ୍ରରୁ ମିଳୁଥିବା ପ୍ଲାଷ୍ଟିକକୁ ଉପଯ଼ୋଗ କରି । ସୁନ୍ଦର ସୁନ୍ଦର ବାର୍ବି ଖେଳନା ପ୍ରସ୍ତୁତ କରିବାରେ ବିଶ୍ବବ୍ୟାପୀ ଆଦର ପାଇଥିବା ମ୍ୟାଟେଲ ଏବେ ଗ୍ରୀନ ବାର୍ବିିର ସନ୍ଦେଶ ଦେଇଛି। ନୂଆ ବାର୍ବିର 90 ପ୍ରତିଶତ ଆବର୍ଜନା ପ୍ଲାଷ୍ଟିକକୁ ରିସାଇକଲ କରି ତିଆରି କରାଯାଉଛି ।

ସମୁଦ୍ର ପ୍ରଦୂଷଣର ମୁଖ୍ୟ କାରଣ ହୋଇଛି ଏହି ପ୍ଲାଷ୍ଟିକ। ବିଶେଷ କରି ନଦୀରୁ ବହି ଆସୁଥିବା ପ୍ଲାଷ୍ଟିକ ବୋତଲ, ବ୍ୟାଗ, ବିଭିନ୍ନ ପ୍ରକାରର ପ୍ଲାଷ୍ଟିକ ଆବର୍ଜନା ସମୁଦ୍ରକୁ ପ୍ରଦୂଷିତ କରୁଥିବା ବେଳେ ସାମୁଦ୍ରିକ ଜୀବଙ୍କ ପ୍ରତି ବିପଦ ସୃଷ୍ଟି କରିଥାଏ । ତେବେ ଏହି ଆବର୍ଜନା ପ୍ଲାଷ୍ଟିକକୁ ଉପଯୋଗ କରି ସବୁଠାରୁ ଲୋକପ୍ରିୟ ବାର୍ବି ଖେଳନା ପ୍ରସ୍ତୁତ କରିବା ମ୍ୟାଟେଲ କମ୍ପାନିକୁ ବିଶ୍ବ ବ୍ୟାପୀ ଚର୍ଚ୍ଚିତ କରିଛି।

ଏବେ ତିନି ପ୍ରକାରର ବାର୍ବି ଓସେନ କାଟାଗୋରିରେ ତିଆରି କରାଯାଇଛି । ଏହି ଖେଳନା ଦର ପ୍ରାୟ ଭାରତୀୟ ମୁଦ୍ରାରେ 730ରୁ 1460 ଟଙ୍କା ଯାଏ ରହିଛି। କମ୍ପାନି ଏହା ମଧ୍ୟ ସ୍ଥିର କରିଛି 2030 ସୁଦ୍ଧା କମ୍ପାନି ସମସ୍ତ ପ୍ୟାକେଜିଂ କାର୍ଯ୍ୟ ଏହି ରିସାଇକେଲଡ ପ୍ଲାଷ୍ଟିକରୁ କରିବ।

 

କମ୍ପାନିର ମୁଖ୍ୟ ପରିଚାଳନା ଅଧିକାରୀ ରିଚାର୍ଡ ଡିକ୍ସନ କହିଛନ୍ତି ବାର୍ବି ସବୁବେଳେ ଲୋକଙ୍କର ପସନ୍ଦ ହୋଇ ରହି ଆସିଛି । ତେବେ ଏହା ମାଧ୍ୟମରେ ପରିବେଶ ସଂପର୍କରେ ନୂଆ ସନ୍ଦେଶ ଦେବା ଲାଗି ଚେଷ୍ଟା କରାଯାଇଛି। ଏହା ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହିତ ଏହି ଧରଣର ଖେଳନାର ବିକ୍ରି ବିଶ୍ବବ୍ୟାପୀ ବୃଦ୍ଧି କରିବ ।

ଖାଲି ସେତିକି ନୁହେଁ ବାର୍ବି ମାଧ୍ୟମରେ ପିଲାମାନଙ୍କୁ କେମିତି ପୃଥିବୀ, ପ୍ରକୃତି ଓ ପରିବେଶର ବାର୍ତ୍ତା ଦେଇହେବ ସେନେଇ ମଧ୍ୟ କମ୍ପାନି ଭିଡିଓ ବ୍ଲଗ ପ୍ରସ୍ତୁତ କରିବା ଲାଗି ପ୍ଲାନ କରିଛି ।  ବାର୍ବି ଆସିବା ଦିନଠାରୁ ଅନେକ ଥର ବିବାଦ ଘେରରେ ବି ରହିଛି। କିନ୍ତୁ ସବୁ ବିବାଦକୁ ପଛରେ ପକାଇ ବାର୍ବି ନିର୍ମାଣ କାରୀ ମ୍ୟାଟେଲ ଏବଂ ପରିବେଶ ଆନ୍ଦୋଳନରେ ସାମିଲ ହୋଇଛି।

 

Leave a Reply

Your email address will not be published. Required fields are marked *